Saturday 9 June 2018

ପିଲାଦିନ ଭୋଜି

୧୯୫୫-୫୬ ମସିହା କଥା | ଆମେ ସେତେବେଳେ ଅଷ୍ଟମ କିମ୍ବା ନବମ ଶ୍ରେଣୀରେ ପଢ଼ୁଥିଲୁ | ସହରର ଏକମାତ୍ର ହାଇସ୍କୁଲ ଥିଲା ସରକାରୀ ହାଇସ୍କୁଲ | କୋରାପୁଟର ଅତି ସୁନ୍ଦର ସର୍କିଟ ହାଉସ ସାମନାରେ ଯାଉଥିବା ଜୟପୁର ରାସ୍ତାର ତଳକୁ ଥିଲା ଆମ ସ୍କୁଲ | ଦିନେ ଆମେ କେତେ ସାଙ୍ଗ ଭୋଜିପାଇଁ ଯିବାକୁ ସ୍ଥିର କଲୁ | ଆମକୁ ସାହାଯ୍ୟ କଲେ ମୁଖ୍ୟତଃ ମୋ ଘନିଷ୍ଠ ସାଙ୍ଗ ର ମା ଯାହାଙ୍କୁ ଆମେ ମାଉସୀ ସମ୍ବୋଧନ କରୁଥିଲୁ | ଭାରି ସ୍ନେହ କରୁଥିଲେ ମୋତେ | କୋରାପୁଟ ଅବକାରୀ ସୁପରିଂଟେଣ୍ଡେଣ୍ଟ ଙ୍କ ପତ୍ନୀ | ବଡ ଯତ୍ନରେ ଆମ ଆଠ ଦଶ ଜଣଙ୍କ ପାଇଁ ଆବଶ୍ୟକ ହେବା ଜିନିଷ ସବୁ ସାଇତି କରି ରଖି ତାଙ୍କ ଘରେ କାମ କରୁଥିବା ଜଣେ ବିଶ୍ଵସ୍ଥ ଲୋକ ହାତରେ ଦେଇଥିଲେ ; ତଥାପି ପ୍ରତ୍ୟେକ ସାଙ୍ଗ ନିଜ ନିଜ ପିଠିରେ ଛୋଟ ହଉ କି ବଡ ବ୍ୟାଗ ଟିଏ ବି ନେଇଥିଲେ | ମୁଁ ମଧ୍ୟ ନେଇଥିଲି |
ସ୍ଥିର ହେଇଥିଲା , ଆମେ ମ୍ୟାଲେରିଆ ଟ୍ୟାଙ୍କ ପାଖ ଟେବୁଲ ମାଉଣ୍ଟେନ ଉପରକୁ ଯିବୁ ; ପାହାଡ ଉପରେ ରନ୍ଧାହେବ; ଆଉ ଆମେ ଖାଇପିଇ ଖୁସିରେ ଫେରିବୁ | କଲେକ୍ଟର ବଙ୍ଗଳାଠାରୁ ଗନ୍ତବ୍ୟ ବେଶୀ ଦୂର ନୁହେଁ | ସେତେବେଳେ ଟେବୁଲ ମାଉଣ୍ଟେନ ଉପରେ ମନ୍ଦିର ନିର୍ମାଣ ହେଇ ନଥିଲା | କଲେକ୍ଟର ବଙ୍ଗଳାରୁ ଏହା ଦେଖାଯାଉ ଥିଲା; ଆଉ ସୁଦୂର ଦେଓମାଳୀ ପର୍ବତ ଶିଖର ବି | ମୁଁ ସେତେବେଳେ ଜାଣି ନଥିଲି କୋରାପୁଟ ଜିଲାରେ ଅନେକ ପର୍ବତ ଉପର ଭାଗ କାହିଁକି ଚଟାଣ ଭଳି ସମତଳ -- ଟେବୁଲ ଭଳି | ପରେ ଜାଣିଲି, ବକ୍ସାଇଟ ପଥରରେ ପରିପୂର୍ଣ ପାହାଡ ପର୍ବତର ଶିଖର ଟେବୁଲ ଆକାରର ହେଇଥାଏ | ଆମ ସହରର ଟେବୁଲ ମାଉଣ୍ଟେନର ଖଣିଜ ସମ୍ପଦ ଆକଳନ ହେଇଥିଲା କି ନାହିଁ ମୁଁ ଜାଣିନି ; କିନ୍ତୁ ପରେ ସେଠି ଭବ୍ୟ ମନ୍ଦିର ନିର୍ମାଣ ହେଲା | ସେସବୁ ଛାଡ଼ନ୍ତୁ | ମୁଁ ଆଗ ଭୋଜି କଥା ଲେଖେ |
ବହୁତ ଆନନ୍ଦ ଉଦ୍ଦୀପନାରେ ପାହାଡ ଚଢ଼ିଲୁ ; ଶିଖରରେ ପବନ ସମସ୍ତଙ୍କୁ ବହୁତ ଫୁର୍ତ୍ତି କରିଦେଲା | ପାହାଡ ଚଢ଼ାର କ୍ଳାନ୍ତି ଜଣେ ବି ଅନୁଭବ କଲେନି | ସାଙ୍ଗରେ ଆସିଥିବା ଲୋକଟି ସବୁ ଜିନିଷ ତା ପିଠିରୁ ଓଲ୍ହେଇଲା ; ଆମେ ମଧ୍ୟ ବ୍ୟାଗ ସଜାଡି ରଖିଲୁ | ଆଣିଥିବା ଜିନିଷ ତଦାରଖ କଲୁ ; ଦେଖିଲୁ ପାଣି ଯଥେଷ୍ଟ ନାହିଁ | ଲୋକଟି  ତଳକୁ ଗଲା ଘରୁ ଆଉ ପାଇଁ ଆଣିବାକୁ | ପାହାଡ ତଳ ପର୍ଯ୍ୟନ୍ତ ଯାଇସାରିଥିଲା , ଆମେ ଦେଖିଲୁ ଦିଆସିଲ ଆସିନି | ଅବକାରୀ ସୁପରିଂଟେଣ୍ଡେଣ୍ଟ ଙ୍କ ପୁଅ କିରଣ ତଳକୁ ଦୌଡ଼ି ପାଟିକରି  କହୁଥିଲା ଡିଆସିଲ ଆଣିବାକୁ | ତାକୁ ଶୁଭୁ ନଥାଏ | ଆଉଟିକେ ତଳକୁ ଦୌଡ଼ିଗଲା ଆଉ ପୁଣି ପାଟିକରି କହିଲା ବେଳକୁ ତା ଗୋଡ ଖସିଗଲା | ଆଉ ସେ ଗଡିଗଡି ବେଶ କିଛି ବାଟ ଯାଇ ଗୋଟିଏ ପଥର କଡରେ ଅଟକି ଗଲା | ଆମେ ସମସ୍ତେ ଭୟରେ ଏକସଙ୍ଗେ ଚିତ୍କାର କଲୁ | ଲୋକକୁ ଏଥର ଶୁଭିଲା | ସେ ତରବର ହେଇ ଉପରକୁ ଉଠିଲା; ଆଉ କିରଣକୁ ଉଠେଇ କାନ୍ଧରେ ବୋହି ଚାଲିଲା ଘରକୁ |
ଆମ ଭୋଜି ସରିଗଲା ; ସମସ୍ତେ ଜିନିଷ ପତ୍ର ସାଉଁଟି କାନ୍ଧରେ ବୋହି ମାଉସୀଙ୍କ ଘରକୁ ଗଲୁ | ସେଇ ସମୟର ଦୃଶ୍ୟ ଏବେବି ମନେ
 ପଡୁଛି | କିରଣ ର କାନ୍ଧ ବହୁତ ବିନ୍ଧୁଥାଏ | ଡାକ୍ତର ଦେଖିଲେ ; କହିଲେ କଲର ବୋନ ଭାଙ୍ଗିଛି | କିଛି ସମୟ ମାଉସୀଙ୍କ ପାଖରେ ବିତେଇ ଆମେ ଯେ ଯାହା ଘରକୁ ଫେରିଲୁ |

*******

No comments:

Post a Comment