Saturday 7 July 2018

ତୃଣମୂଳ ସ୍ତର ର ପ୍ରଶାସନ


ତୃଣମୂଳ ସ୍ତର ର ପ୍ରଶାସନ


ଜଣାଶୁଣା ଯୁବକଟିଏ | ପରିବାରର ବଡପୁଅ ; ସେମାନେ ଦୁଇ ଭାଇ ; ତାର ତିନି ଭଉଣୀ | ବାପ ମା କାର୍ଯ୍ୟଦକ୍ଷ ; ଦାୟିତ୍ବବୋଧ ଜ୍ଞାନ ସମ୍ପନ୍ନ | ପରିବାରଟି ଆମ ଓଡିଶାର ଦୂର କୁଡୁମୁଲୂଗୁମା ଗାଁ ର ବାସିନ୍ଦା ନୁହଁ ; ଭୁବନେଶ୍ବର ପାଖ ନିମାପଡା ତହସିଲ ର | ଯୁବକଟି ଶିକ୍ଷିତ | ଗତ ବର୍ଷ ତା ମଝିଆଁ ଭଉଣୀ ବାହାଘର ପାଇଁ ସାରା ପରିବାର ଆବଶ୍ୟକ ଅର୍ଥ ଯୋଗାଡ କରିବା ପାଇଁ ଯେମିତି ହଇରାଣ ହରକତ ହେଇଥିଲେ ଆମେ ଦେଖି ଚିନ୍ତିତ ହେଇଥିଲୁ | କିଛି ପରିମାଣରେ ହାତବି ବଢେଇଥିଲୁ |

ସାନଭାଇ ଚାକିରୀ ଟିଏ ପାଇଲାନି ; ତାକୁ ମୁହଁ ଶୁଖେଇ ବୁଲୁଥିବା ଦେଖି ମୋ ପତ୍ନୀ ତାକୁ ବ୍ୟବସାୟ କରିବା ପାଇଁ ପ୍ରବର୍ତାଇଲେ ଓ କିଛି ସାହାଯ୍ୟ କଲେ | ମୋ କଥା ମାନି ଯୁବକଟି ଗାଁରେ ଇଟା ତିଆରି କଲା | ସେଇ ପଇସାକୁ ମୁଳଧନ କରି ବ୍ୟବସାୟ ଆଗକୁ ନବାକୁ ଉପଦେଶ ଦେଲି | ପକ୍କା ଘର ପରିବାର ର ନଥିଲା : ମୁ ବାଂକ୍ ବାବୁଂକୁ ରୂଣ ଦେବା ପାଇଁ ଅନୁରୋଧ କଲି ; ସେ ରାଜି ହେଲେ ; ଜମି କାଗଜ ଦେଖିଲେ |

ଜମି ତା ନାଁ ରେ ନାହିଁ କି ତା ବାପ ନାଁ ରେ ନାହିଁ | ସେହି ଅଂଚଳ ରେ ଜମି ବିକ୍ରୀର ରେଜିଷ୍ଟ୍ରେସନ ଓ ମ୍ୟୁଟେସନ କେଉଁ କାଳରୁ ବନ୍ଦ | ବାଂକ୍ ବାବୁ ରୂଣ ଦେଇ ପାରିଲେନି | ମୋ ସାହାଯ୍ୟରେ ଗୋଟିଏ ମାଇକ୍ରୋ ଫାଇନାନସ୍ ସଂସ୍ଥା ଋଣ ଦେଲେ ; ଯୁବକଟି ଅଧିକ ସୁଧଦେଇ ଋଣ ନେଲା ; ଘର କଲା ; ବର୍ତମାନ ଋଣ ପରିଶୋଧ କରୁଚି | କେବଳ ତାକୁ ଯେ ରୂଣ ମିଳୁନି ତାହା ନୁହେଁ ; ସେଇ ଅଂଚଳ ସାରା  ସେଇ ଅବସ୍ଥା | ବ୍ୟବସାୟ ପାଇଁ ଋଣ ନାହିଁ ; ଘର ତିଆରି ପାଇଁ ଋଣ ନାହିଁ | କାରଣ ଆମ ଜମି ଜମା ପ୍ରସଂଗ ବୁଝୁଥିବା ତହସିଲ ପ୍ରଶାସନ ଆଜି ବିଧ୍ବସ୍ତପ୍ରାୟ  |

ପୁରୁଣା ଭୁବନେଶ୍ବର ସହର ଓ ପୁରୀ ସହର ଏବଂ ପାଖ ଆଖ ଗାଁରେ ଅବସ୍ଥା ମଧ୍ୟ ତଦୃପ | ଶହଶହ ଭଦ୍ର, ପ୍ରତିଷ୍ଠିତ, ପୁରାତନ ପରିବାରଂକ ବାସଗୃହ ଜମି ଆଜି ଅଯଥା ବିବାଦରେ ଛନ୍ଦି ହେଇ ପଡିଛି କେବଳ ସରକାରଂକ ଅବିମନ୍ୟୁଷତା ଯୋଗୁଁ |ପରିସ୍ଥିତି ଦୃଷ୍ଟିରୁ  ଏକ ନ୍ୟାୟ ସମ୍ମତ ଆଇନ ପ୍ରଣୟନ କରିବା ପାଇଁ ନା ମାନସିକତା ଅଛି ନା ଦକ୍ଷତା |

ଅଧିକାଂଶ ପରିବାର କୋଟ କଚିରୀ ରୁ ରହତାଦେଶ ଆଣି ବସବାସ କରୁଛନ୍ତି | ଅନେକଂକ ପିଲାମାନେ ବିଦେଶରେ | ସେମାନେ ଏଇ ପେଂଚ ବୁଝି ପାରିବେନି ଓ ସବୁ ସମ୍ପତ୍ତି ଦଲାଲଂକ ହାତକୁ ଚାଲି ଯିବ | ଆମ ସରକାର ଗାନ୍ଧାରୀଙ୍କ  ଭଳି ଅନ୍ଧ ପୁଟୁଳି ଲଗେଇ ମେକ୍ ଇନ୍ ଓଡିଶା ଯାତ୍ରା ଆୟୋଜନ କରୁଛନ୍ତି | ଗାଲୁଆଂକ ବାରବାଟୀ ଚାଷ ଚାଲିଛି | ଓଡ଼ିଆ ପୁଅ ଝିଅ ନିଜ ଭିଟାମାଟି ର କବଲା ବା ପଟା ପାଇ ପାରୁନି ;ଋଣ  ପାଇ ପାରୁନି | ଏଇଟା ଆମ ପାରିବାର  ସରକାର ଦେଖି ପାରୁନି ?

ସେମାନେ ବେପାର କରିବେ କେମିତି ; ଘର ତୋଳିବେ କେମିତି : ଆଗକୁ ବଢିବେ କେମିତି ? " ଇଜ୍ ଅଫ୍ ଡୁଇଂଗ୍ ବିଜିନେସ୍ " ତାଲିକା ରେ ଆମ ରାଜ୍ୟ ତଳ କୁ ଚାଲିଗଲା ବୋଲି ଏତେ କୁମ୍ଭୀର କାନ୍ଦ କାହିଁକି | ଘରକୁ ସଜାଡିବାର ଯୋଗ୍ୟତା ତ ନାହିଁ ?
 
*******

1st November, 2016

No comments:

Post a Comment