Sunday 10 June 2018

ସକାଳର ଖବରକାଗଜ ବିକାଳି

 
   ସକାଳର ଖବରକାଗଜ ବିକାଳି  

 ସକାଳେ ବୁଲିବାବେଳେ  କେତେଜଣ  ଖବରକାଗଜ ବିକାଳିଙ୍କୁ ଦେଖିବା ସୁଯୋଗ ମିଳେ | ପ୍ରତ୍ୟେକଙ୍କ ହାବଭାବ ସ୍ୱତନ୍ତ୍ର | ଦିନେ ଗୋଟିଏ ଟୋକା ବିକାଳିକୁ ଲକ୍ଷ୍ୟକଲି | ସେ ସାଇକଲଟିକୁ ଅଟକେଇଲା ; କିନ୍ତୁ ଓଲ୍ହାଇଲା ନାହିଁ | ବାଁ ପାଦକୁ ଭୂଇଁରେ ରଖି ସାଇକଲକୁ ବାଁ ପାଖକୁ ଅଣେଇ ଦେଇ ଗୋଟିଏ ଖବରକାଗଜକୁ ମୋଡ଼ି ସାମନା ତିନି ମହଲା ଆପାର୍ଟମେଣ୍ଟ ର ତୃତୀୟ ମହଲା ଘରର ବାରଣ୍ଡା କୁ ଲକ୍ଷ୍ୟ କରି ମୋଡାହେଇଥିବା ଖବରକାଗଜକୁ କ୍ଷେପଣାସ୍ତ୍ର ଭଳି ନିକ୍ଷେପ କଲା | ସବୁ କ୍ଷେପଣାସ୍ତ୍ର ନିକ୍ଷେପ ସଫଳ ହେଇନଥାଏ ; ସେମିତ ସେଦିନ ଖାବକାଗଜ ବିକାଳିର ନିକ୍ଷେପ ମଧ୍ୟ  ଅସଫଳ ହେଲା | ଖବରକାଗଜ ପିଂଡୁଳା  ଟି ଅକସ୍ମାତ ଟେଲିଫୋନ ତାରରେ ବାଜିଲା ,  ଆଉ ତତକ୍ଷଣାତ ଖବରକାଗଜର ପୃଷ୍ଠାଗୁଡିକ ତଳକୁ ଖସି ଇଆଡ଼େ ସିଆଡେ ଉଡି ବିଭିନ୍ନ ସ୍ଥାନରେ ପଡିଲା | ମୁଁ ଦୂରରୁ ବିକାଳିର ଅସହାୟ ଭାବ ଦେଖିଲି | ଅଗତ୍ୟା ସେ ସାଇକଲରୁ  ଓଲ୍ହାଇ ଆଉ ଗୋଟିଏ ଖବରକାଗଜ କୁ ଗୁଡେଇ ମନେଦେଇ ପୁଣି ନିକ୍ଷେପ କଲା | ଏଥର ନିକ୍ଷେପ ସଫଳ ହେଲା ଓ ବିକାଳି ସାଇକଲରେ ବସି ସେଠୁ ଶୀଘ୍ର ଚାଲିଗଲା | 
          ଏବେ ଅନ୍ୟ ଜଣକ କଥା | ସକାଳେ ଏଇ ଲୋକଟିକୁ  ଖବରକାଗଜ ବିକିବା ମୁଁ ବହୁବର୍ଷ ଧରି ଦେଖିଆସୁଛି | ପ୍ରାୟ କୋଡ଼ିଏବର୍ଷ ପୂର୍ବେ ସେ ବୋଧହୁଏ ଆମେ ଫରେଷ୍ଟ ପାର୍କ ପାଖ ଗୋଟିଏ ସରକାରୀ ବାସଗୃହରେ ରହୁଥିବାବେଳେ ଆମକୁ ବି ସକାଳେ ଖବରକାଗଜ ଦେଉଥିଲା | ଯାହାହେଉ, କୌଣସି କାରଣରୁ ଆଜି ପର୍ଯ୍ୟନ୍ତ ମୋତେ ବାଟରେ ସକାଳେ ଚାଲୁଥିବା ବେଳେ ଦେଖିଲେ ସେ ଦୂରରୁ ସାଇକଲରୁ ଓଲ୍ହେଇ ମୋତେ ନମସ୍କାର କରିଥାଏ | ମୁ ପ୍ରତିନମସ୍କାର କରିବା ପରେ ସେ ପୁଣି ସାଇକଲରେ ବସେ, ଆଉ ଚାଲିଯାଏ |

         କାଲି ପୁଣି ତାକୁ ଦେଖିଲି | ସାଙ୍ଗ ମୋ ସହିତ ନଥିବାରୁ ତା' ସହିତ କିଛି ସମୟ କଥାବାର୍ତ୍ତା ହେଲି | ପ୍ରଥମ ଥର ତା' ନା ପଚାରିଲି | ସର୍ବେଶ୍ୱରର ପରିବାର ବିଷୟରେ ବି ପଚାରିଲି ; ଆଉ କାଗଜ ବିକ୍ରି କରିବା ଛଡା ଆଉ କଣ କରେ,  ତା' ବି ପଚାରିଲି | ତା' ପୁଅ ଓ ଝିଅ ଉଭୟେ ଇଞ୍ଜିନିଅର | ଝିଅ ଏବେ ସରକାରୀ ଚାକିରୀ ପାଇଛି ଓ ରାଉରକେଲାରେ ତା' ପୋଷ୍ଟିଙ୍ଗ ହେଇଥିବା  କହିଲା | ତା' ମୁହଁରେ ଖୁସି ଦେଖିଲି | ଝିଅଟି ଏସଡିଓ ବଙ୍ଗଳା ପାଖ ସରକାରୀ ବାସଗୃହ ପାଇଥାନ୍ତା ; କିନ୍ତୁ ତା'ଠାରୁ ବରିଷ୍ଠ ଆଉଜଣେ ଅଧିକାରୀ ସେଇ ଘରଟି ପାଇଲେ ଓ ତା' ଝିଅ  ସିନେମା ପାଖ ଫ୍ଲାଟ ରେ ରହୁଥିବା ସର୍ବେଶ୍ୱର କହିଲା | ତା' ମୁହଁରେ ଆତ୍ମସନ୍ତୋଷ ଭାବ ଦେଖି ମୋତେ ଭଲ ଲାଗିଲା | ମୁଁ ତା' ପୁଅ କଥା ପଚାରିଲି | ପୁଅ ଗୋଟିଏ ଇଞ୍ଜିନିଅରିଙ୍ଗ କଲେଜ ରେ ପଢ଼ାଉଥିବା କହିଲା | ଆଉ କହିଲା ତା ଝିଅଟି ତୁଳସୀ ଆଉ ପୁଅ ଟା ବିଛୁଆତି |
     "କାହିଁକି?" ମୁଁ ପଚାରିଲି | ସେ କହିଲା, " ପିଲାଦିନୁ ପୁଅ ଟା ଭାରି ଚଗଲା :ପଢ଼ାଶୁଣା କରେନି | କୌଣସି ଚାକିରୀ ତାକୁ ମିଳୁନି ; କିନ୍ତୁ ଝିଅ ଚାରିଚାରି ଟା ଚାକିରୀ ମନାକରି ଏବେ ସରକାରୀ ଚାକିରୀ କରୁଛି |" ମୁଁ ଶୁଣିଲି, ଆଉ କହିଲି, " ସର୍ବେଶ୍ୱର , ଝିଅ ତ ଭଲ ଚାକିରୀ କଲାଣି ; ତୁମେ ଏଥର ଖବରକାଗଜ ବିକା ବନ୍ଦକର | ତୁମର ବୟସ ହେଲାଣି , ଏତେ ପରିଶ୍ରମ କରନି |" ସେ କହିଲା ." ମୋର ବି ସେଇଆ ଇଛା ଥିଲା : ଦିନେ ଝିଅକୁ ପଚାରିଲି | ସେ କହିଲା, "ଯେତେଦିନ ପାରୁଛ କର | ମୋ ଉପରେ ନିର୍ଭର କରନି | ବେଶୀହେଲେ ମୁଁ ଆଉ ଦୁଇବର୍ଷ ଏକୁଟିଆ ରହିବି,  ତୁମ ଦେଖାଶୁଣା କରିପାରିବି ; କିନ୍ତୁ ତା'ପରେ ମୁଁ ବାହାହେବି | ତେଣୁ ତୁମେ ଯେମିତି କରୁଛ କରୁଥାଅ |"
  ସର୍ବେଶ୍ୱର  ମୁହଁ ଟି ଶୁଖି ଯାଇଥିବା ଅନୁଭବ କଲି | କହିଲା " କଲେଜରେ ଏତେବର୍ଷ ହେଲା ପିଅନ ହେଇ ରହିଲି ; ଆଶା କରିଥିଲି ଗ୍ରାଣ୍ଟ ମିଳିବ ; କିନ୍ତୁ ହେଲାନି | ସେମାନେ ବହୁତ କମ ଦରମା ଦଉଛନ୍ତି ; ସେଇଥିପାଇଁ ଖବର କାଗଜ ବିକୁଛି | ଦେଖାଯାଉ କେତେ ବର୍ଷ କରି ପାରିବି |" ମୁଁ ତା କାନ୍ଧ ଥାପୁଡ଼େଇ ଆଶୀର୍ବାଦ କଲି | ସେ ଖୁସି ହେଲା | ମୁଁ ତା'ଠାରୁ ବିଦାୟ ନେଇ ଆସିଲା ବେଳକୁ ତା' ଝିଅ କଥା ଭାବୁଥିଲି | ଆଉ ବାପାର ମନ କଥାବି |

(23rd January, 2017)

******

No comments:

Post a Comment