Friday 8 June 2018

ପୁରୀ ବେଳାଭୂମିରେ ଓଟଦୌଡ


         ପୁରୀ ବେଳାଭୂମିରେ ଓଟଦୌଡ; ଜିଲାପାଳଙ୍କ ଚଳଚିତ୍ର ଅଭିନେତା ଗୋବିନ୍ଦାଙ୍କ ସହିତ ନୃତ୍ୟ ଇତ୍ୟାଦି ପାବନ ମହୋଦଧି ବାଲୁକାରେ ଦୁର୍ଭାଗ୍ୟପୂର୍ଣ୍ଣ ବିଚ କାରନିଵାଲର ଅଂଶ ବିଶେଷ | ଏହି ବଜାର ଉଚ୍ଛଙ୍ଖଳତା ପର୍ଯ୍ୟଟନ ଶିଳ୍ପର ଅପରିହାର୍ଯ୍ୟ ଅଂଶ ଭାବରେ ଗ୍ରହଣ କରିବା ପାଇଁ କେତେକ ବନ୍ଧୁ ମାନଙ୍କର ଯୁକ୍ତିକୁ ମୁଁ ସମର୍ଥନ କରିବା ପାଇଁ ଅକ୍ଷମ ହେଉଥିବାରୁ ଦୁଃଖିତ | ହୁଏତ ପର୍ଯ୍ୟଟନ ଶିଳ୍ପ ଅଭିବୃଦ୍ଧିର ଆବଶ୍ୟକତା ପରିପ୍ରେକ୍ଷୀରେ ବନ୍ଧୁମାନେ ମହୋଦଧି ବାଲୁକାରେ ଏହି ଆୟୋଜନ ର ଆବଶ୍ୟକତା ଅନୁଭବ କରୁଥିବେ | କିନ୍ତୁ ଏହି ଦୃଷ୍ଟିକୋଣ ପ୍ରମାଦପୂର୍ଣ ମନେହୁଏ | ଏହି ଦର୍ଶନରେ ବିଶ୍ବାସ କରୁଥିବା ପର୍ଯ୍ୟଟକ ପ୍ରେମୀମାନେ ହୁଏତ ଆଗାମୀ ଦିନରେ ଅରୁଣ ସ୍ତମ୍ଭ ଚାରିପଟେ ଗୋବିନ୍ଦାଙ୍କ ନୃତ୍ୟ ମଧ୍ୟ ପସନ୍ଦ କରିବେ ଏବଂ ବଡ଼ଦାଣ୍ଡରେ ଓଟଦୌଡ ମଧ୍ୟ ତାଙ୍କ ପାଇଁ ଶୋଭନୀୟ ଏବଂ ଗ୍ରହଣୀୟ ବୋଧ ହେବ

      କିନ୍ତୁ ପୁରୀର ବୈଶିଷ୍ଟ୍ୟ ଅନନ୍ୟ | ଏହି ତୀର୍ଥରେ ଜଗନ୍ନାଥ ପ୍ରେମୀ ମାନେ ପ୍ରାଥମିକ ପର୍ଯ୍ୟଟକ | ପାବନ ମହୋଦଧି କୁଳରେ ପ୍ରାର୍ଥନା କରାଯାଏ; ସୂର୍ଯ୍ୟଙ୍କୁ ନମସ୍କାର କରାଯାଏ; ଅର୍ଘ୍ୟ ଅର୍ପଣ କରାଯାଏ | ପୂର୍ବଜ ମାନଙ୍କ ପାଇଁ ତର୍ପଣ କରାଯାଏ |କୋମଳମତି ପିଲାମାନେ ଢେଉ ସାଙ୍ଗରେ ଖେଳନ୍ତି ; ଚଂଚଳ କୁନି କଙ୍କଡା ପଛରେ ଦଉଡନ୍ତି | ପରିଣତ ବୟସ୍କ ପତିପତ୍ନୀ ସାଗର ର ବିଶାଳତାରେ ପ୍ରଭୁଙ୍କ ଦର୍ଶନ କରନ୍ତି | କବି କବିତା ସୃଷ୍ଟି ପାଇଁ ପ୍ରେରଣା ପାଇଥାଏ ଏବଂ ଚିତ୍ରକାର ଉଦୟରାଗ ଏବଂ ଅସ୍ତରାଗର ଶୋଭା ତୁଳିରେ ଆଙ୍କିବା ପାଇଁ ଉଦ୍ୟମ କରେ | ଏହି ସ୍ଥାନ ସଂସ୍କୃତିର ; ଉନ୍ମାଦନା ର ନୁହେଁ ; ଏଠାରେ ଅମୃତ ପାନ କରାଯାଏ; ମଦିରା ନୁହେଁ | ଏଠି ଶୋଭନୀୟତା ଆତ୍ମପ୍ରକାଶ କରେ; ଉଗ୍ରତା ର ସ୍ଥାନ ନ ଥାଏ |

      ପର୍ଯ୍ୟଟନର ପରିଭାଷା ପୁରୀରେ ସ୍ୱତନ୍ତ୍ର ; ପୁରୀ ଗୋଆ ନୁହେଁ | ଆମ ବନ୍ଧୁମାନେ ଯେଉଁ ପର୍ଯ୍ୟଟନ ଶିଳ୍ପ ସମ୍ପର୍କରେ ଉଦବିଗ୍ନ ସେମାନେ ପୁରୀ ବେଳାଭୂମିର ଅନ୍ୟ ଏକ ଅଂଶ ର ବିକାଶ ପାଇଁ ପ୍ରୟାସ କରନ୍ତୁ | ମୋ ମତରେ , ଉତ୍ତର ଦିଗରେ ବାଲିଘାଇ ପରେ ଏକ ସ୍ଥାନ ନିରୂପଣ କରି ନାଚ, ଓଟ ଦୌଡ , ଇତ୍ୟାଦି ଅପରିହାର୍ଯ୍ୟ କାର୍ଯ୍ୟକ୍ରମ କରାଯାଉ | ଆମ ନୃତ୍ୟପ୍ରିୟ ଜିଲାପାଳ ମଧ୍ୟ ଏ ଦିଗରେ ସକାରାତ୍ମକ ଭୂମିକା ଗ୍ରହଣ କରନ୍ତୁ |

(29th January, 2017)
****** 

No comments:

Post a Comment