Sunday 10 June 2018

ପଢ଼ା ସାଙ୍ଗରେ ଖେଳ ବି ଦରକାର



ଆଜି ସକାଳେ ପ୍ରକାଶ ଓ ମୁଁ କଲେଜ ହତାରେ ବୁଲୁଥିବାବେଳେ ପ୍ରକାଶ କଲେଜର ଛାତ୍ରଥିବା ବେଳର ଟେବୁଲ ଟେନିସ ଖେଳ ରୁମ ଦେଖିବାକୁ ଆଗ୍ରହୀ ହେଲା | ଆମେ ଦିହେଁ ସେଇଆଡ଼କୁ ଗଲୁ ; ଅନେକ ପୁରାତନ ଘର ଇତିମଧ୍ୟରେ ଭଙ୍ଗା ହେଇଚି ; ନୂଆ ନୂଆ ଅଟ୍ଟାଳିକା ନିର୍ମାଣ ହେଇଚି | କଲେଜ ହତାର କାୟା ଦ୍ରୁତଗତିରେ ବଦଳି ଯାଇଛି | ଆଜି ଚାରିଆଡେ କୋଠା | ଏହି ଅଟ୍ଟାଳିକା ମାନଙ୍କ ସୁପ୍ରଭାବ ଆମ ବୌଦ୍ଧିକ ସଂସାରରେ ହୁଏତ ଏପର୍ଯ୍ୟନ୍ତ ପ୍ରତିଫଳିତ ହୋଇନାହିଁ | ଟେବୁଲ ଟେନିସ ବ୍ୟବସ୍ଥା ଥିବା କୋଠରୀଟି ଆଜି ନିଶ୍ଚିହ୍ନ | ପ୍ରକାଶ ଦୁଃଖିତ ହେବା ମୋର ମନେହେଲା | ସେଦିନର ଗୋଟିଏ ଘଟଣା ସମ୍ବନ୍ଧରେ ସେ ମୋତେ କହିଲା | ଦିନେ ପ୍ରକାଶ , ପ୍ରମୋଦ (ଦୁଇ ଭାଇ) , ଆଉ ତାଙ୍କ ସାଙ୍ଗ ମନି ,ଟେବୁଲ ଟେନିସ ଖେଳିବାକୁ ମନକଲେ ; କିନ୍ତୁ ସେତେବେଳେ ସେଇ ରୁମଟି ବଂଦ ଥିଲା | ତାଲା ଖୋଲିବାପାଇଁ ତାଙ୍କ ଅନ୍ୟଜଣେ ସାଙ୍ଗ ର ଆବଶ୍ୟକତା ହେଲା | ତାକୁ ମନି ଯାଇ ଡାକିଲା | ସେ କୌଶଳରେ ତାଲା ଖୋଲିବାପରେ ସେମାନେ ଖେଳିଲେ | ବ୍ୟାଟ ଓ ବଲର ଶବ୍ଦ ଅନ୍ୟମାନଙ୍କୁ ଶୁଣାଗଲା ଏବଂ ପ୍ରିନ୍ସିପାଲଙ୍କ କାନରେ ଏହି ଘଟଣା ପଡିଲା | କିଛିସମୟ ପରେ ସ୍ୱୟଂ ପ୍ରିନ୍ସିପାଲ ସେଠି ହାଜର ହେଲେ | ତାକୁ ଦେଖି ଭୟରେ ତିନିଜଣ ଶାନ୍ତ ହୋଇଗଲେ | ପ୍ରିନ୍ସିପାଲ ମନି ଆଡେ କଟମଟ ଆଖିରେ ଚାହିଁ କହିଲେ " ତୁ ତ ବାଳୁଙ୍ଗା ହେଇଗଲୁଣି ; ଏଇଦୁଇ ନିରୀହ ପିଲାଙ୍କୁ କାହିଁକି ନଷ୍ଟ କରୁଚୁ ?" କେହି ପାଟି ଫିଟେଇଲେନି , ସେଠୁ ପଳାୟନ କଲେ | ମନି ଭାରି ରାଗିଲା ; ଆଉ ପ୍ରକାଶ ଓ ପ୍ରମୋଦଂକୁ କହିଲା " ତୁମେ ଦୁଇଜଣ ତାଲା ଖୋଲାଇବାକୁ କହିଲାରୁ ମୁଁ ଖୋଲେଇଲି ; ଆଉ ମୁଁ ହେଲି ବାଳୁଙ୍ଗା, ଆଉ ତୁମେ ଦିହେଁ ହେଲ ନିରୀହ |" ପ୍ରକାଶର ଆଜି ଏଇ କଥା ଉପଭୋଗ୍ୟ ହେବା ସଂଗେସଂଗେ ଶିକ୍ଷଣୀୟ ମଧ୍ୟ ବୋଧହେଲା | ଆମ ସମାଜରେ ପାଠକୁ ଗୁରୁତ୍ଵ ଦିଆ ଯାଉଥିଲା; ଖେଳରେ ରୁଚିଥିବା ପିଲାଙ୍କୁ ଶିକ୍ଷାରେ ନିକୃଷ୍ଠ ଭାବରେ ଗ୍ରହଣ କରାଯାଉଥିଲା |
ଆଜି ସକାଳର ଭ୍ରମଣ ସମୟରେ ଖେଳ ସମ୍ବନ୍ଧୀୟ ଅନ୍ୟ ଏକ ଅନୁଭୂତି ମଧ୍ୟ ପ୍ରକାଶ କହିଲା | କଟକରେ ତା' ପୋଷ୍ଟିଙ୍ଗ ହୋଇଥିବାବେଳେ ପୁଲିସ ଅଫିସରଙ୍କ ପାଇଁ ଟେନିସ ଖେଳିବାପାଇଁ କୌଣସି ସ୍ୱତନ୍ତ୍ର କୋଟ ନଥିବାରୁ ସେ ଏହି ଅସୁବିଧା ଦୂରକରିବା ପାଇଁ ଅନୌପଚାରିକ ସ୍ଥରରେ ଚେଷ୍ଟା କଲା | ସେତେବେଳର ଓଏମପି ବାଟାଲିଅନର କମାଣ୍ଡାଣ୍ଟ ଜଣେ ସକାରାତ୍ମକ ଅଧିକାରୀ ଥିଲେ | ତାଙ୍କ ବାଟାଲିଅନ ହତାରେ ବହୁତ ପରିଶ୍ରମ କରି ଗୋବର ଲିପାଇ ସେ ଗୋଟିଏ ଖେଳ ଉପଯୋଗୀ ଟେନିସ କୋଟର ବ୍ୟବସ୍ଥା କରିଦେଲେ | ପ୍ରକାଶ ଭଳି ଟେନିସ ପ୍ରିୟ ଅନ୍ୟ ପୁଲିସ ଅଧିକାରୀମାନେ ଖୁସିହେଲେ ଏବଂ ଟେନିସ ଖେଳ ଆରମ୍ଭ ହେଲା | ଏଇ କଥାଟା ସେବେଳର ଡିଜି ସାହେବଙ୍କ କାନରେ ପଡିଲା | ସେ କ୍ରୋଧରେ ଗର୍ଜନ ଆରମ୍ଭ କରିଦେଲେ | ଟେନିସ ପୁଲିସ ଅଧିକାରୀଙ୍କ ପାଇଁ ଅନୁମୋଦିତ ଖେଳ ନୁହେଁ କହି ସମସ୍ତଙ୍କୁ ଗାଳିଦେଲେ | କିନ୍ତୁ କୋଟ ତ ହେଇସାରିଥିଲା ; ଖେଳବି ଚାଲିଲା | ଇଏବି ଆଉ ଗୋଟିଏ ଘଟଣା ଯାହା ଖେଳ ପ୍ରତି ସେତେବେଳର ମାନସିକତା ପ୍ରଦର୍ଶନ କରୁଥିଲା |
ମୁଁ ଆଜି ଦୁଇଟି ଦୃଷ୍ଟାନ୍ତ ସମ୍ପର୍କରେ ଅବତାରଣା କରିବା ପରେ ଆଜିର ସ୍ଥିତି ସମ୍ପର୍କରେ ଦୁଇପଦ ଲେଖିବାକୁ ଚାହୁଁଚି | ଆମେ ଆଜି ବୁଲୁଥିଲୁ କଲେଜ ହତା ଭିତରେ ; କଲେଜ ପଡିଆ ପାଖରେ | ଆମ ରାଜ୍ୟର ଏହି ପ୍ରମୁଖ କଲେଜର ଖେଳ ପଡ଼ିଆର ସ୍ଥିତି ଆଜି କଣ ? ଘାସ ଚେନାଏ ବି ନାହିଁ; ନିୟମିତ ବ୍ୟବଧାନରେ ଏଠାରେ ସଭା , ସେମିନାର ହୁଏ ; ଆଡମ୍ବରରେ ତମ୍ବୁ ପୋତାଯାଏ ; ଆଡମ୍ବର ପୁର୍ଣ ତୋରଣ; ମଂଚ ନିର୍ମାଣ ହୁଏ | ପଡିଆ ସାରା ଗାତ ଖୋଳାଯାଏ ; କଣ୍ଟା , ବାଉଁଶ , କାଠ ଇତ୍ୟାଦି ବ୍ୟବହାର ହୁଏ | ଭୋଜିଭାତ ବି ହୁଏ ; ଏହି ପର୍ବ ପରେ ପଡ଼ିଆର ବିଭିନ୍ନ ସ୍ଥାନରେ ଅଇଁଠା ପ୍ଲେଟ , ଗିଲାସ ; ଖାଲି ମଦ ବୋତଲ ଇତ୍ୟାଦି ଅନେକ ଦିନଧରି ପଡ଼ିରହେ | ଭାରତର କ୍ରୀଡା ରାଜଧାନୀ ଭାବରେ ପ୍ରଚାର ହେଉଥିବା ସହରର ଏକ ମୁଖ୍ୟ ଖେଳପଡିଆରେ ହକି ଖେଳ କେବେ ହୁଏନାହିଁ ; ସକାଳେ ଏହି ଅଂଚଳର ମାତ୍ର କେତେକ ଯୁବକ ଏଠାରେ ଭ୍ରମଣ କରନ୍ତି ; ଅଳ୍ପ କେତେଜଣ ଫୁଟବଲ ଖେଳନ୍ତି ଏବଂ ଅଳ୍ପ କେତେକ କ୍ରିକେଟ ଖେଳନ୍ତି | ଯେଉଁମାନେ ପଡ଼ିଆର ଚାରିକଡେ ବୁଲନ୍ତି ସେମାନଙ୍କ ପାଇଁ ସମତଳ ଚଲାପଥର ବ୍ୟବସ୍ଥା ମଧ୍ୟ ନାହିଁ | କଲେଜ ପ୍ରିନ୍ସିପାଲଙ୍କ ସାଙ୍ଗରେ ଥରେ ଚଲାପଥ ବିଷୟରେ ଆଲୋଚନା କରିଥିଲି | ସେ ଏଭଳି ବ୍ୟବସ୍ଥାର ଆବଶ୍ୟକତା ନଥିବା ମୋତେ ଜଣାଇଲେ | ପର୍ଯ୍ୟଟନ ମନ୍ତ୍ରୀଙ୍କୁ ହସ୍ତକ୍ଷେପ ପାଇଁ ଅନୁରୋଧ କଲି ; ସେ ଅକ୍ଷମତା ପ୍ରକାଶ କଲେ | ଏହା ଆଜିର କ୍ରୀଡା ଉନ୍ନତି ପାଇଁ ମାନସିକତା ଏବଂ ବ୍ୟଗ୍ରତା | କ୍ରୀଡାର ବିକାଶ ତୃଣମୂଳ ସ୍ତରରେ ହୋଇଥାଏ ; ଶିକ୍ଷାନୁଷ୍ଠାନ ମାନଙ୍କରେ ହୋଇଥାଏ ; ସମ୍ବାଦପତ୍ରର ପ୍ରଥମ ପୃଷ୍ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଫଟ ଥିବା ବିଜ୍ଞାପନ ମାଧ୍ୟମରେ ହୁଏନାହିଁ | ଖେଳିବା ପାଇଁ ସୁବିଧା ଯୋଗାଇଲେ କ୍ରୀଡାର ବିକାଶ ହୁଏ ; ବିଜ୍ଞାପନ ମାଧ୍ୟମରେ ନୁହେଁ | ଏକ ଆଦର୍ଶ କଲେଜରେ କେବଳ ଉନ୍ନତ ମାନର ଶିକ୍ଷା ଦିଆଯାଏ ନାହିଁ ; ଶିକ୍ଷାର୍ଥୀଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ପର୍ଯ୍ୟାପ୍ତ ସୁବିଧା ମଧ୍ୟ କରାଯାଏ | ସୁସ୍ଥ ଶରୀର ମାଧ୍ୟମରେ ମାନସିକ ଓ ବୌଦ୍ଧିକ ବିକାଶ କରାଯାଏ | ଆମ ରାଜ୍ୟ ଏଦିଗରେ ନିତାନ୍ତ ପଛୁଆ | ଏହା ପରିତାପର ବିଷୟ |

3rd March, 2018

************

No comments:

Post a Comment