Friday 8 June 2018

ମୋ ସାଙ୍ଗର ନିତାନ୍ତ ନିଜକଥା



ମୋ ସାଙ୍ଗର ନିତାନ୍ତ ନିଜକଥା


ଅତ୍ୟନ୍ତ ଘରୋଇ ମଣିଷ ଟିଏ ; ଯଦିଓ ତାର ଦୁନିଆସାରା ସାଂଗ ଆଉ ସବୁବେଳେ ତା' ମୁହଁରେ ହସ ଆଉ ଗପ , ହେଲେ ତାର ଏକଦମ୍ ନିଜ କଥା ସେ କାହାକୁ କହୁଥିବା ମୁ ଜାଣିନି | ଫେସବୁକରୁ ଆଜି ତା ଜନ୍ମଦିନ ବୋଲି ଜାଣିଲି | ଭାବିଲି, ଦୁଇ ଧାଡି ଶୁଭେଚ୍ଛା ଲେଖି ପଠେଇ ଦେବି | କିନ୍ତୁ ତା ପ୍ରକୃତି ମୁ ଜାଣେ | ବର୍ଷରେ ଥରେ ସେ ଫେସବୁକ ଦେଖୁଥିବ କି ନାହିଁ ମୋ ସନ୍ଦେହ | ଭାବିଲି, ମନ୍ଦିର ବଗିଚାରେ ଆଜି ସକାଳେ ବୁଲିଲାବେଳେ ଯଦି ଅକସ୍ମାତ ଦେଖା ହେଲା , ତା ହାତ ଧରି , ପିଠି ଥାପୁଡେଇ, ମୋ ଶୁଭେଚ୍ଛା ଜଣେଇବି | ସେ ଖୁସି ହବ ଓ ମୋ ଆଡେ ଚାହିଁ ଆନନ୍ଦରେ ହସିଦବ | ଯୋଗକୁ ସେଇଆ ହେଲା | ତାକୁ ଦେଖିଲି | ତା ଜନ୍ମଦିନ କଥା କହିଲା ମାତ୍ରେ ସେ ଖୁସିହେଇ ମୋ ଆଡେ ଚାହିଁଲା | ତା ଆଖି ଯେମିତି କହୁଥିଲା " ଜନ୍ମଦିନ କଥା ତୁମେ ଜାଣିଲ କେମିତି ?"

ତା' ହସହସ ମୁହଁ ଆଡେ ଚାହିଁ ତା'ର ଦୀର୍ଘ ନିରାମୟ ଜୀବନ କାମନା କଲି | ଖୁବ ଖୁସି ହେଇଗଲା ଗୋପାଳ ; କିନ୍ତୁ ପରମୁହୁର୍ତ୍ତରେ ତାକୁ ଗମ୍ଭୀର ହେଇଯିବା ଦେଖିଲି | ସେ କହିବା ଆରମ୍ଭ କଲା ; ମୁ ଶୁଣୁଥିଲି | ସେମାନେ ଥିଲେ ପନ୍ଦର ଭାଇ ଭଉଣୀ | ତା ବାପା ୧୯୦୦ ମସିହାରେ ଜନ୍ମ ହେଇଥିଲେ ; ଆଉ ମାତ୍ର ଅଠର ବର୍ଷ ବୟସରେ ବାହା ହେଲେ | ତା ମା ବାପାଂକ ଠାରୁ ବର୍ଷେ ଛୋଟ ଥିଲେ | ମା ୫୨ ବର୍ଷ ବୟସରେ ଜଳଉଦରୀ ରୋଗରେ ଆକ୍ରାନ୍ତ ହେଲେ | ବାପା ତାଂକ ପାରୁ ପର୍ଯ୍ୟନ୍ତ ମାଂକର ଯତ୍ନ ନେଲେ | ଜ୍ୟୋତିଷ କହିଲେ ମାଂକର ଆୟୁଷ ସରିଗଲାଣି | ମା ଚାଲିଗଲା ବେଳକୁ ଗୋପାଳ ମାତ୍ର ତୃତୀୟ ଶ୍ରେଣୀରେ ପଢୁଥିଲା | ମା କଥା କହିଲା ବେଳକୁ ତା' କଣ୍ଠ ବାଷ୍ପରୁଦ୍ଧ ହୋଇ ଯାଉଥିଲା ; ଏହା ଦେଖି ମୋତେ ଦୁଖ ଲାଗିଲା | ଆଜି ସପ୍ତମ ଦଶକର ମଧ୍ୟଭାଗରେ ପାଦ ଦେଇଥିଲେ ବି ଗୋପାଳ ମୁହଁରେ ଛୋଟ ମାତୃହୀନ ପିଲାଟି ର ଅସହାୟତା ଦେଖିଲି |

ଗୋପାଳର ଚଉଦ ଭାଇ ଭଉଣୀ ଭିତରୁ ଆଜି ଜଣେ ବି ଜୀବିତ ନାହାନ୍ତି | ସେ ନିଜେ ଥିଲା ଚତୁର୍ଦଶ ସନ୍ତାନ | ତା ତଳଭାଇ ସାତ ବର୍ଷ ପକ୍ଷାଘାତ ରେ କଷ୍ଟ ପାଇ ଦି ବର୍ଷ ତଳେ ଚାଲିଗଲା | ଅଧିକାଂଶ ଭାଇଭଉଣୀ ପାଂଚସାତ ବର୍ଷ ପାଇଁ ସଂସାରକୁ ଅସିଥିଲେ | ଗୋଟିଏ ଭାଇ ତ କୁଆଡେ ଚାଲିଗଲା | ଅନେକ ବର୍ଷ ଧରି ଯେତେବେଳେ ତା ପତ୍ତା ମିଳିଲାନି ; ତା ବାପା ଷୋହଳଟା ଥାନାରେ ରିପୋଟ ଲେଖେଇଲେ ; ହେଲେ ,ଫଳ କିଛି ହେଲାନି; କିଛି ଖବର ମିଳିଲାନି | ତାପରେ ଗୋପାଳର ପରିବାର ଭାଇକୁ ମୃତ ଭାବରେ ସ୍ବୀକାର କରିଥିଲା |

ଗୋପାଳ ଏତେଦିନ ଯାଏଁ ଅଂଗେ ନିଭେଇ ଥିବା ଏଇ ମୁହୁର୍ତ୍ତ ମାନଂକୁ କେମିତି ତା ଛାତି ଭିତରେ ଧରି ରଖିଥିଲା ମୁଁ ଭାବି ଆଶ୍ଚର୍ଯ୍ୟ ହଉଥିଲି | ମୁଁ କିନ୍ତୁ ଆଜି ବେଶୀ ସମୟ ବଗିଚାରେ ବୁଲିବା ପାଇଁ ନ ଦେଇ ଗୋଟେ କାର୍ଯ୍ୟକ୍ଷମ ଏଟିଏମ୍ ଖୋଜିବା ପାଇଁ ଆଗ୍ରହୀ ଥିବା ଜାଣି ଗୋପାଳ ମୋତେ ପଚାରିଲା " ଆପଣ ଏଟିଏମ୍ ଉପରେ ନିର୍ଭର କରନ୍ତି?" ମୁ କହିଲି " ନା, କିନ୍ତୁ ବିମୁଦ୍ରାକରଣ ପରେ ଏଟିଏମ୍ କୁ ବିଭିନ୍ନ ଅନୁଭୁତି ଆହରଣ ପାଇଁ ଯାଉଛି ; ଯଦି କିଛି ନୁଆ ଅନୁଭୁତି ମିଳୁଚି, ତେବେ ତା ବିଷୟରେ ପଦେ ଦିପଦ ଲେଖୁଚି |" ଗୋପାଳ ଶୁଣି ହସିଲା ; କହିଲା, " ତାହାହେଲେ ମୁ ବି ଯାଉଚି ; ଆଜି ମାଚ୍ଛ କିଣିବାର ଅଛି |" 

 (25th November, 2016)

*********




No comments:

Post a Comment