Thursday 28 June 2018

ପିଲାଦିନେ ମୋ ସାଇକଲ ଶିଖା


ଆମ ଶୈଶବ ଅବସ୍ଥାରେ ନିତ୍ୟ ବ୍ୟବହାର୍ଯ୍ୟ ବସ୍ତୁମାନଙ୍କ ମଧ୍ୟରେ ମେସିନ ଚାଳିତ ସାଧନ ସୀମିତ ଥିଲା | ଆର୍ଥିକ ସ୍ୱଚ୍ଛଳ ପରିବାରମାନଙ୍କରେ ସାଇକଲ ବ୍ୟବହୃତ ହେଉଥିଲା | ତେଣୁ ସାତଆଠବର୍ଷ ବୟସ୍କ ପିଲାଟିଏ ସାଇକଲକୁ ନିୟନ୍ତ୍ରଣାଧୀନ କରିବା ପାଇଁ ସବୁବେଳେ ଆଗ୍ରହୀ ହେଉଥିଲା | ମୁଁ ମଧ୍ୟ ଏହି ପ୍ରବାହର ବ୍ୟତିକ୍ରମ ହେଇନଥିଲି | କେତେଥର ପଡିବା ; ପୁଣି ଉଠିବା ପରେ ଦିନେ ସାଇକଳଟି ସମ୍ପୂର୍ଣ ବଶୀଭୂତ ହେଇଗଲା ଏବଂ ଆନନ୍ଦ ଓ ଉଦ୍ଦୀପନାରେ ମୁ ସାଇକଟିକୁ ଚଲେଇ ସହରର ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ନେଇଗଲି | କିନ୍ତୁ ସାଇକଳଟିର ଉଚ୍ଚତା ଓ ମୋ ଉଚ୍ଚତା ମଧ୍ୟରେ ସମନ୍ୱୟ ନଥିବା ଅସୁବିଧା ମୋତେ ସାଇକଲର ସିଂହାସନ ଆରୋହଣ ସୁଯୋଗରୁ ବଂଚିତ କରିଥିଲା | ମୁ ବାମପାଦ ସାଇକଲର ବାମ ପେଡାଲ ଉପରେ ରଖି ସିଟ ତଳବାଟେ ଡାହାଣ ପାଦକୁ ସାଇକଲର ଡାହାଣ ପେଡାଲରେ ରଖି ସାଇକଲ ଚଲେଇବା କୌଶଳ ଶିଖିଥିଲି | ମୁଖ୍ୟ ରାସ୍ତାରେ ସହରର ବାଣିଜ୍ୟ କେନ୍ଦ୍ର ଏବଂ ସେଇଠି କେତୋଟି ବଡ଼ବଡ଼ ଦୋକାନ ଥିଲା | ଗୋଟିଏ ଦୋକାନ ଆଗରେ , କିନ୍ତୁ ସଡକର ମଧ୍ୟଭାଗରେ, ଧୋତି ଓ ଜାମା ପନ୍ଧିଥିବା ଦୁଇ ତିନିଜଣ ବୟସ୍କ ଗପସପ କରୁଥିଲେ | ବୋଧହୁଏ ସେଇ ଅଂଚଳରେ ରାସ୍ତାଟି କିଛି ମାତ୍ରାରେ ଗଡାଣିଆ ଥିଲା ଓ ଏହା ଯୋଗୁଁ ମୋ ସାଇକଳଟିର ଗତି ବଢି ଯାଇଥିବା ମୁଁ ଅନୁଭବ କଲି | ମୁଁ ସାଇକଲ ଉପରୁ ଶୀଘ୍ର ନିୟନ୍ତ୍ରଣ ହରାଉଥିବା ବୋଧହେଲା ଏବଂ ମୁଁ ବ୍ରେକ ଲିଭର ବ୍ୟବହାର କରିବାବେଳକୁ ସାଇକଲ ହାଣ୍ଡଲ ଉପରୁ ମୋର ଜୋର କମିଗଲା ଏବଂ ଅମାନିଆ ସାଇକଳଟିର ଆଗ ଚକ ଜଣେ ବ୍ୟକ୍ତିଙ୍କ ଦୁଇଗୋଡ ମଝିରେ ପଶିଗଲା | ସେମାନଙ୍କ ଗପସପର ହଠାତ ପରିସମାପ୍ତି ଘଟିଲା ଏବଂ ସମସ୍ତେ ମିଶି ମୋତେ ଗାଳିଦେଲେ | "ମୋର ଦୋଷ ହେଇଚି" କହି ମୁଁ ଶୀଘ୍ର ସେଠାରୁ ପଳାୟନ କରିଥିବା ମୋର ମନେପଡେ | ଅନେକ ବର୍ଷପରେ ସୁନ୍ଦରଗଡ ରେ ଜିଲାପାଳ ହେଇ ସେଇ ସହରରେ ରହିଥିଲି ଏବଂ କେତେଥର ସେହି ରାସ୍ତାରେ ଗାଡ଼ିରେ ଗଲାବେଳେ ବାଲ୍ୟାବସ୍ଥାର ସେଇ ରୋମାଂଚକର ଅନୁଭୂତି ମୋତେ ଯଥେଷ୍ଟ ଆନନ୍ଦ ଦେଉଥିଲା |

********

4th May, 2018

No comments:

Post a Comment