Tuesday 7 August 2018

ଏଜି ଛକର ଟ୍ରାଫିକ ସିପାହୀ


କିଛିଦିନ ପୂର୍ବେ ଭୁବନେଶ୍ୱର ସହରର ଏଜି ଛକ ପାଖରେ ଏକ ସାମାନ୍ୟ ଟ୍ରାଫିକ ତ୍ରୁଟିବିଚ୍ୟୁତି ସମ୍ପର୍କରେ ତୁମ୍ବିତୋଫାନ ହେଲା | ଏହି ଘଟଣା ସମ୍ପର୍କରେ ଗୋଟିଏ ସମ୍ପାଦକୀୟ ପାଠ କରିବା ପରେ ଘଟଣା ସମ୍ପର୍କରେ କିଛି ମତ ବ୍ୟକ୍ତ କରିବା ଆବଶ୍ୟକ ମନେକଲି |
ଏହି ଘଟଣାକୁ ଉଚ୍ଚ ଅଧିକାରୀ ବନାମ ସ୍ୱଳ୍ପ ବେତନଧାରୀ ସରକାରୀ କର୍ମଚାରୀ ପ୍ରସଙ୍ଗ ଭାବରେ ଚିତ୍ରଣ କରିବା ବୋଧହୁଏ ସମୀଚୀନ ହେବ ନାହିଁ | ଘଟଣାର ଭୌଗୋଳିକ ସ୍ଥିତି ସମ୍ପର୍କରେ ଆମକୁ ସଚେତନ ହେବା ଆବଶ୍ୟକ | ସେହି ସ୍ଥାନରେ କିଭଳି ବାତାବରଣ ରାଜତ୍ୱ କରୁଛି ତାହା ବୁଝିବା ଆବଶ୍ୟକ |
କିଛି ବର୍ଷ ପୂର୍ବେ ମୁଖ୍ୟମନ୍ତ୍ରୀ ସଚିବାଳୟ ପ୍ରବେଶ କରୁଥିବା ଅବସ୍ଥାରେ ଗାଡି ପାଖକୁ ଆସି କେତେଜଣ ଏକ ଅଭିଯୋଗ ପତ୍ର ଦେବା ପାଇଁ ଉଦ୍ୟମ କରିଥିଲେ | ବିଦ୍ୟୁତବେଗରେ ଗୁଇନ୍ଦା ବିଭାଗର ମୁଖ୍ୟଙ୍କୁ ପଦମୁକ୍ତ କରା ଯାଇଥିଲା | ବିକ୍ଷୋଭକାରୀଙ୍କ ବିରୋଧରେ ପୀନାଲ କୋଡର ସାଂଘାଡିକ ଧାରା ପ୍ରୟୋଗ କରାଗଲା | ଏକ କୄର ସାମନ୍ତବାଦୀ ଚିନ୍ତାଧାରାର ପରିପ୍ରକାଶ ସୁସ୍ଥ ଗଣତନ୍ତ୍ର ରେ ବିଶ୍ବାସ ରଖୁଥିବା ଅନେକ ଲୋକଙ୍କୁ ବ୍ୟଥିତ କରିଥିଲା |
ଏହି ପ୍ରଶାସନିକ ଆଭିମୁଖ୍ୟ ଆଜି ବି ଅବ୍ୟାହତ ରହିଛି | ଏହି ପରିସ୍ଥିତିରେ ସ୍ୱଳ୍ପ ବେତନ ପାଉଥିବା ଏକ ଟ୍ରାଫିକ ସିପାହୀ ପକ୍ଷରେ ସେଦିନ ବିକଳ୍ପ କଣ ଥିଲା ? ସେ ଯାହା କଲେ ପରିସ୍ଥିତିର ସତ୍ୟତା ଉପଲବ୍ଧି କରି କରିଥିବା ମୋର ମନେହୁଏ | ଏହି ଘଟଣାକୁ କର୍ତ୍ତବ୍ୟ ନିଷ୍ଠାର ଏକ ଜ୍ୱଳନ୍ତ ଉଦାହରଣ ଭାବରେ ଯେଉଁମାନେ ଚିତ୍ରଣ କରୁଛନ୍ତି ମୁଁ ତାଙ୍କ ସହ ଏକମତ ହୋଇ ନପାରିବାରୁ ଦୁଃଖିତ |
ଯଦି ମୁଖ୍ୟମନ୍ତ୍ରୀଙ୍କ ରାସ୍ତା ନହୋଇ ମାଉସୀମା ଛକ ବା ରାଜମହଲ ଛକ ବା ଖଣ୍ଡଗିରି ଛକରେ ସିପାହୀ ଏଭଳି କର୍ତ୍ତବ୍ୟ ନିଷ୍ଠା ପ୍ରଦର୍ଶନ କରନ୍ତେ ମୁଁ ଏହାକୁ ସ୍ୱାଗତ କରନ୍ତି | ଆମକୁ ପେଶାଗତ ସାଧୁତା ସବୁ ସ୍ଥାନରେ ପ୍ରଦର୍ଶନ କରିବାକୁ ହେବ ; ସ୍ଥଳବିଶେଷରେ ବୁହେଁ | ଏହି ଦର୍ଶନ ଆମ ସୁରକ୍ଷାବାହିନୀ ଏବଂ ଟ୍ରାଫିକ ବାହିନୀ ମାନଙ୍କୁ ଅନୁପ୍ରାଣିତ କରିବା ଆବଶ୍ୟକ | ଏବଂ ଏହି ଦର୍ଶନର ପ୍ରତିପାଳନ ଆମ ସମାଜ ଏବଂ ନାଗରିକ ମାନଙ୍କ ପାଇଁ ମଙ୍ଗଳକାରକ ହେବ |
କେବଳ ଏଜିଛକ କାହିଁକି ଟ୍ରାଫିକ ପରିଚାଳନାର ଦକ୍ଷତା ପ୍ରଦର୍ଶନ ଏକମାତ୍ର କେନ୍ଦ୍ର ହେବ ? ଯଦି ମୁଖ୍ୟମନ୍ତ୍ରୀଙ୍କ ସଚିବାଳୟ ଯିବା ପାଇଁ ଏହି ପଥ ବ୍ୟବହାର କରାଯାଉଛି ତେବେ ସମୟେ ସମୟେ ଶିଶୁଭବନ , ମାଉସୀମା , କଳ୍ପନା , ରାଜମହଲ ଛକ ଦେଇ ମୁଖ୍ୟମନ୍ତ୍ରୀଙ୍କ ଯାତ୍ରାପଥ ନିର୍ଣ୍ଣୟ କରିବା ମଧ୍ୟ ବିଚାର୍ଯ୍ୟ | ଏହାଫଳରେ ଅବ୍ୟାହତ ଟ୍ରାଫିକ ବିଶୃଙ୍ଖଳା ନିୟନ୍ତ୍ରିତ ହେବ |
********

7th Aug, 2018

No comments:

Post a Comment