Friday 29 June 2018

କେଉଁଥିଲେ ମୁଣ୍ଡ ପୁରେଇବାନି


କେତେକଙ୍କ ମତ ହେଲା, ଜଣେ ଯଦି ନିଜ ବେଳରେ କିଛି କରି ନଥିଲା ସେ ଅନ୍ୟକୁ ଏବେ କିଛି କରିବାକୁ କହିବା ଅଧିକାର ହରେଇଛି | ତା ଅର୍ଥ ହେଲା ଯାହା ହେଉଛି ତୁମେ ସେଥିରେ ମୁଣ୍ଡ ପୁରେଇବା ଅଧିକାର ହରେଇଛ | ଯେଉଁମାନେ ଏବେ ଅଛନ୍ତି ସେମାନେ ଯାହାସବୁ କରୁଛନ୍ତି ସବୁ ଭଲ | ଅନେକେ ଏହି ଦର୍ଶନରେ ବିଶ୍ବାସ କରନ୍ତି |କିଏ କାହା ବେଳରେ କଣ କରିଛି, ତାହାର ମୂଲ୍ୟାୟନ ଆଜି କିପରି ଅନ୍ୟ ଜଣେ ଲୋକର ଗୋଟିଏ ହାଲୁକା ମନ୍ତବ୍ୟରେ ହେଇ ପାରିବ ? ପ୍ରସଙ୍ଗ ଟି କିଛି ଉଦାହରଣ ମାଧ୍ୟମରେ ଅଧିକ ସ୍ପଷ୍ଟ ହେବା ଆବଶ୍ୟକ | ଯଦି ଜଣେ ନାଗରିକ ଆଜି ଆତଙ୍କବାଦୀଙ୍କ ବଢୁଥିବା ହିଂସା ସମ୍ପର୍କରେ ଚିନ୍ତା ପ୍ରକଟ କରେ, ଆମେ ଯଦି ତାକୁ କହିବା ଯେ ତୁମ ଦଳର ଲୋକେ ଯେତେବେଳେ କ୍ଷମତାରେ ଥିଲେ ସେମାନେ ଏହି ପ୍ରସଙ୍ଗର ଜନ୍ମଦାତା; ତାହେଲେ ସମସ୍ୟାର ସମାଧାନ ହେଉନି; ବରଂ ଏପରି ମାନସିକତା ଦ୍ୱାରା ପ୍ରସଙ୍ଗର ଗୁରୁତ୍ୱକୁ ନଜର ଅନ୍ଦାଜ କରାହେଉଛି | ଏଇଟା କଣ ଏକ ଉଚିତ ମାନସିକତା ? ଆଜି ଯଦି ଆମେ କହିବା, ଆଜିର ମୁଖ୍ୟମନ୍ତ୍ରୀ ଅଭିଯୋଗ କକ୍ଷକୁ ବର୍ଷ ବର୍ଷ ଧରି ଆସୁନାହାନ୍ତି ଏବଂ ଏହା ଶୁଣି ଅନ୍ୟଜଣେ ପଚାରିବ ଜାନକୀ ବାବୁ କଣ କରୁଥିଲେ; ଏହି ମାନସିକା ଅବଲମ୍ବନ କଲେ ଆଜି ଅଭିଯୋଗ ଥିବା ଲୋକଟି ପ୍ରତି ଆମେ ଅନ୍ୟାୟ କରୁନାହିଁକି ? ବର୍ତ୍ତମାନର ସମସ୍ୟା ସମ୍ପର୍କରେ ମୌନ ରହିବା ଅନୁଚିତ ; ଗାଲୁଆଙ୍କ ଭଳି ଯୁକ୍ତି କରିବା ଆହୁରି ବେଶୀ ଅନୁଚିତ | ଯଦି ଅତୀତରେ ସବୁ ଭୁଲ ହେଇଥିଲା, ତେବେ ଆମେ କଣ ସେଇ ଭୁଲ ବାଟରେ ଯିବା ଶ୍ରେୟସ୍କର ମନେକରିବା ନା ଭଲ ବାଟରେ ଯିବା ଏବଂ କିଛି କଲ୍ୟାଣ କରିବା ? ମୋ ଦୃଷ୍ଟିରେ ଆମେ ନିର୍ବିକାର ହୋଇ ଵିଵେକଦ୍ୱାରା ପରିଚାଳିତ ହୋଇ ଭୁଲକୁ ଭୁଲ କହିବାର ସତ ସାହାସ ରଖିବା ; ଶୈତାନର ଓକିଲାତି କରିବାନି | ତାହାହେଲେ ସମାଜର ଉନ୍ନତି ହେବ | ଏହାକୁ ହୁଏତ ଅନେକ ପସନ୍ଦ କରିବେନି | କିନ୍ତୁ ଆଜି ଜଣେ ବନ୍ଧୁ ମୋତେ କହିଲେ, ବିଭୀଷଣ ଯେତେବେଳେ ଭଲ କଥା କହୁଥିଲେ, ଲଙ୍କାରେ ତାଙ୍କୁ ଆଦର ମିଳୁନଥିଲା ; କିନ୍ତୁ ସେ ଭଲ କଥା କହିବାରୁ ବିରତ ହେଲେନି ଏବଂ ଶେଷରେ ତାଙ୍କ ଦର୍ଶନର ବିଜୟ ହେଇଥିଲା | ମୋ ବନ୍ଧୁ ଠିକ କହୁଥିଲେ |

******** 

No comments:

Post a Comment