Wednesday 11 July 2018

ସମାଜ ଓ ସରକାର


ସମାଜ ଓ ସରକାର


ଦୁର୍ନୀତି ବ୍ୟାପକ ହୁଏ ; କିନ୍ତୁ କାଁଭାଁ ଧରାପଡେ | କିଛି ଅଫିସର ହଇରାଣ ହୁଅନ୍ତି ; ତାଙ୍କ ଘର ତଲାସ ହୁଏ ; ଖବର ବାହାରେ ଏତେ କୋଟି ଟଙ୍କାର ସମ୍ପତ୍ତି ବାହାରିଲା ; ଇତ୍ୟାଦି ଇତ୍ୟାଦି | କିନ୍ତୁ ଆମେ ମସ୍ତବଡ ଭୁଲ କରିବା ଯଦି ଭାବିବା ଆମ ସମାଜରେ ଏଇମାନଙ୍କ ବ୍ୟତୀତ ଅନ୍ୟମାନେ ସାଧୁ | ସେମିତି ଚୋରାରେ ସୁନା ଆସିବା କଥା ଦେଖାଯାଉ | ମଝିରେ ମଝିରେ ଆମେ କାଗଜରେ ପଢୁ ଯେ ଜଣେ ବିମାନାଯାତ୍ରୀଙ୍କୁ ତଲାସ କରି ଏତେ ଗ୍ରାମ ସୁନା ଜବତ ହେଲା | କିନ୍ତୁ ଏହାର ଅର୍ଥ ନୁହେଁ ଯେ ଜବତ ହେଇଥିବା ବ୍ୟତୀତ ଆଉ ଚୋରା ସୁନା ଆମ ସହରକୁ ଆସିନି | ସେମିତି ଅଫିମ କଥା | ଜବତ ହେଉଛି ; କିନ୍ତୁ ଅଫିମ ଆସୁଛି | ତେଣୁ କିଛି ଲୋକ ଚୋରା କାରବାର କରି ବେଶ ଲାଭବାନ ହେଉଛନ୍ତି , ଭଲରେ ରହୁଛନ୍ତି , ମଉଜ କରୁଛନ୍ତି | ଗାଁରେ ପକା ଘର ଯେଉଁ ମାତ୍ରାରେ ଦିଶିବା କଥା ଦିଶୁନି ; ବିଦ୍ୟୁତକରଣ ହେବାପରେ ଅନେକ ଗାଁରେ ବିଜୁଳି ବତି ଜଳୁନି | ସୁନା ଦୋକାନ ବଢୁଛି ; ଧନତେରଶ ଧମାଧମ ପାଳନ ହେଉଛି ; ହୋଟେଲରେ ଭୋଜିଭାତ ମାତ୍ରା ବଢି ଚାଲିଛି | ଆଉ କଳାଧନ କଥା ଛାଡ଼ନ୍ତୁ | ଏମିତି କାହିଁକି ହେଉଛି ? ଆମେ ସରକାରଙ୍କୁ ଦୋଷ ଦେଇ କହୁ ସରକାର ଅପାରଗ ; ପାତର ଅନ୍ତର କରନ୍ତି ; ଅସାଧୁତା ସେଠି ପଶି ଗଲାଣି , ଇତ୍ୟାଦି ଇତ୍ୟାଦି | କିନ୍ତୁ ଏହା ସମସ୍ୟାର ସମାଧାନ କରେନି | ଅବ୍ୟବସ୍ଥା ଅବ୍ୟାହତ ରହେ | ଆମ ସରକାର ଆମ ସମାଜର ପ୍ରତିଫଳନ ମାତ୍ର | ଆମେ ଦୁର୍ନୀତିପ୍ରବଣ ହେବା ; ସୁବିଧାବାଦୀ ହେବା , ଅନ୍ୟାୟପ୍ରବଣ ହେବା; ଆଉ କହିବା ସରକାର ସାଧୁ ସନ୍ଥଙ୍କ ରକ୍ଷା କରିବେ ; ଧର୍ମ ପାଳନ କରିବେ | ଏଇଟା ସମ୍ଭବ ନୁହେଁ | ଆମେ ବଦଳିବା , ସୁସ୍ଥ ସମାଜ ଗଢିବା ; ତାପରେ ଛାଏଁ ସରକାର ମଧ୍ୟ ଵଦଳିବ | ନହେଲେ ଏମିତି ନାଟକ ଚାଲିଥିବ | କିଛି ଲୋକ ତିଳତଳାନ୍ତ ହେଉଥିବେ ; ନିଷ୍ପେସିତ ହେଉଥିବେ, ଆଉ କିଛି ଲୋକ ବିଳାସବ୍ୟସନ ରେ ବୁଡି ରହିଥିବେ | ଅତ୍ୟାଚାର ବଢୁଥିବ ; ଅନ୍ୟାୟର ବିଜୟ ହେଉଥିବ |

*******   

No comments:

Post a Comment