Friday 6 July 2018

ସ୍ତମ୍ଭକାଳୀ



ସ୍ତମ୍ଭକାଳୀ



ତିନି ଠାକୁର ଅଣସରରେ ଥିବାଯୋଗୁଁ ଆଜି ମନ୍ଦିରରେ ଭକ୍ତଙ୍କ ଭିଡ ନଥିଲା | ଆସନ୍ନ ସନ୍ଧ୍ୟାରେ ମନ୍ଦିର ପରିବେଶ ଶାନ୍ତମୟ, ଶୃଙ୍ଖଳିତ ବୋଧ ହେଲା | ଅନେକ ବର୍ଷ ପରେ ଶ୍ରୀମନ୍ଦିର ରେ ସତ୍ୟନାରାୟଣ ଏବଂ ଗଣେଶଙ୍କ ଦର୍ଶନ ଲାଭ ସୁଯୋଗ ପାଇଲି |   ମା ବିମଳା ଓ ମା ଲକ୍ଷ୍ମୀ ଙ୍କ ଦର୍ଶନରେ ମଧ୍ୟ କୌଣସି ଅସୁବିଧା ନଥିଲା | ଶେଷରେ ବଡ଼ଦେଉଳ ଭିତରକୁ ଗଲି |  ଗରୁଡ ସ୍ତମ୍ଭ ନିକଟରେ ଭକ୍ତମାନଙ୍କ ବ୍ୟାକୁଳ ଭାବ ଦେଖିଲି | ସ୍ତମ୍ଭ ଉପରେ ଆସୀନ ଗରୁଡଙ୍କୁ ନମସ୍କାର କରି ନିକଟସ୍ଥ ଅନ୍ୟ ଏକ ସ୍ତମ୍ଭ ଆଡକୁ ଯାଇ ମୋର ପ୍ରିୟ କୃଷ୍ଣକାୟ ମୂର୍ତ୍ତିଙ୍କୁ ପ୍ରଣାମ କଲି |

 ବାଲ୍ୟାବସ୍ଥାରୁ ସେହି ମୂର୍ତ୍ତି ପ୍ରତି ମୋର ଆସକ୍ତି ରହିଆସିଛି | ବହୁଦିନର ଆତ୍ମୀୟତା ସତ୍ତ୍ୱେ ଆଜି ମୂର୍ତ୍ତିଙ୍କ ପରିଚୟ ପାଶୋରି ଯାଇଥିଲି | ମୂର୍ତ୍ତି ପୁଷ୍ପସଜ୍ଜିତ ଥିଲେ ; ଦୁଇଟି ମାଟି ପ୍ରଦୀପ ତାଙ୍କ କ୍ଷୁଦ୍ର କୋଠରୀକୁ ଆଲୋକିତ କରୁଥିଲା  | ପାଖରେ କେହି ନଥିବା ଦେଖି ଗୋଟିଏ ଦୀପ କୁ ମୂର୍ତ୍ତି ପାଖକୁ ନେଇ ମୁଖ ଦର୍ଶନ କଲି | କିଛି ସମୟ ତାଙ୍କ ଆଗରେ ଠିଆହେଇ  ପ୍ରାର୍ଥନା କରିଥିବା ବେଳେ  ଜଣେ ପୂଜକ ଆସିଲେ ; ଫୁଲଗୁଡିକ ସଜାଡି ଦେଇ ଦୀପ ଦୁଇଟିକୁ ମଧ୍ୟ ଭଲଭାବରେ ରଖିଲେ |ମୁଁ ତାଙ୍କୁ ଦେଖି ଦେବଙ୍କ ନାଁ ପଚାରିଲି , ସେ କିନ୍ତୁ ତରବରରେ ଉତ୍ତର ନଦେଇ ଚାଲିଗଲେ |

ଜଣେ ମହିଳା ଆସି ତାଙ୍କ ଆଗରେ ଠିଆହେଲେ  | କହିଲେ " ସ୍ତମ୍ଭକାଳୀ " | ମୋତେ  ଜଣାଗଲା ମୁଁ ପାଂଚ ,ଛ' ବର୍ଷ ବୟସର ହେଇଥିବା ବେଳେ ଯେମିତି ମା' ଙ୍କ ସାଙ୍ଗରେ ଶ୍ରୀମନ୍ଦିର ଯାଇଥିବା ବେଳେ ମା' ମୋତେ ଠାକୁର ଠାକୁରାଣୀଙ୍କ ପରିଚୟ କରାଉଥିଲେ; ଆଉ ଏହି ସ୍ତମ୍ଭ ପାଖରେ ପ୍ରଣାମ କରୁଥିବା ବେଳେ କହୁଥିଲେ " ଇଏ ହେଉଛନ୍ତି ସ୍ତମ୍ଭକାଳୀ | ମୋତେ ସ୍ୱପ୍ନରେ ଦେଖାଦେଇଥିଲେ ; ତା 'ପରେ  ତୁ ଜନ୍ମ ହେଇଥିଲୁ |

ମୁଁ ପୁଣି ନମସ୍କାର କରି ଗର୍ଭଗୃହ ଆଡକୁ ଯିବାବେଳେ ମହିଳାଙ୍କ ବିଷୟରେ ଭାବୁଥିଲି | " ସେ କିଏ ? ଆଜି କାହିଁକି ସେଠାରେ ହଠାତ ପହଁଚିଲେ ? ମୋ ପ୍ରଶ୍ନର ଉତ୍ତର ତାଙ୍କଠାରୁ କାହିଁକି ଶୁଣିଲି ? ସେ କଣ ମୋ ମା' ; ସେ କଣ ସ୍ୱୟଂ ସ୍ତମ୍ଭକାଳୀ ?"

*********
3rd July, 2018














No comments:

Post a Comment