Sunday 12 August 2018

କୃପଣ -- ଏକ ଅଣୁଗଳ୍ପ


ଅନେକେ ତାକୁ କୃପଣ କୁହନ୍ତି | ସେ ମୋ ପାଇଁ ସମ୍ପୂର୍ଣ୍ଣ ଅଜଣା ନଥିଲା | ମୁଁ ତାକୁ ଦିନେ ଭେଟିଲି; କଥାବାର୍ତ୍ତା ହେଲି | ଲୋକଟିର ସ୍ୱଭାବ ବିଷୟରେ କେତେ କଥା ଜାଣିଲି | କ୍ରମଶଃ ଆମେ ସାଙ୍ଗ ହେଲୁ ; ତାର ବେଶୀ ସାଙ୍ଗ ନଥିଲେ | ସତ କହୁବାକୁ ଗଲେ, ସେ ପ୍ରାୟ ନିଃସଙ୍ଗ ଥିଲା | ଆମ ଦିହିଁଙ୍କର ଆନ୍ତରିକତା ବଢି ଚାଲିଲା | ମୁଁ ଦିନେ ତାକୁ କହିଲି , " ତୁମକୁ ଅନେକେ କୃପଣ କୁହନ୍ତି |" ସେ ଶୁଖିଲା ହସ ଟିଏ ହସି କହିଲା, " ମୁଁ ଜାଣିଚି ; କିନ୍ତୁ ତୁମେ ତ ମୋ ସାଙ୍ଗ ହେଇଚ ; ତୁମେ କହୁନ ମୁଁ କୃପଣ କି ନାହିଁ ?" ସେ ମୋତେ ପାଲଟା ପ୍ରଶ୍ନ ପଚାରିବା ସମ୍ଭାବନା ମୋ ମୁଣ୍ଡକୁ ଢୁକି ନଥିଲା | ମୁଁ ଅପ୍ରସ୍ତୁତ ହେଇଗଲି ; କିଛି ସମୟ ପରେ ପ୍ରକୃତିସ୍ଥ ହେଇ କହିଲି ," ତୁମେ ଜାଣିଛ କୃପଣ କିଏ ? ଆମ ତେଲ-ଲୁଣ ସଂସାରରେ କିଏ କେମିତି ଖର୍ଚ କଲା ସେଇଟା ବଡ କଥା ନୁହେଁ | କିଏ ଆନନ୍ଦ ବା ଖୁସି କୁ କେମିତି ବାଂଟୁଛି ତାହା ଗୁରୁତ୍ୱପୂର୍ଣ୍ଣ | କେତେ ଲୋକ ଅଛନ୍ତି ଘର ଭିତରେ ନିଜକୁ କିଳି ଖୁସି ରୁହନ୍ତି ; କାଣିଚିଏ ଖୁସି ବାହାରେ ବାଣ୍ଟନ୍ତିନି | ପ୍ରକୃତ ରେ ସେଇମାନେ କୃପଣ | ତୁମେ ତ ସବୁଦିନ ଖୁସି ବାଂଟୁଚ ; ତୁମେ କାହିଁକି କୃପଣ ହବ ?" ତାକୁ କଥାଟା ଭଲ ଲାଗିଲା | ସେ କହିଲା ," ଆମ ଦୁନିଆରେ ଖୁସି ବାଣ୍ଟିଲେ ଅନେକ ଦୁଃଖ କମି ଯାଆନ୍ତା ନି !" ମୁଁ ହଁ କହିଲି | ଦେଖିଲି ତା ଆଖି ଛଳଛଳ ହେଇ ଆସୁଛି |
***** 

No comments:

Post a Comment