Saturday 9 June 2018

ମହେଶ ର ଶାଢ଼ୀ ଦୋକାନ

    ଭୁବନେଶ୍ୱର ସହରରେ ଜନପଥ  ଏକ ପ୍ରମୁଖ ମାର୍ଗ | ଦିବସର ଅଧିକାଂଶ ସମୟ ଚଳଚଂଚଳ | ଅନେକପ୍ରକାରର ବ୍ୟବସାୟିକ ପ୍ରତିଷ୍ଠାନ ନିଜ ବ୍ୟବସାୟ କରନ୍ତି ଛୋଟବଡ ଦୋକାନରୁ | ସେହି ଦୋକାନ ମାନଙ୍କ ମଧ୍ୟରେ ଅନ୍ୟତମ କ୍ଷୁଦ୍ର ଦୋକାନ ର ମାଲିକ ମୋର ପରିଚିତ | ଶାଢ଼ୀ ଦୋକାନଟିଏ କରି ସେ ତା ଗୁଜୁରାଣ ମେଟାଉଥିବା ମୁଁ ଅନେକ ବର୍ଷ ଧରି ଦେଖିଚି  | ଆମଘରର ଆବଶ୍ୟକତା ମୁଖ୍ୟତଃ ତା'ଠାରୁ କିଣାହୁଏ | ବେଳେବେଳେ ଆବଶ୍ୟକତା ନଥିଲେବି, ମୁଁ ସେଇବାଟରେ ଯିବାବେଳେ ତା' ସହ ଆଳାପପାଇଁ ସେଠାକୁ ଯାଏ | ଆମେ କିଛିସମୟ ଦୁଃଖସୁଖ ହେଉ; ଆଉ ମୁଁ ତା'ଠୁ ବିଦାୟ ନେଇ ଫେରିଆସେ |
ପ୍ରାୟ ତିରିଶବର୍ଷ ଧରି ସାଢୀବିକ୍ରୀ କରି ମହେଶ କ୍ଲାନ୍ତ ହେଇଯାଇଥିଲା | ମନଲାଖି ସେଲ୍ସମାନମାନଂକର ଅଭାବ ଆଉ ନିଜ ଇଂଜିନିଅର ପୁଅର ଏହି ବ୍ୟବସାୟ ପ୍ରତି ଅନାଗ୍ରହ, ତାକୁ ବାଧ୍ୟ କରିଥିଲା ଏହି ବ୍ୟବସାୟର ବିକଳ୍ପ ଖୋଜିବାକୁ | ଦିନେ ଦେଖିଲି ତା ଦୋକାନର ସମ୍ପୁର୍ଣ ରୂପାନ୍ତର ହେଇଚି | କାର ଅଟକାଇ ଦୋକାନ ଭିତରକୁ ଗଲି | ମୋତେ ଅଚାନକ ଦେଖି ମହେଶ ଆନନ୍ଦିତ ହେଲା ଏବଂ ମୋବାଇଲ ଫୋନ ବିକ୍ରୀ ଆରମ୍ଭ କରିଥିବା କହିଲା | ଦେଖିଲି ପାଂଚ ଜଣ ଯୁବକ ସେଲସ୍ମାନ ଆଗ୍ରହରେ ଗ୍ରାହକମାନଂକ ଦେଖାଶୁଣା କରୁଛନ୍ତି | ମହେଶକୁ ପ୍ରଶଂସା କଲି ଆଉ କହିଲି , " ଏବେ ତୁମ ପୁଅ ଦୋକାନରେ ବସିବାକୁ ମନା କରିବନି; ସେଲ୍ସମାନ ଅଭାବ ମଧ୍ୟ ରହିବନି |" ସେ ହସିଲା ଆଉ ରାଜି ହେଲା | ମୁଁ ବି ଖୁସି ହେଲି କାରଣ ମୋବାଇଲ ଫୋନ, ଟାବଲେଟ , ଆଇପାଡ ଇତ୍ୟାଦି କିଣିବାକୁ ମୋତେ ଏଣେତେଣେ ଆଉ ବୁଲିବାକୁ ପଡିବନି |
 ଗତକାଲି ସେଇ ଦୋକାନକୁ ପୁଣି ଥରେ ଯାଇଥିଲି | ପ୍ରାୟ ବର୍ଷେହେବ, ସେ ଶାଢ଼ୀ ବ୍ୟବସାୟ ବଂଦ କରି ମୋବାଇଲ ଫୋନ ବିକୁଛନ୍ତି | ଦୋକାନର ପରିବେଶ ସମ୍ପୂର୍ଣ ବଦଳି ଯାଇଛି ; ପୁରୁଣା ସେଲସମାନ ଆଉ ନାହାନ୍ତି | ଗଦାଗଦା ଶାଢ଼ୀ କାଉଣ୍ଟରରେ ଗ୍ରାହକମାନଙ୍କୁ ସେ ଦେଖାଇବା ବେଳର ଝାଳୁଆ ମୁହଁ ଆଉ ନାହିଁ | ମାଲିକ କାଲି ଆରାମରେ ଗୋଟିଏ ସୌଖିନ ଚୌକିରେ ବସି ଫୋନରେ କଥାବାର୍ତ୍ତା ହେଉଥିଲା  | ମୋତେଦେଖି ଧଡପଡ ହେଇ ଉଠି ପ୍ରାଣାମକଲା  | ମନହେଲା, ଅଳ୍ପ ଦାମର ଗୋଟିଏ ନୂଆ ଫୋନ କିଣିବି | କିଛି ସମୟ ଧରି ମୋର ଆବଶ୍ୟକତା ଏବଂ ବଜେଟ ଉପଯୋଗୀ ଫୋନ ସମ୍ପର୍କରେ ଆଲୋଚନା ହେଲା  | ଚୟନ  କାର୍ଯ୍ୟ ମାଲିକ , ତାଙ୍କ ସ୍ମାଟ ସେଲସମାନ ଆଉ ମୋ ହାଉସକିପର କଲେ; ଆଉ ମୁଁ ସେଇ ଅବସରରେ ଦୋକାନର ସାଜସଜ୍ଜା , ଆଲୁଅ ; ବିଭିନ୍ନ ଫୋନମାନଙ୍କ ବିଭିନ୍ନ ଠାଣିରେ ଆତ୍ମପ୍ରକାଶ ଇତ୍ୟାଦି ଉପଭୋଗ କରୁଥିଲି | ଚୟନ ପରେ ମାଲିକ ମୋ ଆଡକୁ ଆସିଲା  | ମୁଁ ତା' ନୂତନ ଅବତାରରେ ଅନୁଭୂତି ଚୁମ୍ବକରେ ଜାଣିବା ପାଇଁ ଚାହିଁଲି |
ଏକଚାଲଇଶ ବର୍ଷର ଶାଢ଼ୀ ବେପାର ଛାଡି ସେ ବର୍ତ୍ତମାନ ଭଲରେ ଥିବା କହିବା ଶୁଣି ମୁଁ ଖୁସି ହେଲି | ଶାଢ଼ୀ ବ୍ୟବସାୟରେ ଭଲ ମାନର ଶାଢ଼ୀ ଠିକ ଜାଗାରୁ କିଣିବା ପାଇଁ ମାସକୁ ଦଶଦିନ ବୁଲିବାକୁ ହେଉଥିଲା | ବୟସ ବଢ଼ିବାରୁ ଏତେ ସମୟ ଦେଇ ହେଉନଥିଲା | ଏଇ ବେପାରରେ ବୁଲିବା ଜଂଜାଳ ନାହିଁ ; ଗୁଡ଼େ ମାଲ ଗଦେଇ ଦୋକାନରେ ଭିଡ କରିବା ଆବଶ୍ୟକତା ମଧ୍ୟ ନାହିଁ | ସବୁ ଫୋନ କମ୍ପାନୀଙ୍କ ଡିପୋ ଆମ ସହରରେ ଅଛି ; ଅପରାହ୍ନ ପାଂଚଟା ପୂର୍ବରୁ ଫୋନରେ ଅମୁକ ମଡେଲ ର ପାଂଚଟା ; ସମୁକ ମଡେଲ  ର  ତିନିଟା ମଗେଇଦେଲେ ସଂଧ୍ୟାବେଳକୁ ତାଙ୍କ ଗାଡି ଦୋକାନରେ ଡେଲିଭେରି ଦେବାପାଇଁ ଚାଲି ଆସୁଛି | କୁଆଡେ ଯିବା ଦରକାର ନାହିଁ |
ବଡ ପୁଅଟି ଛବିଶ ବର୍ଷର ; ଇଞ୍ଜିନିଅରିଙ୍ଗ ପଢିଛି ; ବ୍ୟବସାୟ କରିବ | ଶାଢ଼ୀ ବ୍ୟବସାୟ ପାଇଁ ନାକ ଟେକୁଥିଲା ; ଏଇ ବେପାରରେ ସମୟ ଦେଉଛି | ମୁଁ ଆୟ ବିଷୟରେ ପଚାରିଲି | ସେ କହିଲା  ଏଇ ବେପାରରେ ବେଶୀ ଆୟ ଆଉ କମ ଝାମେଲା | ମୋତେ ଭାରି ଖୁସି ଲାଗିଲା | ସେତେବେଳକୁ ମୋ ନୂଆ ଫୋନଟି ବ୍ୟବହାର ଉପଯୋଗୀ ହେଇସାରିଥିଲା | ପ୍ରଥମ କଲ ଟି ଘରକୁ କରି ପତ୍ନୀଙ୍କୁ ମୋ ଫୋନ କିଣା ବିଷୟ କହିଲି ; ସେ କହିଲେ କଣ ମହେଶ ଭଲ ଅଛି ? ମାଲିକ ମହେଶ ସବୁବେଳ ତାଙ୍କୁ ମା' ସମ୍ବୋଧନ କରେ |

*********** 

No comments:

Post a Comment