Friday 29 June 2018

ପ୍ରାତଃଭ୍ରମଣ ବେଳର କେତୋଟି ଅନୁଭୂତି

ପ୍ରାତଃଭ୍ରମଣ ବେଳର କେତୋଟି ଅନୁଭୂତି
 

ତିରିଶ-ବତିଶ ବର୍ଷ ବୟସର ହସହସ ମୁହଁ ଥିବା ଯୁବକଟି ହାତରେ ଦୁଇଟି ଫୁଟବଲ ଦୁଇଟି ଜାଲି ମୁଣିରେ ଧରି ଉଇକେଟ ଗେଟ ପାଖରେ ପହଂଚିଲାବେଳେ ମୋ ସହିତ ଭେଟହେଲା | ମୁଁ ତାକୁ ଚିନ୍ହିନଥିଲେ ବି ତା ସହିତ ଦୁଇପଦ କଥା ହେବାପାଇଁ ଇଛାହେଲା | ସକାଳ ଛ'ଟା ବାଜିଥାଏ | "ଏଇ ଫୁଟବଲ ଦାମ କେତେ ?" ମୁଁ ପଚାରିଲି | ପ୍ରକୃତରେ ମୋର ଆଜି ଗୋଟିଏ ଫୁଟବଲ କେତେ ଦରରେ ମିଳୁଛି ସେ ବିଷୟରେ କୌଣସି ଧାରଣା ନଥିଲା | ରେଭେନ୍ଶା କଲେଜରେ ବିଗତ ଶତାବ୍ଦୀର ୫୮-୬୨ ମସିହାରେ ପୂର୍ବ ଛାତ୍ରାବାସରେ ରହୁଥିବା ସମୟରେ କେତେଥର ପୁଟବଲ ଖେଳୁଥିବା ଅନୁଭୂତି ମନେପଡ଼ିଲା | କିନ୍ତୁ ଦର୍ଶକଭାବରେ ଫୁଟବଲ ଖେଳ ମୋତେ ସବୁବେଳେ ଆନନ୍ଦ ଦେଇଥାଏ | କ୍ରିକେଟ ବା ହକି ମୋତେ କେବେହେଲେ ସେଇ ଆନନ୍ଦ ଦେଇ ନଥାଏ | ଯୁବକଟି ହସି କହିଲା " ଏଇ ବଲ ଦାମ ହଜାରେ ପଚାଶ ଟଙ୍କା |" ମୁଁ ଆଶ୍ଚର୍ଯ୍ୟ ହେଇ ତା' ଆଡକୁ ଚାହିଁଲି | ସେ ମୋ ଭାବ ଦେଖି ଭଲକରି ହସିଲା | ମୁଁ ତାକୁ ପଚାରିଲି " ଏଇଟା ବିଦେଶରେ ତିଆରି ନା ଆମ ଦେଶରେ ?" ସେ ବଲଟିକୁ ଆଖିପାଖକୁ ଆଣି ବଲରେ ଲେଖା କୁ ଦେଖିଲାପରେ କହିଲା, "ଭାରତରେ ତିଆରି |" ମୁଁ ପଚାରିଲି "ଆଉ ବେଶୀ ଦାମର ବଲ ଅଛି ?" ସେ କହିଲା ସେମାନେ ବାର ଶହ ଟଙ୍କାର ବଲ ଖେଳିଛନ୍ତି | ଯୁବକର ପରିଚୟ ବିଷୟରେ ପଚାରିଲି | ସେ କଲେଜ ପଡ଼ିଆରୁ ପ୍ରାୟ ଚାରିକିଲୋମିଟର ଦୂରରେ ରହେ ; କିନ୍ତୁ ସହରରେ ଥିବାବେଳେ ନିୟମିତ ଫୁଟବଲ ଖେଳିବାକୁ ଆସେ | ଗୋଟିଏ ଔଷଧ ପ୍ରତିଷ୍ଠାନରେ କାମକରେ | ପଡିଆ ଭିତରେ ସେତେବେଳକୁ ତାର ଅନେକ ସାଙ୍ଗ ତାକୁ " ଜୟ ଜଗନ୍ନାଥ" ସମ୍ବୋଧନ କରୁଥାନ୍ତି | ତାର ଲୋକପ୍ରିୟତା ମୋତେ ଭଲ ଲାଗିଲା | ମୁଁ କହିଲି " ତୁମ ସାଙ୍ଗମାନେ ତୁମ ସାଙ୍ଗରେ ଖେଳିବାକୁ ବ୍ୟଗ୍ର ହେଲେଣି ; ତୁମେ ଯାଅ |" ସେ ନମସ୍କାର କରି ମୋ ଠାରୁ ବିଦାୟ ନେଲା | କେତେ ଯୁବକଙ୍କ ଖେଳପ୍ରତି ଅବ୍ୟାହତ ଆଗ୍ରହ ଦେଖି ମୁଁ ଖୁସିହେଲି |
ଅନ୍ୟ ଗୋଟିଏ ସକାଳର କଥା | ସବୁଦିନ ଭଳି କେତେକଙ୍କୁ ପ୍ରାତଃଭ୍ରମଣ କରୁଥିବା ଦେଖିଲି | ସେମାନଙ୍କର ସେଇ ହସ, ଗପ ଦେଖିଲି ; ସେଦିନ  ହୋଲିଖେଳ ପାଇଁ କୌଣସି ବ୍ୟତିକ୍ରମ ଲକ୍ଷ୍ୟ କଲିନି | ପଇଁଚାଳିଶ ମିନିଟ ଦ୍ରୁତଗତିରେ ଚାଲିବାପରେ ମୁଁ ଫେରୁଥାଏ ; ଦେଖିଲି ଜଣେ ଯୁବକ ବିପରୀତ ଦିଗରୁ ଆସୁଥିବା ଅନ୍ୟ ଏକ ଯୁବକକୁ "ହାପି ହୋଲି" କହି ଅଭିବାଦନ ଜଣାଇଲା | ତାଙ୍କ ଆତ୍ମୀୟତା ମୋତେ ଭଲ ଲାଗିଲା ; କିନ୍ତୁ ଭାବିଲି ଯେ ସେଇ ଦୁଇଜଣ ଆଜି ଦିନର ବିଶେଷତ୍ୱ ଦୃଷ୍ଟିରୁ ଆମ ଭାଷାରେ ପରସ୍ପରକୁ ଅଭିବାଦନ ଦେଲେ ନାହିଁ କାହିଁକି ? ଇଂରେଜମାନେ ଆମଦେଶକୁ ଆସିବାର ଶହଶହ ବର୍ଷ ପୂର୍ବରୁ ଆମ ଦେଶରେ ହୋଲିଖେଳ ହେଉଛି ; ଏଇ ଦୁଇଟି ଯୁବକ ଜନ୍ମହେବାର ବହୁ ଆଗରୁ ଇଂରେଜମାନେ ମଧ୍ୟ ଆମଦେଶରୁ ଚାଲି ଯାଇଛନ୍ତି | ସାମାଜିକ ସ୍ତରରେ ଆମ ଉନ୍ନତ ଭାଷାର ବ୍ୟବହାର ପାଇଁ ସଂକୋଚ କାହିଁକି ? ଯୁବକ ବନ୍ଧୁ ତା ସାଙ୍ଗକୁ ମାତୃଭାଷାରେ ଅଭିବାଦନ ଦେବାବେଳେ ହୁଏତ କହିଥାନ୍ତେ " ତୁମ ଜୀବନ ରଙ୍ଗମୟ ହେଉ ; ମଧୁମୟ ହେଉ " | କେତେ ସୁନ୍ଦର ଅନୁଭୂତି ହୋଇଥାନ୍ତା !! ସୁଖର କଥା, ଏବେ ଅନେକଙ୍କୁ "ଜୟ ଜଗନ୍ନାଥ" କହି ସାଙ୍ଗଙ୍କୁ ଅଭିବାଦନ କରିବା ଶୁଣାଯାଉଛି | ଏହା ଶୁଭଙ୍କର | ଏହାର ଅନେକ ବିକଳ୍ପ ମଧ୍ୟ ସମ୍ଭବ |

********


No comments:

Post a Comment