Thursday 28 June 2018

ପରିବା ଦୋକାନୀ ମକରା

ପରିବା ଦୋକାନୀ ମକରା
   

ଆମ ଘରପାଖ ରାସ୍ତା କଡର ଗୋଟିଏ ଜଣାଶୁଣା ଉଠା ପରିବା ଦୋକାନର ମାଲିକ ମକରଧ୍ବଜ | ପ୍ରାୟ ତିରିଶ ବର୍ଷରୁ ଦୋକାନ କରି ବେପାର କରୁଛି | ଏ ଅଂଚଳରେ ସମସ୍ତେ ତାକୁ ଚିହ୍ନନ୍ତି | ଦିନେ ଜଣେ ସରକାରୀ ଡାକ୍ତରଙ୍କ ସଂଗେ ଦେଖାହେଲା | ସେ ପାଖ ସରକାରୀ ଫ୍ଲାଟରେ ରହନ୍ତି | ମୁଁ ତାଙ୍କ ଫ୍ଲାଟ ନମ୍ବର ଜାଣିବାକୁ ଚାହିଁଲି | ସେ କହିଲେ, " ଆପଣ ଫ୍ଲାଟ ନମ୍ବର ମନେରଖିବାକୁ ସୁବିଧା ହବନି ; ମୋ ଘରଟା ମକରା ପରିବା ଦୋକାନ ପଛରେ |" କେଜାଣେ କାହିଁକି , ମକରା ମୋତେ ବହୁତ ସମ୍ମାନ ଦେଖାଏ | ପଚାଶ ମିଟର ଦୂରରୁ ମୋତେ ଦେଖିଲେ ସାଇକଲରୁ ଓଲ୍ହେଇପଡ଼ି ମୋ ଆଡକୁ ସାଇକଲ ଗଡେଇ ଚାଲି ଚାଲି ଆସେ ଓ ପାଖକୁ ଆସି ଲଇଁ ପଡି ପ୍ରଣାମ କରେ | ଗପିବାକୁ ଭଲ ପାଏ ; କିନ୍ତୁ ଜ୍ଞାନ କଥା କହେ | ସେଇଥିପାଇଁ ମୁ କିଛି ସମୟ ତା ପାଖରେ ଠିଆହୋଇ ରହେ ଆଉ ତା କଥା ଶୁଣେ |
  ଦିନେ କହିଲା , " ମୁଁ ଦୁଇ ପୁଅଙ୍କୁ କହେ-- ଏଇଟା କଳିଯୁଗ ; ସତ୍ୟଯୁଗ ନୁହେଁ | କଳିକାଳରେ ଭଲରେ ଚଳିବା ପାଇଁ ଆମକୁ ଭାଗବତ , ଗୀତା ପଢିବାକୁ ହବ | ନହେଲେ କଳି ଗ୍ରାସ କରିବ |" କେତେ ଗୁଢକଥା ସେ କହିଲା ସେଦିନ | ଶୁଣି ମୋତେ ଭାରି ଭଲ ଲାଗିଲା | ଦିନେ ତା ଦୋକାନ ପାଖଦେଇ ସକାଳେ ଚାଲିଚାଲି ଆସୁଥିଲି |ତା ଦୋକାନରେ ତିନିଚାରି ଜଣ ଗରାଖ ଥିଲେ | ତାଙ୍କୁ କହୁଥିଲା, "ଆପଣମାନେ ପରିବା ଖିଆ ଅଭ୍ୟାସ ପିଲାଙ୍କୁ ଶିଖାନ୍ତୁ | ପରିବା ଖାଇ ଆମ ଜାତି ଭଲରେ ଥିଲା ; ଏବେ ପିଲେ ଚିକେନ, ମଟନ , ବର୍ଗର , ସସେଜ ଖାଇବା ପାଇଁ ପାଗଳ | ତାଙ୍କୁ ଶିଖାହେଉଛି ସବୁଦିନ ଆଳୁ ଖାଇବା ଖରାପ ଆଉ ଚିକେନ ଖାଇବା ଭଲ | ଆଜ୍ଞା ଆପଣ କଣ ଏଇ କଥାରେ ଭୁଲିଯାଇ ଖାଲି ଆମିଷପ୍ରିୟ ହେବେ ଆଉ ପରିବା ମହତ୍ୱ ଭୁଲିଯିବେ ?" ଗ୍ରାହକ ମନ୍ତ୍ରମୁଗ୍ଧ ହେଇ ତା କଥା ଶୁଣୁଥିଲେ | ଜାଣିଲି ମକରା କାହିଁକି ଏତେ ଲୋକପ୍ରିୟ ; ଆଉ ତା ବେପାର କାହିଁକି ଦିନକୁଦିନ ବଢି ଚାଲିଛି | ତା ମୁହଁରେ ସରସ୍ବତୀ ବିରାଜମାନ | ମନେମନେ ତା ମଙ୍ଗଳ କାମନା କଲି |
  ଦିନେ ମକରା  ସକାଳେ ଆମ ଘରକୁ ଆସିଲା | ତା ମୁହଁରେ ଗୋଟିଏ ସମସ୍ୟାର ଆଭାସ ପାଇଲି | ତା ଭଲମନ୍ଦ ପଚାରିଲି | ପରିବା ଦର ; ତା ବେପାର ; ଦୁଇ ପୁଅଙ୍କ କଥା କହୁଥାଏ | ମୁଁ କିନ୍ତୁ ଜାଣିଲି ସେ ଅସଲ ପ୍ରସଙ୍ଗକୁ ଆସୁନି | ତା ଦିହ କଥା ପଚାରିଲି | ସେ ଗମ୍ଭୀର ହେଇଗଲା | ତା ପାଟିରେ ଘା ବହୁତ ଦିନୁ ହେଲାଣି ; କିନ୍ତୁ ଶୁଖୁ ନଥିବା କହିଲା | "ଡାକ୍ତରଙ୍କୁ ଦେଖେଇଛି ; ତାଙ୍କ କହିବା ଅନୁସାରେ ଓଷଦ ଖାଇଛି | ଓଷଦ ଖାଇଲେ କିଛିଦିନ ଶୁଖି ଯାଉଛି ; ପୁଣି  ବାହାରୁଚି  |" ମକରା କହିଲା | ତାର କ୍ୟାନ୍ସର ଭୟ ହେଉଥିବା ମୁ ଅନୁଭବ କଲି | ବ୍ୟସ୍ତ ନହେବାକୁ କହିଲି | ତାକୁ ମୋର ଜଣେ ଜଣାଶୁଣା ଦାନ୍ତ ଡାକ୍ତରଙ୍କ ବିଷୟରେ କହିଲି | ତାଙ୍କୁ ଦେଖେଇବା ପାଇଁ ବୁଝେଇଲି | ମୁ ଡାକ୍ତରଙ୍କୁ ତା କଥା ଆଗରୁ କହିଦେଇଥିବି ଶୁଣି ସେ ଖୁସି ହେଲା | ଡେରି ନକରି ସେଇ ଡାକ୍ତରଙ୍କୁ ଦେଖେଇଲା | ଡାକ୍ତର ତା ପାଟି ଦେଖିଲେ ; କହିଲେ ତୁମେ ବ୍ୟସ୍ତ ହୁଅନି ; ଏଇଟା କ୍ୟାନ୍ସର ନୁହେଁ | ଓଷଦ ନାଁ ଲେଖିଦେଲେ ; କହିଲେ କେମିତି ଖାଇବାକୁ ହେବ | ମକରାର ଅନେକ ଅନୁରୋଧ ସତ୍ତ୍ୱେ ପଇସା ନେଲେନି ; କହିଲେ ସାର ପଠେଇଛନ୍ତି ; ତୁମ ବିଷୟରେ କହିଛନ୍ତି | ତୁମେ ଯାଅ | ମକରା ଆସି ଭାରି ଖୁସିରେ  ମୋତେ ସବୁକଥା କହିଲା | ତା ସ୍ୱାସ୍ଥ୍ୟ ବିଷୟ ଶୁଣି ମୋତେ ଭଲ ଲାଗିଲା |
**************

7th April, 2018

No comments:

Post a Comment