Friday 10 August 2018

ଆମ ଓଡ଼ିଶାରେ ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷା ବ୍ୟବହାର

 
ଦୁଇବର୍ଷ ପୂର୍ବେ ଏଇ ତାରିଖରେ ଲେଖିଥିଲି ----

ଏଇ ମାସ (ଅଗଷ୍ଟ ) ୧୫ ତାରିଖ ବେଳକୁ ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷା ବ୍ୟବହାର ହେବା ବିଷୟ ଆଲୋଚନା ହେଉଛି | ମୋ ଭଳି ଅନେକେ କିନ୍ତୁ ଏହାର କାର୍ଯ୍ୟକାରିତା ସମ୍ପର୍କରେ ସନ୍ଦିହାନ | ତଥାପି ଏହି ପ୍ରସଙ୍ଗ ସମ୍ପର୍କରେ ଆଲୋଚନା ଅବ୍ୟାହତ ରହିଚି | ପ୍ରଶାସନରେ ମୁଖ୍ୟମନ୍ତ୍ରୀ ଯଦି ଓଡ଼ିଆ କହିପାରୁ ନାହାନ୍ତି ବା ଲେଖି ପାରୁନାହାନ୍ତି, ଓଡ଼ିଆ ଭାଷା ସରକାରୀ କାର୍ଯ୍ୟରେ କିପରି ବ୍ୟବହାର ହୋଇ ପାରିବ ମୁ ବୁଝି ପାରୁନାହିଁ | ଅତୀତ ଅନୁଭୂତିରୁ ଏହି ପ୍ରସଙ୍ଗରେ ଆଜି ଗୋଟିଏ କଥା ମନେ ପଡୁଛି | ମୁଁ ନଗର ଉନ୍ନୟନ ବିଭାଗର ସଚିବ ଥିଲି -- ଅଶୀ ଦଶକର ମଧ୍ୟ ଭାଗରେ | ଜାନକୀବାବୁ ମୁଖ୍ୟମନ୍ତ୍ରୀ ଥିଲେ ; ଦିନେ ପୂର୍ବାହ୍ନରେ ମୋତେ ଫୋନ କରି କଟକ ଲିଙ୍କରୋଡ଼ରେ ତିଆରି ହବାକୁ ଥିବା ଗୋଟିଏ ପୋଲ ନିର୍ମାଣ ଜଳସେଚନ ବିଭାଗ କରିବ ନା ପୂର୍ତ ବିଭାଗ କରିବ ଏହି ବାବଦରେ ମୋର ମତ ତତକ୍ଷଣାତ ଦେବା ପାଇଁ କହିଲେ | ସେତେବେଳେ ଫାଇଲରେ ଓଡିଆରେ ଟିପ୍ପଣୀ ଲେଖା ଯାଉଥିଲା | ଓଡ଼ିଆ ଲେଖିବା ଓ କହିବାରେ ସ୍ୱାଭିମାନ ବୋଧ ହେଉଥିଲା | ମୁ ହଠାତ କହିଲି " ରାସ୍ତା ଯାହାର ପୋଲ ତାହାର " | ଏଇ ମତ ଟି ବୋଧେ ତାଙ୍କୁ ଭଲ ଲାଗିଲା ; ସେ ଏହି ବାକ୍ୟଟିକୁ ଦୁଇଥର ଫୋନରେ ଦୋହରାଇଲେ ଓ ମତେ ଧନ୍ୟବାଦ ଦେଇ ଫୋନ ରଖିଲେ | ଏବେ ସେହିପରି ପରିସ୍ଥିତି ସମ୍ପର୍କରେ ଚିନ୍ତା ବି କରି ହେବନି | କାଲା ଆଗରେ ମୂଳା ଚୋବାଇବା ଭଳି ପରିସ୍ଥିତି ହବ | ହଁ , ଆଉ ଗୋଟେ ଗୁରୁତ୍ୱପୂର୍ଣ ଓ ଅଭିନନ୍ଦନୀୟ ନିଷ୍ପତ୍ତି ଓଡ଼ିଆ ଭାଷା ବ୍ୟବହାର ପାଇଁ ଜାନକୀବାବୁ ନେଇଥିଲେ | ସରଳ ଭାଷାରେ ନିର୍ଦେଶ ଦେଲେ " ଅମୁକ ତାରିଖ ପରେ ଯେଉଁ ଫାଇଲରେ ଓଡ଼ିଆରେ ପ୍ରସ୍ତାବ ଆସି ନଥିବ, ସେହି ଫାଇଲ ଗ୍ରହଣ କରାଯିବ ନାହିଁ |" ଏହି ନିଷ୍ପତ୍ତି ପରେ ଓଡ଼ିଆ ଭାଷା ବ୍ୟବହାର ଆପେ ଆପେ ବଢି ଗଲା | ଆମେ କେବେ ଭାବି ବି ପାରିବା ଯେ ନବୀନ ବାବୁ ଏମିତି ଗୋଟିଏ ନିଷ୍ପତ୍ତି ନେଇ ପାରିବେ? ତେଣୁ, ଆମକୁ ବାସ୍ତବବାଦୀ ହବାକୁ ପଡିବ ଏବଂ ଭାଗ୍ୟକୁ ଆଦରି ରହିବାକୁ ହବ |

******   

No comments:

Post a Comment