Monday 13 August 2018

ଆମ ଜମିଜମା କଥା


ଜଣାଶୁଣା ଯୁବକଟିଏ | ପରିବାରର ବଡପୁଅ ; ସେମାନେ ଦୁଇ ଭାଇ ; ତିନି ଭଉଣୀ | ବାପ ମା କାର୍ଯ୍ୟଦକ୍ଷ ; ଦାୟିତ୍ବବୋଧ ଜ୍ଞାନ ସମ୍ପନ୍ନ | ପରିବାରଟି ଆମ ଓଡିଶାର ଦୂର କୁଡୁମୁଲୂଗୁମା ଗାଁ ର ବାସିନ୍ଦା ନୁହଁ ; ଭୁବନେଶ୍ବର ପାଖ ନିମାପଡା ତହସିଲ ର | ଯୁବକଟି ଶିକ୍ଷିତ | ଗତ ବର୍ଷ ତା ମଝିଆଁ ଭଉଣୀ ବାହାଘର ପାଇଁ ସାରା ପରିବାର ଆବଶ୍ୟକ ଅର୍ଥ ଯୋଗାଡ କରିବା ପାଇଁ ଯେମିତି ହଇରାଣ ହରକତ ହେଇଥିଲେ ଆମେ ଦେଖି ଚିନ୍ତିତ ହେଇଥିଲୁ | କିଛି ପରିମାଣରେ ହାତବି ବଢେଇଥିଲୁ | ସାନଭାଇ ଚାକିରୀ ଟିଏ ପାଇଲାନି ; ତାକୁ ମୁହଁ ଶୁଖେଇ ବୁଲୁଥିବା ଦେଖି ମୋ ପତ୍ନୀ ତାକୁ ବ୍ୟବସାୟ କରିବା ପାଇଁ ପ୍ରବର୍ତ୍ତାଇଲେ ଓ କିଛି ସାହାଯ୍ୟ କଲେ | ମୋ କଥା ମାନି ଯୁବକଟି ଗାଁରେ ଇଟା ତିଆରି କଲା | ସେଇ ପଇସାକୁ ମୁଳଧନ କରି ବ୍ୟବସାୟ ଆଗକୁ ନବାକୁ ଉପଦେଶ ଦେଲି |

ପକ୍କା ଘର ପରିବାର ର ନଥିଲା : ମୁ ବ୍ୟାଙ୍କ ମ୍ୟାନେଜରଙ୍କୁ ଋଣ  ଦେବା ପାଇଁ ଅନୁରୋଧ କଲି ; ସେ ରାଜି ହେଲେ ; ଜମି କାଗଜ ଦେଖିଲେ | ଜମି ତା ନାଁ ରେ ନାହିଁ କି ତା ବାପ ନାଁ ରେ ନାହିଁ | ସେହି ଅଂଚଳ ରେ ଜମି ବିକ୍ରୀର ରେଜିଷ୍ଟ୍ରେସନ ଓ ମ୍ୟୁଟେସନ କେଉଁ କାଳରୁ ବନ୍ଦ | ବ୍ୟାନକ ମ୍ୟାନେଜର ସଦିଛା ସତ୍ତ୍ୱେ  ରୂଣ ଦେଇ ପାରିଲେନି | ମୋ ସାହାଯ୍ୟରେ ଗୋଟିଏ ମାଇକ୍ରୋ ଫାଇନାନସ୍ ସଂସ୍ଥା ଋଣ  ଦେଲେ ; ଯୁବକଟି ଅଧିକ ସୁଧଦେଇ ଋଣ  ନେଲା ; ଘର କଲା ; ବର୍ତମାନ ଋଣ  ପରିଶୋଧ କରୁଚି |

କେବଳ ତାକୁ ଋଣ  ମିଳୁନି ; ସେଇ ଅଂଚଳ ଯାକ ସେଇ ଅବସ୍ଥା | ବ୍ୟବସାୟ ପାଇଁ ଋଣ  ନାହିଁ ; ଘର ତିଆରି ପାଇଁ ଋଣ  ନାହିଁ | କାରଣ ଆମ ଜମି ଜମା ପ୍ରସଂଗ ବୁଝୁଥିବା ତହସିଲ ପ୍ରଶାସନର ବିଶ୍ୱସନୀୟତା  ଆଜି ବିଧ୍ବସ୍ତ | ପୁରୁଣା ଭୁବନେଶ୍ବର ସହର ଓ ପୁରୀ ସହର ଏବଂ ପାଖ ଆଖ ଗାଁରେ ଅବସ୍ଥା ମଧ୍ୟ ତଦୃପ | ଶହଶହ ଭଦ୍ର, ପ୍ରତିଷ୍ଠିତ, ପୁରାତନ ପରିବାରଂକ ବାସଗୃହ ଜମି ଆଜି ଅଯଥା ବିବାଦରେ ଛନ୍ଦି ହେଇ ପଡିଛି କେବଳ ସରକାରଂକ ଅବିମନ୍ୟୁଷତା ଯୋଗୁଁ | ପରିସ୍ଥିତି ପରିପ୍ରେକ୍ଷୀରେ  ଏକ ନ୍ୟାୟସମ୍ମତ ଆଇନ ପ୍ରଣୟନ କରିବା ପାଇଁ ନା ମାନସିକତା ଅଛି ନା ଦକ୍ଷତା | ଅଧିକାଂଶ ପରିବାର କୋଟ କଚିରୀ ରୁ ରହତାଦେଶ ଆଣି ବସବାସ କରୁଛନ୍ତି | ଅନେକଂକ ପିଲାମାନେ ବିଦେଶରେ | ସେମାନେ ଏଇ ପେଂଚ ବୁଝି ପାରିବେନି ଓ ସବୁ ସମ୍ପତ୍ତି ଦଲାଲଂକ ହାତକୁ ଚାଲି ଯିବ |

ଆମ ସରକାର ଗାଂଧାରୀଂକ ଭଳି ଅନ୍ଧପୁଟୁଳି ଲଗେଇ "ମେକ୍ ଇନ୍ ଓଡିଶା" ଯାତ୍ରା ଆୟୋଜନ କରୁଛନ୍ତି | ଗାଲୁଆଂକ ବାରବାଟୀ ଚାଷ ଚାଲିଛି | ଓଡ଼ିଆ ପୁଅ ଝିଅ ନିଜ ଭିଟାମାଟି ର କବଲା ବା ପଟା ପାଇ ପାରୁନି ; ଋଣ  ପାଇ ପାରୁନି | ଏଇଟା କଣ ଆମ ପାରିବାର  ସରକାର ଦେଖି ପାରୁନି ? ସେମାନେ ବେପାର କରିବେ କେମିତି ; ଘର ତୋଳିବେ କେମିତି : ଆଗକୁ ବଢିବେ କେମିତି ? " ଇଜ୍ ଅଫ୍ ଡୁଇଂଗ୍ ବିଜିନେସ୍ " ତାଲିକା ରେ ଆମ ରାଜ୍ୟ ତଳ କୁ ଚାଲିଗଲା ବୋଲି ଏତେ କୁମ୍ଭୀର-କାନ୍ଦଣା  କାହିଁକି ? ଘରକୁ ସଜାଡିବାର ଯୋଗ୍ୟତା ତ ନାହିଁ ?

*******
1st November, 2016

No comments:

Post a Comment