Thursday 23 August 2018

ଅବ୍ୟବସ୍ଥାର ଚକ୍ରବ୍ୟୁହ



ଅବ୍ୟବସ୍ଥାର ଚକ୍ରବ୍ୟୁହ


ମୋର ଜଣେ ଘନିଷ୍ଠ ବନ୍ଧୁ ଏବଂ ଆମ ରାଜ୍ୟର ଜଣେ ପ୍ରତିଷ୍ଠିତ ବ୍ୟକ୍ତି ଗତକାଲି ନିଜ ଅନୁଭୁତି କହୁଥିଲେ | ଆମ ସହରର ଗୋଟିଏ ପ୍ରମୁଖ ମାର୍ଗରେ ଆମେ ଦିହେଁ ଗୋଟିଏ ଗାଡିରେ ଏକ କାର୍ଯ୍ୟାଳୟରୁ ଫେରୁଥାଉ ; ଭିଡ ଯୋଗୁଁ ଗାଡିଚାଳକ ସଂତର୍ପଣତା ଅବଲମ୍ବନ କରି ଗାଡିକୁ ଧୀରେ ଚଳାଉଥିବା ଫଳରେ ବନ୍ଧୁ ନିଜ ଅନୁଭୁତି ବିସ୍ତାର ଭାବରେ କହିବା ସୁଯୋଗ ପାଇଲେ |

 ବନ୍ଧୁ ମୋର ଆଦର୍ଶବାଦୀ ଏବଂ ଦୁର୍ନୀତି ସହିତ ସଲାସୁତୁରା କରି ଆରାମରେ ରହିବା ଦୃଷ୍ତିଭଂଗୀ ତାଂକର କେବେ ନଥାଏ | ଅନେକ ବର୍ଷ ପୂର୍ବର ଘଟଣା | ଆମ ସହରରେ ନିଜ ଜମିରେ ଘର ନିର୍ମାଣ ପାଇଁ ସ୍ଥପତିଂକ ସହାୟତାରେ ଘରପାଇଁ ନକ୍ସା ପ୍ରସ୍ତୁତ କଲେ ; ସମ୍ପୃକ୍ତ ଅଫିସ ଅନୁମୋଦନ ପାଇଁ ଆବଶ୍ୟକ ବ୍ୟବସ୍ଥା ସ୍ଥପତି କରି ନ ପାରିବା ହେତୁ ନକ୍ସା ଅନୁମୋଦନରେ ବିଳମ୍ବ ହେଲା | 

ବର୍ଷା ମାସ ଆସନ୍ନ ; ଅଗତ୍ୟା ମୋ ବନ୍ଧୁ ନିହ ଖୋଳା ଆରମ୍ଭକଲେ ଏବଂ ଅଚାନକ ଜଣେ ଆହତ କର୍ମଚାରୀ ଦାଉ ସାଧିବା ଉଦ୍ଦେଶ୍ୟରେ ଘର ନିର୍ମାଣ ଆରମ୍ଭ ବିନା ଅନୁମତିରେ ହେଉଥିବା ତାଂକ ନଥିରେ ଉଲ୍ଲେଖ କଲେ | ମାତ୍ର ଟଂକା ପାଂଚଶହ କଥା | ମାମଲା ଲେଡି ଗୁଡ କହୁଣୀ କୁ ଗଡିଗଲା ଭଳି ହେଲା | ନକ୍ସା ଅନୁମୋଦନ ହେଲା ନାହିଁ | ମୋ ଆଦର୍ଶବାଦୀ ବନ୍ଧୁ ଧାଁ ଦୌଡ କଲେ ; ଜଣେ ପ୍ରତିଷ୍ଠିତ ଏବଂ ପରିଚିତ ବ୍ୟକ୍ତିଂକ ସାହାଯ୍ୟ ଚାହିଁଲେ | ସେ ଗୋଟିଏ ପ୍ରଖ୍ୟାତ ଅନୁଷ୍ଠାନର ସ୍ଥାନୀୟ ମୁଖ୍ୟଥିବା ସତ୍ତ୍ବେ ମାମଲାର ସମାଧାନ ପଇସା ଦେଇ କରାଇ ନେବାକୁ ପରାମର୍ଶ ଦେଲେ | 

ନିରାଶ ବନ୍ଧୁ ତାଂକ ଅନ୍ୟ ବନ୍ଧୁମାନଂକ ପରାମର୍ଶ ନେଲେ | ସମସ୍ତେ ବିନା ଅନୁମୋଦନରେ ଘର ତିଆରି କରିବା ସପକ୍ଷରେ ମତ ଦେଲେ ଏବଂ କହିଲେ ଆମ ଭୁବନେଶ୍ବରରେ ମାତ୍ରାଧିକ ସରକାରୀ ଦୌରାତ୍ମ୍ୟ ଫଳରେ ନୈରାଶ୍ୟର ଶିକାର ହୋଇ ସାଧାରଣ ବ୍ୟକ୍ତି ଏହିମାର୍ଗ ଅବଲମ୍ବନ କରୁଚି ଏବଂ ମୋ ବନ୍ଧୁ ମଧ୍ୟ ସେହି ମାର୍ଗ ଅବଲମ୍ବନ କରିବା ବୁଦ୍ଧିମାନର କାମ ହେବ | ବନ୍ଧୁ ଉଦ୍ବୁଦ୍ଧ ହୋଇ ଘରତୋଳା ସାରିଲେ | ତା'ପରେ ଚାତକ ମେଘକୁ ଅନେଇ ରହିଲା ଭଳି ବନ୍ଧୁ ଆମ ଭୋଟ ରାଜନୀତିର ଏକ ଅବୈଧ ସନ୍ତାନ " ସର୍ବ କ୍ଷମା ବ୍ୟବସ୍ଥା" ର ଜନ୍ମ ଅପେକ୍ଷାରେ ରହିଲେ ଯେମିତି ଆମ ସହରର ଶହଶହ ଲୋକେ ରହିଥିଲେ |

 ଯୋଜନା ଆସିଲା l ବନ୍ଧୁଂକ କ୍ଷେତ୍ରରେ ଏହି ବ୍ୟବସ୍ଥା ଲାଗୁ କରାଗଲା | ମୋ ବନ୍ଧୁ ଅଗତ୍ୟା ଧାର୍ଯ୍ୟ ପରିମାଣ ଏକ ଲକ୍ଷ ଚାରି ହଜାର ଟଂକା ପୈଠ କରି ଦୋଷମୁକ୍ତି ଆନନ୍ଦ ଉପଭୋଗ କଲେ | କିନ୍ତୁ ଏହି ମାତ୍ରାଧିକ ଅର୍ଥଦଣ୍ଡ ତାଂକୁ ବ୍ୟଥିତ କରିଥିଲା | 

କିନ୍ତୁ ହଠାତ ଏକ ଚମତ୍କାର ହେଲା | ଭୋଟ ଲାଭ ଆଶାରେ ସମସ୍ତଂକ ପାଇଁ ଜୋରିମାନା ପରିମାଣ ଅଧା କମେଇ ଦିଆଗଲା | ମୋ ବନ୍ଧୁ ଆଶ୍ଚର୍ଯ୍ୟ ହେଲେ ଯେତେବେଳେ ମାତ୍ର ଅଳ୍ପ ପରିଶ୍ରମରେ ସେ ବାବନ ହଜାର ଟଂକା ଫେରିପାଇଲେ | 

ଏଇ ହେଲା ଆମ ତୃଣମୂଳ ସ୍ଥରର ପ୍ରଶାସନ ର ମାନ | ଏହି ନିର୍ଦ୍ଦୟ , ଅବିମନୁଷ୍ୟତା ପ୍ରବଣ ବ୍ୟବସ୍ଥାର ଚକ୍ରବ୍ୟୁହ ଭିତରେ ଆମେ ସବୁଦିନେ ପେଶି ହେଉଚେ; ଅଥଚ ଆମ ଜନକଲ୍ୟାଣ ବ୍ୟବସ୍ଥାର କଳେବର ପ୍ରତିଦିନ ବଢି ଚାଲିଚି ; ନେତା ପୁରସ୍କୃତ ହେଉଛନ୍ତି ; ତାଂକ ଯଶ ଗାନ ହେଉଚି | ଏହି ନାଟକ ସବୁଦିନ ଆମ ଭୁବନେଶ୍ବରରେ ମଂଚସ୍ଥ ହେଉଚି | ଅସଂଖ୍ୟ ଲୋକେ କାଂଦୁଚନ୍ତି ; କେବଳ କେତେ ହସୁଚନ୍ତି |

******
23rd August, 2017

No comments:

Post a Comment