Monday 27 August 2018

ଭୁବନେଶ୍ବରରେ ହକି ଖେଳ


ଅନେକ ବନ୍ଧୁଙ୍କ ମତହେଲା ଆନ୍ତର୍ଜାତିକ ହକି ପ୍ରତିଯୋଗିତା ଆୟୋଜନ ରେ ବିପୁଳ ରାଜସ୍ବ ବ୍ୟୟ କରିବା ହକିଖେଳ ର ଉନ୍ନତିରେ ସହାୟକ ହେବ ଏବଂ ଏଭଳି କାର୍ଯ୍ୟକ୍ରମ ରାଜ୍ୟ ପାଇଁ ମଙ୍ଗଳକର | ଏସମ୍ପର୍କରେ ଭାବବିହ୍ୱଳ ନହୋଇ ଆମେ କେତୋଟି ବିଷୟ ପ୍ରତି ଧ୍ୟାନ ଦେବା ଆବଶ୍ୟକ | ବିପୁଳ ଅର୍ଥ ବ୍ୟୟ କରି ; ବିଜ୍ଞାପନ ପ୍ରକାଶ କରି ଆମେ ଖେଳର ମାନ ବୃଦ୍ଧି କରିବା ସମ୍ଭବ ନୁହେଁ | ଭୁବନେଶ୍ବରରେ ହକି ପାଇଁ ଯେତେ ସରକାରୀ ଅର୍ଥ ବ୍ୟୟ ହେଲାଣି ତାର ପ୍ରଭାବ ଭୁବନେଶ୍ୱର ଓ ଆଖପାଖ ଅଂଚଳର ଖେଳପଡିଆରେ କାଣିଚିଏ ମାତ୍ର ଦେଖାଯାଏନି | କଳିଙ୍ଗ ଷ୍ଟାଡିୟମ କେନ୍ଦ୍ରିତ ତଥାକଥିତ ସରକାରୀ ବ୍ୟୟବହୁଳ ତତ୍ପରତା ସୁନ୍ଦରଗଡ ଜିଲାର ହକି ର ଗୁଣବତ୍ତା ବୃଦ୍ଧି କରିନାହିଁ | ଆଜି ଆମ ରାଜ୍ୟର ପ୍ରବୀଣ ହକି ଖେଳାଳି କଳିଙ୍ଗ ଷ୍ଟାଡିୟମ ପ୍ର୍ରାଙ୍ଗଣରୁ ଆବିର୍ଭାବ ହୋଇ ନାହାନ୍ତି |
ଝାଡ଼ଖଣ୍ଡ ଏବଂ ଓଡ଼ିଶାର କେତେକ ଅଂଚଳରେ ହକିଖେଳ ପ୍ରତି ପିଲାମାନଙ୍କର ପ୍ରବଳ ଆନୁଗତ୍ୟ ରହିଛି ; ଏବଂ ଗାଁ ପଡିଆରେ ପିଲେ ପିଲାଦିନୁ ହକି ଖେଳି ଆସୁଛନ୍ତି | ଗୋଟିଏ ଘଟଣା ଏସମ୍ପର୍କରେ ମନେପଡୁଛି | ରାଜ୍ୟ ସରକାର କ୍ରୀଡା ବିଭାଗଙ୍କ ଆନୁକୂଲ୍ୟରେ ୧୯୮୫ ମସିହାରେ କ୍ରୀଡା ଛାତ୍ରାବାସ ଯୋଜନା ଆରମ୍ଭ ହୋଇଥିଲା | ବସନ୍ତ ବିଶ୍ୱାଳ ପ୍ରଥମ କ୍ରୀଡା ମନ୍ତ୍ରୀ ଥିଲେ ଏବଂ ମୁଁ ପ୍ରଥମ ସଚିବ ଭାବରେ କାର୍ଯ୍ୟ କରିଥିଲି | କିଛିବର୍ଷ ପୂର୍ବରୁ ପାନପୋଷ ରେ ଟାଟା କମ୍ପାନୀର ଡୋଲମାଇଟ ଖଣି ସହିତ ସମ୍ପୃକ୍ତ କେତୋଟି କୋଠାବାଡି ସରକାରଙ୍କୁ ହସ୍ତାନ୍ତର କରାଯାଇଥିବା ପରେ ମଧ୍ୟ ଅବ୍ୟବହୃତ ଅବସ୍ଥାରେ ଥିଲା | ଏଲ ଆଇ ପରିଜା ମୁଖ୍ୟସଚିବ ଥିବାବେଳେ ଏହି ସମ୍ପତ୍ତି କୁ କ୍ରୀଡାବିଭାଗ କୁ କ୍ରୀଡା ଛାତ୍ରାବାସ କରିବା ପାଇଁ ହସ୍ତାନ୍ତର କରିବା ପାଇଁ ମୁଁ ପ୍ରସ୍ତାବ ଦେଲି ଏବଂ ମୁଖ୍ୟସଚିବ ଏହାକୁ ଅନୁମୋଦନ କରିଥିଲେ | ଆମ ରାଜ୍ୟରେ ହକି ଖେଳ ର ଉନ୍ନତି ସହିତ ପାନପୋଷ ସ୍ପୋର୍ଟସ ହଷ୍ଟେଲ ର ସମ୍ପର୍କ ଅତ୍ୟନ୍ତ ନିବିଡ | ଏହା ସମସ୍ତେ ସ୍ୱୀକାର କରିବେ | ମୋର ସ୍ପଷ୍ଟ ମତ ହେଲା ରାଜ୍ୟ ସରକାର ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରର ହକି ପ୍ରତିଯୋଗିତା ରାଉରକେଲା , ସୁନ୍ଦରଗଡ ଭଳି ସ୍ଥାନ ମାନଙ୍କରେ ଆୟୋଜିତ କରିବା ଅଧିକ ଉପଯୋଗୀ ହୋଇଥାନ୍ତା |ଚକମକ ଆୟୋଜନ ; ବିଶାଳ ବିଜ୍ଞାପନ; ଅନାବଶ୍ୟକ ଅର୍ଥ ବ୍ୟୟ ; ବିପୁଳ ଅପଚୟ ଦ୍ୱାରା କ୍ରୀଡାର ମାନ ବୃଦ୍ଧି ହୁଏନି | ଏସମ୍ପର୍କରେ ସ୍ଥିର ଚିତ୍ତରେ ବିଚାର ଆବଶ୍ୟକ |
କଟକ ବାରବାଟୀ ଷ୍ଟାଡିୟମରେ କେତେବର୍ଷ ଧରି ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରର କ୍ରିକେଟ ଖେଳ ହୋଇଛି ; କେବେ ରାଜନୈତିକ ଉନ୍ମାଦନା ବା ସରକାରୀ ଅପଚୟର ତାଣ୍ଡବ ଦେଖା ଯାଇ ନଥାଏ | କଳିଙ୍ଗ ଷ୍ଟାଡିୟମ କ୍ଷେତ୍ରରେ ମଧ୍ୟ ସେହିଭଳି ଆଭିମୁଖ୍ୟ ଶୋଭନୀୟ ହେବ | ହକି ପ୍ରସିଦ୍ଧି ଲାଭ କରୁ ; ଆମ ରାଜ୍ୟ ଉନ୍ନତ ମାନର ହକି ଖେଳ ପାଇଁ ସୁଯୋଗ ସୃଷ୍ଟି  କରୁ ; କିନ୍ତୁ ଏଠି ରାଜନୀତି କୁ ପ୍ରାଧାନ୍ୟ ଦିଆ ନଯାଉ ; ସର୍ବସାଧାରଣ ଙ୍କ ପଇସା ପାଣିଭଳି ବୋହି ନଯାଉ | ଅପଚୟ ଉପରେ ଅଙ୍କୁଶ ଲାଗୁ |

*********  

No comments:

Post a Comment