Tuesday 21 August 2018

ଆଜି ସକାଳ ହାଟରେ ପରିବା କିଣା

ସନାତନ ଆଜି ଆମ ଘରପାଖ ବଡ଼ଗଡ଼ ହାଟକୁ ଫୁଲନଖରା ପାଖ ଗାଁ ବିଲରୁ ଫୁଲକୋବି ଆଣିଥିଲା | ଅଖାରୁ ବାହାରକରି ଭଲ ଦୁଇଟି କୋବି ବାଛି ମୋତେ ଦେଲା | ଅନ୍ୟ ଗ୍ରାହକ ଥିଲେ ; କୋବି ଦାମ କହିଲାନି | ସେମାନଙ୍କୁ ବିଦା କଲା ପରେ ମୋ ଆଡକୁ ନଜର ପକେଇ ଅନ୍ୟ ପରିବା ନେବା ବିଷୟ ପଚାରିଲା |

 ଆଜି ତା ପସରାରେ ଅନେକ ପ୍ରକାର ସଜ ପରିବା ଦେଶୀ ଖୁସି ଲାଗିଲା | କାକୁଡି ଗୁଡିକ ଏକଦମ କଷି | ବିଲାତି ବାଇଗଣ ବି ତାଜା ଦିଶୁଥାଏ | ଭଲ କାଙ୍କଡ଼ ଆଣିଥିଲା | ଗୋଟିଏ ଜାଗାରୁ ପ୍ରାୟ ସବୁ ପ୍ରକାର ର ଦରକାରୀ ପରିବା ମିଳୁଥିବା ଦେଖି ମୁଁ ଖୁସି ହେଲି | କଂଚା ଲଙ୍କା ବି ଭଲ ଦିଶୁଥିଲେ | ସବୁ କିଣା ସରିଲା | ସନାତନକୁ କୋବି ଦାମ ପଚାରିଲି | ସେ ଅନ୍ୟମାନଙ୍କୁ ଗୋଟାକୁ ଚାଳିଶ ଦରରେ ବିକୁଥିଲା | କେତେ ଗ୍ରାହକ ଦାମ ବେଶୀ କହି ଚାଲିଗଲେ | ଜଣେ ଦିଜଣ କିନ୍ତୁ ମୋ ଆଗରେ କିଣିଥିଲେ | ମୋତେ ଦୁଇଟି ଫୁଲ ପାଇଁ ସତୁରି ଟଙ୍କା ଦେବାକୁ କହିଲା |

 ତା ହିସାବ କରି ପଇସା ଦେବାପରେ ଅନ୍ୟ ପସରା ପାଖକୁ ଗଲି | ତିନି-ଚାରି କିଲୋ ପାଚିଲା ବୋଇତି କଖାରୁ କିଣିବାକୁ ମୋତେ ଭଲ ଲାଗେ ; ଆଜି ପାଖ ପସରାରେ ପାଇଲି | ସେଇ ବିକାଳୀ ପାଖରେ ଭଲ କଂଚା ଅମୃତଭଣ୍ଡା ବି ଥିଲା | ତାକୁ କିଣିଲି | ଦେଖିଲି ହାଉସକିପର ଖୁସି ହେଉନି | ସେ ପୋଟଳ କିଣିବାକୁ ଚାହୁଁଥିଲା | ମୁଁ ମନା କରିଥିଲି କାରଣ ପୋଟଳ ଦର ଆଜି ଅଶୀ ଟଙ୍କା କିଲୋପିଛା ଆଉ କିଲେ ଓପରକୁ ଓଜନର ଗୋଟିଏ ଅମୃତଭଣ୍ଡା ଆଜି ଚାଳିଶ ଟଙ୍କାରେ ମୁଁ କିଣିଲି | ଦାମିକା ପରିବାରେ ବେଶୀ ଭିଟାମିନ ଥାଏ ବୋଲି ସେ ଭାବେ |

 ଯାହାହେଉ , ଆଜି ପରିବା କିଣା ଅନୁଭୂତି ଭଲ ଲାଗିଲା | ଘରେ ହିସାବ କଲି , ମୋଟ ଖର୍ଚ ହେଲା ଚାରିଶହ ଷାଠିଏ ଟଙ୍କା | ଗୃହିଣୀ ମୋ ଭାବଭଙ୍ଗୀ ଦେଖି କହିଲେ " ମନେ ପଡୁଛି ଚାକିରୀ ଆରମ୍ଭର ମାସିକ ପାଂଚଶହ ଟଙ୍କା ଦରମାରେ ମାସର ଘର ଚଳେଇବା କଥା |"

*******

21st August, 2018

No comments:

Post a Comment