Thursday 28 June 2018

ଗୋଟିଏ ଯୁବକର ଜୀବନ ଯାତ୍ରା


ଗୋଟିଏ ଯୁବକର ଜୀବନ ଯାତ୍ରା

ଦେବୀ-କୁଆଖାଇ ଦୋଆବ ଅଂଚଳରେ ତା' ଘର | ଗୋପାଳ ସମ୍ପ୍ରଦାୟର ଯୁବକ | ଗାଁ ପାଖରେ ଗୋଟିଏ ଭଲ ଲୁଗାଦୋକାନ କରିଛି ; କିନ୍ତୁ କୌଳିକ ପେଶା ଅବ୍ୟାହତ ରଖିଥିବା ଜାଣି ଖୁସିହେଲି | ଯୁବକର ଜେଜେବାପା କଟକର ଜଣେ ବ୍ୟବସାୟୀଙ୍କୁ ନିୟମିତ ଛେନା ଯୋଗାଇବା ଆରମ୍ଭ କରିଥିଲେ ଏବଂ ସେଇ ବ୍ୟବସ୍ଥା ଆଜିଯାଏଁ ଚାଲିଛି | ପ୍ରତିଦିନ ଗୋଟିଏ କୁଇଣ୍ଟାଲ ଛେନା ଘରୁ ବିକ୍ରି ହେଇଯାଏ | ଦୁଇଟି ଗାଁରୁ ପ୍ରାୟ ପାଞ୍ଚଶହ ଲିଟର କ୍ଷୀର ସଂଗ୍ରହ ହେଇ ଘରକୁ ଅଣାଯିବା ବେଳକୁ ପ୍ରାୟ ଗୋଟେ ବାଜିଯାଇଥାଏ | ତାପରେ ଘରେ ଛେନା କଟାଯାଏ | ସେମାନେ ପନିର କରନ୍ତିନାହିଁ ; ଛେନା କରନ୍ତି | ଯୁବକର କହିବା କଥା ପନିର ଅପେକ୍ଷା ଛେନାରେ ଭଲ ମିଷ୍ଟାନ୍ନ ହେଇପାରେ | ତା ନିଜଘରେ ଏବେଯାଏଁ ପାଂଚଟି ଗାଈ ଅଛନ୍ତି | ସବୁଦିନ ସକାଳୁ ଗାଈ ବାଛୁରୀ ଯତ୍ନ ନେବା ପରେ ସେ ଦୋକାନ ଚଲେଇବା ପାଇଁ ପ୍ରସ୍ତୁତ ହୁଏ |ଏବେ ତା ବାପା ମୁଖ୍ୟତଃ କ୍ଷୀର ସଂଗ୍ରହ ଓ ଛେନା ବେପାର କରୁଛନ୍ତି | ଯୁବକ ମୋତେ କହୁଥାଏ ଆଜିକାଲି ଅନେକେ ସୁରଟ ବା ଅନ୍ୟ ଜାଗାର ମାୟାରେ ଘରଛାଡି ଚାଲି ଯାଉଛନ୍ତି ; ତେଣୁ କୌଳିକ ବୃତ୍ତି ଅନେକ ଗୋପାଳଙ୍କ ଘରେ ଧୀରେ ଧୀର ନିଷ୍ପ୍ରଭ ହେଇଆସୁଛି | କିନ୍ତୁ ସେ ପ୍ରତିଜ୍ଞାବଦ୍ଧ ଯେ କୌଳିକ ବୃତ୍ତି ଅବ୍ୟାହତ ରଖିବ | ଆମ ଦେଶରେ ଆଜି ଯୁବସମ୍ପ୍ରଦାୟ ଉତ୍ପାଦକ ହେବ ନା ସେବକ ହେବ ଏଇ ପ୍ରସଙ୍ଗ ଚର୍ଚିତ ହେଉଥିବାବେଳେ ଯୁବକର ନିଷ୍ପତ୍ତି ନିତାନ୍ତ ପ୍ରାସଙ୍ଗିକ ମନେହେଲା | ଦିନକୁ ଗୋଟେ କୁଇଣ୍ଟାଲ ଛେନା ଉତ୍ପାଦନ କରିବାର ସାମର୍ଥ୍ୟ ଏକ ସାଧାରଣ ଉପଲବ୍ଧି ବୁହେଁ | ଏହି ମନୋଭାବ ଏବଂ ଏହି ସଂକଳ୍ପ ଆଜିର ମନ୍ତ୍ର ହେବା ଆବଶ୍ୟକ | ଆମ ରାଜ୍ୟର ଅନେକ ଗାଁ ଆଜି ଯୁବଶକ୍ତିର ଚାଲାଣ ପ୍ରକ୍ରିୟା ଦ୍ୱାରା ଆକ୍ରାନ୍ତ ହୋଇ ଶ୍ରୀହୀନ ହେଇଯାଉଛନ୍ତି ; ଅଥଚ ଏହି ପ୍ରବାହର ମୁକାବଲା ଆମେହିଁ କରିପାରିବା | କାଲି ସନ୍ଧ୍ୟାରେ ଯୁବକଟିର ଜୀବନ-ଦର୍ଶନ ସମ୍ପର୍କରେ ଅବଗତ ହେବାପରେ ସେ ଯଶସ୍ବୀ ହେବାପାଇଁ ଆଶୀବାଦ ଦେବାବେଳେ ଆତ୍ମସନ୍ତୋଷ ବୋଧ କଲି |

*******

21st March, 2018

No comments:

Post a Comment