Sunday 19 August 2018

ସୁରତ କୁ ଚିଠି



 ସୁରତ କୁ ଚିଠି



ପ୍ରିୟ ସୁରତ
ଆମ ଗାଁ ପିଲାମାନେ ଅନେକ ବର୍ଷ ହେଲା ତୁମ ଆକର୍ଷଣରେ ପାଗଳ ପ୍ରାୟ | ସମସ୍ତଙ୍କ ହାତରେ ସ୍ମାର୍ଟଫୋନ ଯୋଗୁଁ ଗାଁର ଜଣେ ସାଙ୍ଗ ସୁରତ ରେ ପହଁଚିଲା ମାତ୍ରକେ ଅନ୍ୟ ସାଙ୍ଗମାନଙ୍କ ମନ ବ୍ୟାକୁଳ ହେଇ ଯାଏ ସେଠାକୁ ଯିବାକୁ |
ଏବେ ଅବଶ୍ୟ ଖାଲି ତୁମେ ନୁହଁ ; ବାଙ୍ଗାଲୋର ହଉ ବା କୋଚି ; ତ୍ରିସୁର ହଉ ବା ହାଇଦରାବାଦ ; ରାଇପୁର ହଉ ବା ଜବଲପୁର , ଯେଉଁଠି ଦେଖିବ ଆମ ପିଲାଙ୍କ ଧାଡି ଲାଗିଛି | ଦେଢ଼ ଶହ ବର୍ଷ ରୁ ପୁରୁଣା କଥା ; ସେତେବେଳର କୋରାପୁଟ , ଗଂଜାମ , ଫୁଲବାଣୀ ଅଂଚଳରୁ ଆସାମ ଅଂଚଳର ଚା ବଗିଚାକୁ ଆମ ପିଲେ ବହୁତ ସଂଖ୍ୟାରେ ନିଆ ହେଉଥିଲେ | କେତେ ଘରକୁ ଫେରି ସେହି ଅଂଚଳରୁ କମଳା ମଞ୍ଜି ଆଣି ତାଙ୍କ ଗାଁ ରେ କମଳା ଚାଷ କରିଥିଲେ | ସେଇଦିନରୁ ଆମ ମାଳ ଅଂଚଳରେ କମଳା ହେବା ଆରମ୍ଭ ହେଲା |
ଆଜି ଆମ ପିଲେ ହଜାର ହଜାର ସଂଖ୍ୟାରେ ଭିନ୍ନ ଭିନ୍ନ ଜାଗାକୁ ଯାଉଛନ୍ତି ବଂଚିବା ପାଇଁ | କିଏ ଇଟା ତିଆରି କରୁଛି ; କିଏ କୋଠା | କିଏ ଚୌକିଦାର ହେଉଛି ଆଉ କିଏ ମଜୁରିଆ | ଆଜି କେରଳ ବର୍ଷା ଓ ବନ୍ୟା ବିତ୍ପାତ ରେ ଆକ୍ରାନ୍ତ ହେଇଚି ; ଅସଂଖ୍ୟ ଲୋକ ପ୍ରଭାବିତ ହେଇଛନ୍ତି | ଶହେ ତିରିଶ ଓଡ଼ିଆ ଶ୍ରମିକ ଅଖିଆ ଅପିଆ ଥିବା ଖବର ଆସିଛି |
ମନ ବ୍ୟାକୁଳ ହେଉଛି | କାହିଁକି ଆମ ପିଲେ ଦୂରଦୂରାନ୍ତରେ ବର୍ଷ ବର୍ଷ ଧରି ଦାନାପାଣି ପାଇଁ ବର୍ଷବର୍ଷ ଭିଟାମାଟି ଛାଡି ଯାଉଛନ୍ତି !!
ହେ ସୁରତ , ମୋ ପ୍ରିୟ ସୁରତ : ତୁମେ ଆଜି ସମୃଦ୍ଧ | ତୁମେ ଏଠିକି ଆସନ୍ତ ନି ? ତୁମେ ଏଇଠି ରହିଲେ ଆମ ପିଲେ ଆଉ କୁଆଡେ ଯିବେନି ; ବନ୍ୟାରେ ଭାସିଯିବେନି ; ଭୋକ ଉପାସରେ ରହିବେନି | ତୁମେ ଏଇଠି ସେମାନଙ୍କ ଯତ୍ନ ନେବ |
ଏହି ସନ୍ଦେଶକୁ ଜରୁରୀ ମନେ କରିବ | ଶୀଘ୍ର ଆସିବ |
ତୁମର ବିଶ୍ୱସ୍ତ
ଜୀର୍ଣ୍ଣ ଉତ୍କଳର ଏକ ମର୍ମାହତ ଅଧିବାସୀ

No comments:

Post a Comment