Saturday 11 August 2018

ଆମ ଓଡ଼ିଶାର ସାମ୍ପ୍ରତିକ ରାଜନୈତିକ ପାଣିପାଗ


ଗତକାଲି ରାଜ୍ୟର ଅନ୍ୟତମ ବରିଷ୍ଠ ନେତା ଏବଂ ରାଜ୍ୟ କଂଗ୍ରସ ସଭାପତି, ନିରଞ୍ଜନ ପଟ୍ଟନାୟକ, ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଟ୍ୱିଟ କରିଛନ୍ତି | ସାମ୍ପ୍ରତିକ ରାଜନୈତିକ ଗତିବିଧି ପରିପ୍ରେକ୍ଷୀରେ ସେ ବିଜେପିର ରାଜ୍ୟ ତୁଙ୍ଗନେତା ଦୁଇଜଣଙ୍କୁ ଏବଂ ନିକଟରେ ବିଜେଡି ଛାଡିଥିବା ଲୋକପ୍ରିୟ ବୈଜୟନ୍ତ ପଣ୍ଡାଙ୍କୁ କଂଗ୍ରେସରେ ଯୋଗ ଦେବାପାଇଁ ଅନୁରୋଧ କରିଛନ୍ତି |
ଏହା ଏକ ସମ୍ବେଦନଶୀଳ ଏବଂ ଗୁରୁତ୍ତ୍ୱପୂର୍ଣ୍ଣ ପ୍ରସଙ୍ଗ | ରାଜ୍ୟର ବିଭିନ୍ନ ରାଜନୈତିକ ଶକ୍ତି ବର୍ତ୍ତମାନ ରାଜ୍ୟରେ ପ୍ରାୟ ଦୁଇଦଶନ୍ଧି  ଧରି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ସରକାରଙ୍କ କାର୍ଯ୍ୟର ମୂଲ୍ୟାଙ୍କନ କରୁଛନ୍ତି | ବିଶେଷକରି ରାଜ୍ୟରେ ବିଜେପି ର ଅଗ୍ରଗତି ନବୀନ ସରକାରଙ୍କ ବିଫଳତା ଜନସାଧାରଣଙ୍କୁ ଅବଗତ କରାଇ ତାଙ୍କ ବିଶ୍ବାସ ଲାଭ କରି ପାରିଥିବା ଯୋଗୁଁ ସମ୍ଭବପର ହେଇଥିବା ମନେହୁଏ |
ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ମଝିରେ ମଝିରେ ବିଜେପିର କେନ୍ଦ୍ର ନେତୃତ୍ୱ ବିଜେଡି ନେତୃତ୍ୱଙ୍କ ସହ କେତେକ ପ୍ରସଙ୍ଗରେ ସହମତି ପାଇଁ ସମ୍ପର୍କ ସ୍ଥାପନ କରିବା ରାଜ୍ୟବାସୀଙ୍କୁ ଏକ ଅସ୍ୱାଭାବିକ ସଂକେତ ଦେଉଛି | ଅନେକ ଭାବୁଛନ୍ତି ବିଜେଡି ଓ ବିଜେପି ଉଭୟେ ମିଳିମିଶି ରହିବେ | ଅବଶ୍ୟ ଆମ ସଂଘୀୟ ( ଫେଡେରାଲ ) ବ୍ୟବସ୍ଥାରେ କେନ୍ଦ୍ରରେ ଥିବା ଶାସକ ଦଳଙ୍କ ନେତୃତ୍ୱ ରାଜ୍ୟରେ ଶାସକ ଦଳ ନେତୃତ୍ୱ ସହ ବିଚାର ବିମର୍ଷ କରିବା  ବା କେତେକ ପ୍ରସଙ୍ଗରେ ସହଯୋଗ କାମନା କରିବା ସ୍ୱାଭାବିକ | କିନ୍ତୁ ଏହି ଭଳି  ସହଯୋଗ ବିନିମୟ ପ୍ରକ୍ରିୟାର ସାଧାରଣ ଭୋଟର ଉପରେ ପ୍ରଭାବ ଅନ୍ୟ ପ୍ରକାର ହୋଇଥାଏ | କୌଶଳ କରି ମଧ୍ୟ ଏହି ପ୍ରକ୍ରିୟାକୁ ରାଜ୍ୟର ଶାସନ ପ୍ରତି କେନ୍ଦ୍ରର ସମର୍ଥନ ଭାବରେ ଚିତ୍ରଣ କରିବା ପ୍ରୟାସ ହୁଏ |ଏହି ପରିସ୍ଥିତି  ବିଜେପି ର ରାଜ୍ୟରେ ଅଗ୍ରଗତି ପାଇଁ ଘାତକ ହେବା ସମ୍ଭାବନା  ଦେଖା ଦେଇଥାଏ |ଫଳରେ ରାଜ୍ୟରେ ଏକ ନବୀନମୁକ୍ତ ଶାସନ ପାଇଁ ବିଭିନ୍ନ ଶକ୍ତିଙ୍କ ପ୍ରୟାସ ଅନେକ ମାତ୍ରାରେ ବ୍ୟାହତ ହେବା ଅବଶ୍ୟମ୍ଭାବୀ  |
ନବୀନଙ୍କ ପୁନର୍ବାର ଶାସନକୁ ଆସିବା ରାଜ୍ୟର ସାମୁହିକ ବିକାଶ ପାଇଁ କେତେଦୂର ସହାୟକ ହେବ ସେ ସମ୍ପର୍କରେ ଏକ ରାଜନୈତିକ ଓ ସାମାଜିକ ବିତର୍କ ଆବଶ୍ୟକ ମନେହୁଏ | ଅନେକ ନିରାସକ୍ତ ବୁଦ୍ଧିଜୀବୀ ଓଡ଼ିଶାର ସାମ୍ପ୍ରତିକ ସାମୁହିକ ବିକାଶରେ ଦୁର୍ଗତି ସମ୍ପର୍କରେ ଚିନ୍ତିତ | ଏକ ଆଂଚଳିକ ରାଜନୈତିକ ଶକ୍ତି ପ୍ରାୟ ଦୁଇ ଦଶନ୍ଧିରେ ରାଜ୍ୟର ସର୍ବାଙ୍ଗୀନ ବିକାଶ କ୍ଷେତ୍ରରେ ଚରମ ବିଫଳତା ଲାଭ କରିଥିବା ଅନେକଙ୍କ ନିରାସକ୍ତ ମତ |
ଏହିଭଳି  ପରିସ୍ଥିତିରେ ରାଜ୍ୟ ବିକାଶ ପାଇଁ ଏକ ବ୍ୟାପକ ସମୀକରଣର ଆବଶ୍ୟକତା ଜରୁରୀ  ମନେହୁଏ | ଆଜିର ବାତାବରଣରେ ରାଜ୍ୟ ଭୋଟର ବିଜେପି କୁ ବିଜେଡିର ଏକ ସହଯୋଗୀ ଭାବରେ ଚିତ୍ରଣ କରିବା ବିଚିତ୍ର ନୁହେଁ | ତେଣୁ ଆଜି ରାଜ୍ୟରେ ବିଜେପି ସର୍ବାଧିକ କ୍ଷତିଗ୍ରସ୍ତ ହେବା ସମ୍ଭାବନା | ବିଜେପି ଓ ବିଜେଡି  ଙ୍କ ଦଳୀୟ ସ୍ୱାର୍ଥ ଅପେକ୍ଷା ରାଜ୍ୟ ସ୍ୱାର୍ଥ ରକ୍ଷା ପ୍ରମୁଖ ରାଜନୈତିକ ଶକ୍ତିଙ୍କ ପାଇଁ ବେଶୀ ଗୁରୁତ୍ୱପୂର୍ଣ୍ଣ ହେବା ଆବଶ୍ୟକ | ସେହି ଦୃଷ୍ଟିରୁ    ନିରଞ୍ଜନ ପଟ୍ଟନାୟକଂକ ଆହ୍ବାନ ସମୟୋପଯୋଗୀ ଏବଂ ପ୍ରଣିଧାନ ଯୋଗ୍ୟ |

******** 

No comments:

Post a Comment