Friday 8 June 2018

ମାଛ ଚୋରି


ତିନି ଦିନ ତଳେ ଆମ ହାଉସ-କିପର ମାନଙ୍କୁ ବଗିଚା ପାଣିକୁଣ୍ଡର ପାଣି କାହିଁକି କେଉଁ କାରଣରୁ ମଇଳା ଦିଶିଲା | ତାଙ୍କ ମଧ୍ୟରୁ ସର୍ବଜ୍ୟେଷ୍ଠ ଗୃହ ପରିଚାଳକ କହିଲେ ପାଣିରୁ ଗନ୍ଧ ବାହାରୁଚି | ତାଙ୍କ ପ୍ରତିକାର ପନ୍ଥା ସମ୍ପର୍କରେ ମୁଁ ଜାଣିବାକୁ ଚାହିଁଲି | ଆମର ଗୋଟିଏ ପ୍ରାୟ ଅବ୍ୟବହୃତ ଛୋଟ କ୍ଷମତାର ପମ୍ପ ଦ୍ୱାରା ପାଣି ନିଷ୍କାସନ କରିବା ପାଇଁ ସେମାନେ ସ୍ଥିର କରିଥିବା ଜାଣିଲି | ମୋର ମୌନମୁଦ୍ରାକୁ ସେମାନେ ସମ୍ମତି ଭାବରେ ଗ୍ରହଣ କଲେ | ଆରମ୍ଭ ହେଲା ପମ୍ପକୁ ଠାବ କରିବା | ଆମେ ତାଂକ କାମ କରିବା ଶୈଳୀ ଯେମିତି ଜାଣୁ , ସେମାନେ ନିଜେ ଗୋଟିଏ ଜିନିଷ ଘରେ କେଉଁ ଜାଗାରେ ରଖିଥିବେ ଆଉ ଦରକାର ପଡିଲେ ତାକୁ ପୁଣି ଖୋଜିବେ | ଯାହାହେଉ , ଆମ ସୁନାପମ୍ପକୁ ଲୁଚକାଳି ଖେଳ ଭଲ ଲାଗେନି ; ସେ ଖୋଜା ହେବା ମାତ୍ରକେ ଆପେ ଆପେ ଧରାଦେଲା | ଗୃହ ତତ୍ଵାବଧାରକମାନେ ପମ୍ପକୁ ପାଣି ନିଷ୍କାସନ କାର୍ଯ୍ୟରେ ନିୟୋଜିତ କରିବା ପୂର୍ବରୁ ପମ୍ପର ସ୍ୱାସ୍ଥ୍ୟ ପରୀକ୍ଷା କରିବା ଶ୍ରେୟ ମନେକଲେ ଆଉ ପରୀକ୍ଷା ପରେ ପମ୍ପର ଏହି ଯନ୍ତ୍ରାଂଶ, ସେଇ ଯନ୍ତ୍ରାଂଶ ନଥିବା ବିଷୟ କହିଲେ ଏବଂ ବର୍ଷେହବ ଅବ୍ୟବହୃତ ଅବସ୍ଥାରେ ପଡିରହିଥିବା ଦୃଷ୍ଟିରୁ ପମ୍ପର ଏକ କାରିଗରର ମାଲିସ ଆବଶ୍ୟକ ଥିବା କହିଲେ | ମେକାନିକ ଖୋଜିବା ଦାୟିତ୍ୱ ସେମାନଙ୍କୁ ଦେଇଥିଲେ ପମ୍ପ ବୋଧହୁଏ ତିନିମାସ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇନଥାନ୍ତା | ତେଣୁ ତାଙ୍କ ସାଙ୍ଗରେ ଯୁକ୍ତି ନକରି ମୁଁ ଜଣେ ପରିଚିତ ବ୍ୟକ୍ତିଙ୍କୁ ଏକ ଯୋଗ୍ୟ ମେକାନିକଙ୍କ ବ୍ୟବସ୍ଥା କରିବାକୁ କହିଲି | ଦିନକ ଭିତରେ କାମ ହେଇଗଲା
ପାଣି ନିଷ୍କାସନ କାମ ଦୁଇଦିନ ରେ ସମାପ୍ତ ହେଲା | ଆମେ ଖବର ପାଇଲୁ କୁଣ୍ଡରେ ପ୍ରାୟ ଷାଠିଏ ସତୁରି କଊ ମାଛ ବଦଳରେ ଥିଲେ ମାତ୍ର ଛଅଟି | ଆମ ଆତ୍ମୀୟ ମାନେ ବରାଦି କରିଥିଲେ ଯେ କୁଣ୍ଡରୁ ପାଣି ବାହାରିଲେ ତାଙ୍କ କୁଣ୍ଡ ପାଇଁ କିଛି ମାଛ ଛୁଆ ପଠେଇବା ପାଇଁ | ଆମ ସିନିଅର ତତ୍ଵାବଧାରକ ସେମାନଙ୍କୁ ଛୋଟ ମାଛ ଦେବାପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲା | ବର୍ତ୍ତମାନ ତା ମୁହଁ ଫିକା ପଡିଗଲା | ଆମକୁ କୁହାଗଲା କୁଣ୍ଡରୁ ବହୁତ ପଙ୍କ ବାହାରିଲା | ଆମେ ତାଙ୍କୁ ମାଛ କୁଆଡେ ଗଲେ ବୋଲି ପଚାରିଲୁ | ସେମାନେ ଇଆଡ଼େ ସିଆଡେ ଅନେଇଲେ | ତାଙ୍କ ଅସୁବିଧା ଦେଖି ମୁଁ ତାଙ୍କୁ କାରଣ ଜଣେଇବାକୁ ତାଗିଦା କଲି | ମଝିଆଁ ଜଣକ ଟିକେ ଭାବି ଅନେକ ଥର କୁଣ୍ଡ କଡରେ ବଗ ବସିଥିବା ଦେଖିଥିବା କହିଲା | ତା'ପରେ ସମସ୍ତେ ତର୍ଜମା କରି ମାନିନେଲୁ ଯେ ବଗମାନେ ସବୁ ମାଛ ଚୋରି କରିଛନ୍ତି | ବଗମାନେ ଦୋଷୀ ଘୋଷିତ ହେବାରୁ ସେମାନେ ଆଶ୍ଵସ୍ଥ ହେଲେ
ଭାବିଥିଲେ ପ୍ରସଙ୍ଗଟିର ପରିସମାପ୍ତି ହେଇଗଲା | ଆଜି ସକାଳୁ କିନ୍ତୁ ମୁ ସରଜମିନ ତଦନ୍ତ କଲି | ଦେଖିଲି କୁଣ୍ଡରେ ଆଣ୍ଠିଏ ପାଣି ଅଛି | ମୁଁ ସେମାନଙ୍କୁ ଡାକି କହିଲି କୁଣ୍ଡରେ ସବୁବେଳେ ଆଣ୍ଠିଏ ପାଣି ରଖାଯିବା ବ୍ୟବସ୍ଥା ହବ | ମାଛମାନଙ୍କ ପାଇଁ ସେତିକି ପାଣି ଯଥେଷ୍ଟ ହବ | ପାଣି କମ ଥିବା ଫଳରେ ବଗଙ୍କ ଥଣ୍ଟ ପାଣି ପର୍ଯ୍ୟନ୍ତ ଯିବା ସମ୍ଭବ ହବନାହିଁ | ପାଣି ପଶି କୁଣ୍ଡରେ ପାଣି ପରିମାଣ ବଢିବା ମାତ୍ରକେ ପମ୍ପକୁ କାମରେ ଲଗେଇ ପାଣି ବାହାର କରାଯିବ | ଫଳରେ ବର୍ଷସାରା ଅକାମି ହେଇ ପଡ଼ିରହୁଥିବା ପମ୍ପର ଉପଯୁକ୍ତ ବ୍ୟବହାର ହେଇ ପାରିବ ଏବଂ ମାଛ ସଂଖ୍ୟା ମଧ୍ୟ ବଢିବ |
ମୁଁ କିନ୍ତୁ ତାଙ୍କୁ ଚେତାବନୀ ଦେଇ କହିଲି ଏହି ବ୍ୟବସ୍ଥା ସଫଳ ହବ ଯଦି ସବୁ ତତ୍ଵାବଧାରକ ମାନେ ନିଜନିଜ କାନ ଆଉ ବେକ ସନ୍ଧିରେ ଚବିଶଘଣ୍ଟା ମୋବାଇଲ ଫୋନ ଧରି ଗପିବା ଅଭ୍ୟାସ ବନ୍ଦ କରିବେ | ଏତେ ଗପିଲେ ବ୍ରେନ ଟିଉମର ହବାର ସମ୍ଭାବନା ସମ୍ପର୍କରେ ତାଙ୍କୁ ସତର୍କ କରାଇଲି | ଫୋନ ବ୍ୟବହାର କେବଳ ଜରୁରୀ କାମରେ କରିବାକୁ ତାଙ୍କୁ କହିଲି | ତାଙ୍କ ସାଙ୍ଗ ଆଜି କଉ ରଙ୍ଗର ଜାମା ପିନ୍ଧିଚି ; କି ଜଳଖିଆ ଖାଇଛି ; କଉ ସିନେମା ଏବେ ଗାଁ ସିନେମାଘରେ ଚାଲିଛି ଇତ୍ୟାଦି ଅନାବଶ୍ୟକ ପ୍ରସଙ୍ଗରେ ନ ଗପି ନିଜ କାମ ପ୍ରତି ଆଗ୍ରହ ରଖିବାକୁ ପରାମର୍ଶ ଦେଲି | ସେମାନେ ବୁଝିଲେ ମୁଁ ଆଉ ମାଛ ଚୋରି ବିଷୟରେ ଦେଶୀ ଚିନ୍ତା ନକରି ଫୋନକୁ ବେଶୀ ଗାଳି ଦଉଚି |
(10th June,2017)
***** 

No comments:

Post a Comment