Saturday 4 August 2018

ପଡୋଶୀ ଭାଇନାଙ୍କ ଘରେ ନଳକୂପ ଖୋଳା


ସହରର ଏହି ଅଂଚଳରେ ତିନି ଦଶନ୍ଧି ହେଲା ଘର ତିଆରି କରି ଆମ ପଡୋଶୀ ଓ ଆମେ ଚଳି ଆସୁଛୁ | ପଡୋଶୀ ଭାଇନାଙ୍କ ବୟସ ଏକାନବେ ; କିନ୍ତୁ ସେ ସମ୍ପୂର୍ଣ୍ଣ ସୁସ୍ଥ , ଚଂଚଳ | ଭାଇନା ମଜାଳିଆ ସ୍ୱଭାବର | ଦିନେ ମୋତେ କହିଲେ ," ସରକାରଙ୍କ ସର୍ବୋଚ୍ଚ ଇଂଜିନିୟର ଭାବରେ କାମକରି ଅବସର ନେବାବେଳକୁ ଯେତେ ଦରମା ପାଉଥିଲେ ଏବେ ତା' ଅପେକ୍ଷା ଅଧିକ ଟଙ୍କା ପେନସନ ଭାବରେ ପାଉଛନ୍ତି | ଯେତେ ଖର୍ଚ୍ଚ କଲେ ବି ବଳୁଛି |"
ଆମ ଘର ନଡ଼ିଆ ଗଛର ବାହୁଙ୍ଗା ତାଙ୍କ ଘର କାନ୍ଥ ଛୁଇଁବା ମାତ୍ରକେ ଭାଇନା ଖବର ଦେବେ ; ନହେଲେ ଫୋନ କରିବେ | ଆମେ ଶୀଘ୍ର ଲୋକ ଯୋଗାଡ କରିବୁ ଆଉ ବାହୁଙ୍ଗା କଟା ହବ | ତାଙ୍କ ଘର ଆମ୍ବ ଭାରି ମିଠା | ଭାଇନା , ନହେଲେ ତାଙ୍କ ପୁଅ , ନିଶ୍ଚୟ ଆମ ଘରକୁ ଗୁଡ଼େ ଆମ୍ବ ପଠେଇବେ | ଆମ ସମ୍ପର୍କ ନିତାନ୍ତ ମଧୁର |
ଭାଇନା ନିଜ ଘର ଛାତ ଉପରେ ବୁଲିବା ଭଲ ପାଆନ୍ତି | କେତେ ବର୍ଷ ତଳେ ସକାଳେ ଓ ସନ୍ଧ୍ୟାରେ ଛାତରେ ବୁଲୁଥିବା ଦେଖୁଥିଲି | ସକାଳେ ମୁଁ ବୁଲା ସାରି ଘରକୁ ଫେରିବାବେଳେ ସେ ମୋତେ ଛାତ ଉପରୁ ଅଭିବାଦନ ଜଣେଇ ନିଜ ଉପସ୍ଥିତି ଜଣେଇବେ | ମୁଁ ନମସ୍କାର କରିବି ; ସେ ପ୍ରତି ନମସ୍କାର କରିବେ | ଆମେ ଦି ପଦ କଥାବାର୍ତ୍ତା ହେବୁ | ଏବେ ତାଙ୍କୁ ସକାଳେ ଦେଖୁନି | ବେଳେବେଳେ ସନ୍ଧ୍ୟାବେଳେ ଛାତ ଉପରେ ବୁଲୁଥିବା ଦେଖେ |
ଭାଇନା ପାନ ପ୍ରିୟ | ନିଜେ ଭାଙ୍ଗନ୍ତି | ପାନକୁଟାରେ ଗୁଣ୍ଡ କରନ୍ତି | ପାନକୁଟା ଶବ୍ଦ ଆମ ଘରକୁ ଶୁଭେ | ଆମେ ଜାଣୁ ସେ ସୁସ୍ଥ ଅଛନ୍ତି |
କାଲି ସନ୍ଧ୍ୟା ବେଳୁ ତାଙ୍କ ଘରେ ଗୋଟେ ନଳକୂପ ଖୋଳା ଚାଲିଛି | ଆଜି ସେ ବିଷୟରେ ତାଙ୍କ ପୁଅଙ୍କ ସାଙ୍ଗରେ କଥାବାର୍ତ୍ତା ହେଲି | ହଠାତ ନଳକୂପର ଆବଶ୍ୟକତା କାହିଁକି ହେଲା ପଚାରିଲି | ପାଣି ବ୍ୟବସ୍ଥା କୁ ସୁଦୃଢ କରିବା ପାଇଁ ସରକାର ଏବେ ବହୁତ ଖୋଳା ଖୋଳି କରୁଥିବା କଥା କହିଲି | ସେ କିନ୍ତୁ ଏ ବିଷୟକୁ ଗୁରୁତ୍ୱ ନଦେଇ ତାଙ୍କ ଘରକୁ କେମିତି ପନ୍ଦର ଦିନ ହେଲା ଟୋପେ ପାଣି ଆସୁନଥିବା କହିଲେ | ବଡ ଅସୁବିଧାରେ ସେମାନେ ଥିଲେ | ନଳକୂପର ବିକଳ୍ପ ଆଉ କିଛି ନଥିଲା | ମୁଁ ତଥାପି କହିଲି " ଆମ ଘର କଡରେ ପାଇପ ପଡ଼ିଲାଣି ; ଆଉ ଅଳ୍ପ ଦିନରେ ପର୍ଯ୍ୟାପ୍ତ ପାଣି ଆସିବ |" ସେ ହସିଲେ | |
ମୋତେ ଅମୃତ ଯୋଜନା କଥା କହିଲେ | ତିନିମାସ ତଳେ ଜଣେ ଆସି ତାଙ୍କୁ କହିଲା, " କାଲି ଜେସିବି ମେସିନ ଆସି ଆପଣଙ୍କ ଘର ସାମନା ଲେନ ର ଉଭୟ ପାଖ ଖୋଲିବ ; ସାଙ୍ଗେସାଙ୍ଗେ ମୋଟା ପାଇପ ଉଭୟ ପାର୍ଶ୍ଵରେ ଖୋଳା ନାଳ ଭିତରେ ପୁରାଯିବ | ପ୍ରତ୍ୟେକ ଘରକୁ ମେନ ପାଇପରୁ କନେକ୍ସନ ଦିଆ ଯିବ | ତାପରେ ଖୋଳାଖୋଳି ଯୋଗୁଁ ଖଣ୍ଡିଆ ଖାବରା ରାସ୍ତାକୁ କଂକ୍ରିଟ କରାଯିବ | ମାସକ ଭିତରେ ସବୁ ହେଇଯିବ | ସବୁ ଘରକୁ ପର୍ଯ୍ୟାପ୍ତ ପାଣି ଆସିବ |"
ସତକୁ ସତ, ପରଦିନ ମେସିନ ଆସିଲା; ଅନ୍ଧ ଓ ମାତାଲ ଭାବରେ ଖୋଳି ଦେଇ କାହାଘରର ନର୍ଦ୍ଦମା ପାଇପ କୁ କଣା କରିଦେଲା ତ ଆଉ କାହାର ପାନୀୟ ଜଳ ପାଇପକୁ ଭାଙ୍ଗି ଦେଲା | ତାକୁ ମରାମତି ଅବଶ୍ୟ ସେମାନେ କଲେ ; କିନ୍ତୁ ବହୁତ ପାଟିତୁଣ୍ଡ ହେବା ପରେ | କିନ୍ତୁ ଆମ ଲେନରେ ମେନ ପାଇପ ଫାଟିଗଲା ଓ ତିନିମାସ ହେଲା ପାଣି ସପ୍ଲାଏ ହେବା ମାତ୍ରେ ଲେନ ଜଳପ୍ଲାବିତ ହେଲା; ଆମ ଘରକୁ ପାଣି ଆସିବା ପ୍ରାୟତଃ ବନ୍ଦ ହେଲା | ଯେତେ ଯାହାକୁ କହିଲେ ବି ଫଳ ମିଳିନାନି |
ଏଇ ପନ୍ଦର ଦିନ ହେବ ପାଣି ମୋତେ ଆସୁନି | ଅମୃତ ଯୋଜନା କାମ କରୁଥିବା ଠିକାଦାର କୁଆଡେ ଅନ୍ତର୍ଧ୍ୟାନ ହେଲେଣି | କିଏ କହୁଛି ଗୋଟେ ଠିକାଦାର ସମଗ୍ର ଡିଭିଜନ କାମ ନେଇଛି ଆଉ ସବୁଠି ଏମିତି ଅବ୍ୟବସ୍ଥା ସୃଷ୍ଟି କରିଛି |
ଇଏ ହେଲା ଆମ ଅମୃତ ଯୋଜନା | ଏଇ ଯୋଜନାକୁ ଚାହିଁ ରହିଲେ ଅମରତ୍ୱ ପ୍ରାପ୍ତି ଅସମ୍ଭବ ; କିନ୍ତୁ ଆସନ୍ନ ମୃତ୍ୟୁ ନିଶ୍ଚିତ | ତେଣୁ ଆଜି ଆମେ ଏଇ ନଳକୂପ ଖୋଳା ଯୋଜନାରେ ବ୍ୟସ୍ତ |"
ତାଙ୍କ କଥା ଶୁଣି ମୁଁ ଭାବିଲି ." ଭାଇନାଙ୍କ ଆର୍ଥିକ ଅବସ୍ଥା ଭଲ ; ସିଏ ନଳକୂପ ବ୍ୟବସ୍ଥା କରି ପାରିଲେ ; କିନ୍ତୁ ସମସ୍ତଙ୍କ ପକ୍ଷରେ ଏହା ସମ୍ଭବ ନୁହେଁ | ସେମାନଙ୍କ ଅସୁବିଧା କିଏ ଶୁଣିବାକୁ ନଥିବ ; ତାଙ୍କର ନଳକୂପ ପାଇଁ ସମ୍ବଳ ନଥିବ | ସେମାନେ ବଂଚିବେ କେମିତି ?
ସବୁଦିନ ନୂଆନୂଆ ଯୋଜନା ଘୋଷଣା ହେବାରେ ଲାଗିଛି ; ଆମ ସରକାରଙ୍କ ପାରିବାପଣିଆ ପ୍ରଚାର ଜଙ୍ଗଲ ନିଆଁ ଭଳି ହୁହୁ କରି ବଢି ଚାଲିଛି ; ନୂଆନୂଆ ଠିକା ଦିଆ ଯାଉଛି ; ନୂଆ ଠିକାଦାର ଆସୁଛନ୍ତି | ଆମ ସରକାରଙ୍କ ଆକାର ବଢି ଚାଲିଛି ; ମଣିଷ ଆକାର ଛୋଟ ହେଇ ଯାଉଛି ; ପ୍ରଚାର ବେଶୀ ଶବ୍ଦ କରୁଛି ; ମଣିଷ ର ସ୍ୱର କ୍ଷୀଣ ହେଇ ଯାଇଛି |
*********

No comments:

Post a Comment