Wednesday 13 June 2018

ସ୍ମାର୍ଟ ସିଟିର ଚଢେଇ ବିକାଳି


ସ୍ମାର୍ଟ ସିଟିର ଚଢେଇ ବିକାଳି

ଭୁବନେଶ୍ୱର ରେଳ ଷ୍ଟେସନ ପାଖ ଜଣାଶୁଣା ଅଶୋକ ମାର୍କେଟକୁ ସ୍ମାର୍ଟ ସିଟି ଗଢିବା ପାଇଁ ଖାଲି କରାଯାଇଥିଲା କେତେଦିନ ପୂର୍ବରୁ | ସେଠି ବ୍ୟବସାୟ କରୁଥିବା ଛୋଟ ବଡ ବ୍ୟବସାୟୀ ବହୁତ ବିରୋଧ କଲେ ; କିନ୍ତୁ ହାରିଲେ | ତାଙ୍କୁ ସେଠୁ ଉଠା ହେଲା | ମାର୍କେଟ ବିଲଡିଂଗ ଖାଲିହେବା ପରେ ଦିନାକେତେ ଭୁତକୋଠି ଭଳିଆ ରହିଲା | ଏବେ ଭଙ୍ଗା ହେଉଛି | କାଲି ସେଇବାଟ ଦେଇ ଯାଉଥିଲି ; ଦେଖିଲି ଖଣ୍ଡିଆଖାବରା ହେଇ ସେଇ ଅଟ୍ଟାଳିକାଟି ମରିଯାଇଛି | କେତେ ଚଳଚଂଚଳ ଥିଲା ସେଇ ଦୋକାନ ଗୁଡିକ | ସେଠି କୁନି ରଙ୍ଗୀନ ଚଢେଇ ; ଆକୁଆରିଅମ ରେ ରହୁଥିବା ବିଭିନ୍ନ ରଙ୍ଗର ମାଛ ; ମାଛ ଖାଦ୍ୟ ବି ମିଳୁଥିଲା | ମୁଁ କେତେଥର ଚଢେଇ ଆଉ ମାଛ ଦେଖିବା ପାଇଁ ସେଠିକି ଯାଉଥିଲି | ଗୋଟିଏ ଯୁବକ ବିକାଳି କେଜାଣେ କାହିଁକି ମୋତେ ବହୁତ ଆଦର ଦେଖାଉଥିଲା ; କିଣିବାବେଳେ ବହୁତ ପଇସା କମେଇ ଦେଉଥିଲା | ଆଉ ବେଳେବେଳେ ଫୋନ କରୁଥିଲା | ମୁଁ ଯେତେବେଳେ ତାକୁ ପଚାରେ "କାହିଁକି ଫୋନ କଲୁ ? କଣ କାମ ଅଛି?" ସେ କହୁଥିଲା "ଇଛାହେଲା ; ଆପଣ କେତେଦିନ ହେଲା ଆସି ନାହାନ୍ତି | କେବେ ମାଛ ଦେଖିବାକୁ ଆସନ୍ତୁ ; ନୂଆ ଚଢେଇ ବି ଆଣିଛି |"
ଅନେକ ମାସ ପରେ ଫୋନକରି ବିକଳ ହେଇ କହିଲା ଆମକୁ ବାହାର କରି ଦିଆଯାଉଛି | କୁଆଡେ ଯିବି ଜାଣି ପାରୁନି | ସେମାନେ ଯେଉଁ ଜାଗା ଦେଖାଉଛନ୍ତି ସେଠି କଣ ବେପାର ଭଲ ହବ ? ମୁଁ ତାକୁ ସାନ୍ତ୍ୱନା ଦେଲି ; କହିଲି " ଆଉ କଣ କରିହେବ ? ସ୍ମାର୍ଟ ସିଟି ନିହାତି ଦରକାର ; ନହେଲେ ହବନି | ତୁମ ଭଳିଆ ଲୋକଙ୍କୁ ସହିବାକୁ ହବ ; ତୁମ ସପନ ଚୁନାକରି ଗଢାହବ ନୂଆ ନଗର | ତୁ ଯା ; ସେଇଠି ଭଲରେ ରହ | ଭଗବାନ ତୋର ମଙ୍ଗଳ କରିବେ |" ତା ପରଠାରୁ ଆଉ ତା ପାଖରୁ ଫୋନ ପାଇନି |ଏବେ ନୂଆ ମାଛ-ଖାଦ୍ୟ ଦୋକାନ ଗୋଟିଏ ଠାବ ହେଇଚି ; ମାଛ-ଖାଦ୍ୟ ସେଇଠୁ ଆମ ଲୋକ ଆଣୁଛନ୍ତି |
କାଲି ଦେଖିଲି ଅଟ୍ଟାଳିକାର କେତେ ଅଂଶ ହାତୁଡି ବାଡିଆ ଖାଇ ଭାଙ୍ଗି ପଡିଛି | ଆଜି ଗୋଟିଏ ଖବରକାଗଜରେ ଭଙ୍ଗା ହେଉଥିବା ଖବର ବିସ୍ତୃତ ଭାବରେ ବର୍ଣ୍ଣନା କରାହେଇଛି | ଆଗ୍ରହ ହେଲା | ଆମୂଳଚୂଳ ପଢ଼ିଲି | କେମିତି ଦୋକାନୀ ମାନେ କୋର୍ଟକୁ ଯାଇଥିଲେ ; ନେହୁରା ହେଇଥିଲେ ଆଉ କେମିତି ଶେଷରେ ହାରିଗଲେ | କେମିତି ବମ୍ବେ ର ଠିକାଦାର କୁ ବଛାହେଲା ଭାଙ୍ଗିବା ପାଇଁ | ସେ ପୁଣି ଆମ ଅଫିସରଙ୍କୁ ଦେଖେଇଲା କେମିତି ଅତ୍ୟାଧୁନିକ ମେସିନରେ ଭଙ୍ଗା ହବ ; ଚଳଚଂଚଳ ଜାଗା ; କାହାକୁ ଅସୁବିଧା ଯେମିତି ହବନି ; କେବଳ ରାତିରେ ମେସିନ ଭାଙ୍ଗିବ ଆଉ ଅଳ୍ପଦିନ ଭିତରେ ସେ ଅଂଚଳ ସଫା ହେଇଯିବ | କିନ୍ତୁ ବାସ୍ତବରେ ମୁଲିଆ ହାତରେ ହାତୁଡି ଧରି ପିଟିପିଟି ଭାଙ୍ଗୁଥିବା ଖବର ବାହାରିଛି | ଲେଖାହେଇଛି ଯେ ଏମିତିହେଲେ କେତେ ଶ୍ରମିକ ଅକାରଣରେ ମୃତାହତ ହେବେ ଯଦି ଭାଙ୍ଗୁଥିବା ବେଳେ ଘର ଭୁଶୁଡି ପଡିବ | ଖବର ରେ ଅସନ୍ତୋଷ ବ୍ୟକ୍ତ ହେଇଚି ଯେ ମେସିନ ରେ ରାତିରେ କାହିଁକି ଭଙ୍ଗା ହେଉନି | 
ଖବର ପଢି ଭାବିଲି ଏମିତି ଖବର ର କଣ ପ୍ରଭାବ ପଡିବ ? ଏଠି ତ  ଶୁଣିଲାବାଲା ମାନେ କାଲା ; ସେମାନେ ଯାହା କହିବେ ସେଇଆ ହବ | ଚାଲୁ, ଯେମିତି ଚାଲିଛି | ପୁଣି ଭାବିଲି , ଅବ୍ୟବସ୍ଥାର ଅୟଂଆରମ୍ଭ ହେଲା | ଆଗ ଭଙ୍ଗା କାମ ସରିବ ; ତାପରେ ପାଇଲିଙ୍ଗ ଆରମ୍ଭ ହବ ବିରାଟ ଟାୱାର ତିଆରି ହେବା ପାଇଁ | କିନ୍ତୁ ସେ କେବେ ସରିବ ? କେମିତି ସେହି ବ୍ୟସ୍ତ ଅଂଚଳରେ ଅନିର୍ଦିଷ୍ଟ କାଳ ଯାଏଁ ସୁରୁଖୁରୁରେ ଲୋକ ଚାଲିବେ ; ଗାଡି ମଟର ଚାଲିବ : ଶୋଭାଯାତ୍ରା ଚାଲିବ !!


ପୁଣି ମନେପଡିଲା ସେଇ ଚଢେଇ ବିକାଳି | ତାକୁ ହୁଏତ କୁହା ଯାଇଥିବ ପୁନଃନିର୍ମାଣ ପରେ ତାକୁ ଦୋକାନ ଦିଆଯିବ | ସେତେବେଳକୁ ସେ ବୁଢା ହେଇ ଯାଇଥିବ ; ତାକୁ କିଏ ଚିନ୍ହବେନି ନା ସେ କାହାକୁ ଚିନ୍ହି ପାରିବ | ସେ ପୁଣି ଗୋଟିଏ ଛୋଟ  ଚଢେଇ ବିକାଳି !! ସେ କଣ ଏହି ଆଡମ୍ବର ପୁର୍ଣ ପରିବେଶ ପାଖ ପଶିପାରିବ ନା ଚଢେଇ ବିକି ପାରିବ  !!
13.06.2018
**********

No comments:

Post a Comment