Saturday 9 June 2018

ପାନିଆ କଇଁଚି କଥା


ଯୁବକ ନାପିତ ସିନା ମୋ ମୁଣ୍ଡ ଉପରେ ତା ପାନିଆ ଆଉ କଇଁଚି ଚଳାଉ ଥାଏ ; କିନ୍ତୁ ତା କାନ ଥାଏ ଗୋଟିଏ ଲୋକ ପାଖରେ | ପାଖ ଚୌକିରେ ବସି ସେ ଲୋକଟି ବାରମ୍ବାର ନେହୁରା କରୁଥାଏ, " କେବେ ବାବୁଙ୍କୁ ଆଣିବି କହୁନ ? ବାବୁଙ୍କ ଦିହ ଭଲ ନାହିଁ ; ଚୌକିରେ ବେଶୀ ସମୟ ବସି ଅପେକ୍ଷା କରି ପାରିବେନି | ତୁମେ ଯେତେବେଳେ ଏକୁଟିଆ ଥିବ କହିଲେ ମୁଁ ଡ୍ରାଇଭରକୁ କହିବି ସେ ବାବୁଙ୍କୁ ଆଣିବ |" ନାପିତ ଶୁଣୁଥାଏ ; କିନ୍ତୁ ନିରବ ରହୁଥାଏ | ଲୋକଟି ବୋଧହୁଏ ଗୋଟିଏ ନିର୍ଦ୍ଦିଷ୍ଟ ସମୟ ଠିକ କରିବା ଉଦ୍ଦେଶ୍ୟରେ କହିଲା " କଣ , ସାଢେ ବାରଟାରେ ଆଣିବି ?" ତଥାପି ନାପିତ ନିରୁତ୍ତର | ମୋତେ ଚିଡ଼ିମାଡ଼ିଲା | ମୁଁ କହିଲି " ତୁ ତାଙ୍କୁ ଜବାବ ଦେଉନୁ କାହିଁକି ? ସେ ବାରମ୍ବାର ତୋତେ ପଚାରୁଛି ; ନେହୁରା ହେଉଛି | କହିଦେ ସାଢେ ବାରଟାରେ ବାବୁଙ୍କୁ ଆଣିବାକୁ |"
 ଏଥର ତା ମୁହଁ ଖୋଲିଲା | କହିଲା " ଆପଣ ଆମ ଗ୍ରାହକମାନଙ୍କୁ ଜାଣି ନାହାନ୍ତି | ଯଦି ଚୌକି ଖାଲିଥିବ, ଆଉ ମୁଁ କହିବି ଆପଣ ଟିକେ ଅପେକ୍ଷା କରନ୍ତୁ ; ଜଣେ ଅସୁସ୍ଥ ବୟସ୍କ ବ୍ୟକ୍ତି ଦଶ ମିନିଟରେ ଆସୁଛନ୍ତି ; ତେବେ ତାଙ୍କ ରୁଦ୍ର ରୂପ ବାହାରିବ ; ଆଉ ସେ ମୋତେ ବସେଇ ଦେବେନି | ପରିସ୍ଥିତି ଅସମ୍ଭାଳ ହେବ | ଆଜି ପୁଣି ମୋ ଭାଇ ନାହିଁ ; ଗାଁ କୁ ଯାଇଛି ; ସେଲୁନ ରେ ମୁ ଏକୁଟିଆ | କେମିତି କହିବି ସାଢେ ବାରଟା ରେ ବୃଦ୍ଧ ଅସୁସ୍ଥ ଲୋକଙ୍କୁ ଆଣିବା ପାଇଁ ?" ମୁଁ ଶୁଣିଲି ଆଉ ଭାବିଲି ," ତା କଥା ବି ଠିକ |" ତାକୁ କହିଲି, " ତଥାପି ତୁ ଗୋଟେ ସମୟ ଦେ |" ସେ ଭାବିଲା ଆଉ କହିଲା " ସାଢେ ତିନିଟାରେ ଆଣ |" ମୁଁ ଖୁସି ହେଲି |
ଭାବିଲି ବୃଦ୍ଧ ଅସୁସ୍ଥ ମାନଙ୍କ କଥା | ଆମ ନିଜ କଥା | ଆମର ବାଳ କେମିତି କଟାହେବ ? ଗୋଡ ନଖ କେମିତି କଟା ହେବ ? ଆମେ ମନ୍ଦିରରେ ସୁବିଧାରେ ଦିଅଁ ଦର୍ଶନ କେମିତି କରିବୁ ? କମ୍ପ୍ୟୁଟରରେ ରେଳ ବା ବିମାନ ଯାତ୍ରା ପାଇଁ ଟିକେଟ କେମିତି କରିବୁ ? ସମାଜର କଣ କୌଣସି କର୍ତ୍ତବ୍ୟ ନାହିଁ ? ଖାଲି ଯେତେବେଳେ ଦେଖିବ ଘଣ୍ଟା ଘଣ୍ଟା ଗପ ହେଉଥିବ କର୍ଣ୍ଣାଟକରେ କିଏ ସରକାର କରିବ ; କେଉଁଠି ଘୋଡା ବେପାର ହେଇଥିଲା; ଆଉ ହବ | ମହାନଦୀ ବଞ୍ଚାଅ ଯାତ୍ରା ପାଇଁ ଖାସି କେଉଁଠୁ ଆସିବ | ଏମିତି ଚର୍ଚ୍ଚା ଚବିଶ ଘଣ୍ଟା ଚାଲିଲେ ବୁଢ଼ାବୁଢ଼ୀ ମାନଙ୍କର ଜୀବନ କେମିତି ସୁରୁଖୁରୁରେ ଯିବ ? ଯୁବାପିଢ଼ି ସମାଜ କଥା ଭାବନ୍ତୁ ; ଦୁଃଖୀର ଆଶାବାଡ଼ି ହୁଅନ୍ତୁ | ତାହାହେଲେ ଆମ ସମାଜ ଶିକ୍ଷିତ ବୋଲି ଖ୍ୟାତିଲାଭ କରିବ |
ମୁଁ ନାପିତକୁ କହିଲି ଟିକେଟ କରିବାକୁ | ଯେ ଆଗରୁ ଟିକେଟ କରିଥିବ ସେ ଆଗ ସେବା ପାଇବ | ସେ ହସିଲା , କହିଲା " ଆପଣ ସେମାନଙ୍କୁ ଚିହିଁ ନାହାନ୍ତି | ଜଣେ ସକାଳ ସାତଟା ବେଳେ ଆସି ଟିକଟ କରି କହିବ " ପାଞ୍ଚ ମିନିଟରେ ଚା ପିଇ ଆସୁଛି " ଏଇଆ କହି ଚାଲିଯିବ ରସୁଲଗଡ ; ଆଉ ଦଶଟା ବେଳକୁ ଆସି ଧମକ ଦବ; କହିବ " ମୋ ଚୌକି କାହିଁ ?" ମୁଁ ବୁଝିଲି |
ସକାଳୁ ମୁଁ ଏଇ ସେଲୁନ ଖାଲି ଥିବା ମୋ ଡ୍ରାଇଭର ଠୁଁ ଶୁଣି ଆସିଥିଲି କେମିତି ଶୀଘ୍ର ମୋ କାମଟା ଶୀଘ୍ର ହେଇ ଯିବ ବୋଲି | ଆସିଲା ବେଳକୁ ଦେଖିଲି ନାପିତ ପୂଜା କରୁଛି | ପୂଜା ବହୁତ ସମୟ ଚାଲିଲା | ମୁଁ ଶାନ୍ତ ହେଇ ବସିଲି , ଠାକୁରଙ୍କୁ ନମସ୍କାର କରୁଥାଏ ତା ସାଙ୍ଗରେ | ପୂଜା ସରିଲା | ଦେଖିଲି ଗୋଟେ ମୋଟା ଲୋକଟେ କେଉଁଠୁ ଆସି ଚୌକିରେ ବସିଗଲା | ମୋତେ ରାଗ ମାଡିଲା | ନାପିତ ମୋ ଆଡକୁ ଚାହିଁ କହିଲା "ସେ ବାରଣ୍ଡାରେ ବସିଥିଲେ ଆପଣଙ୍କ ଆଗରୁ |" ମୁଁ ଟିକେ ନରମିଲି | ତା ଆଡକୁ ଚାହିଁଲି | ଦେଖିଲି ଲୋକଟା ଏକଦମ ଚଂଦା ; ମୁଣ୍ଡ ପଛକୁ କେରେ ଖଣ୍ଡେ ବାଳ ଅଛି | ଖୁସି ଲାଗିଲା | ଭାବିଲି ଲୋକର କାମ ଅଳ୍ପ ସମୟରେ ସରିଯିବ | କାହିଁକି ତା ପ୍ରତି ଦୟା ଭାବ ଆସିଲା | ଭାବିଲି, "ବିଚରା ଲୋକଟି କାହିଁକି ଚଂଦା ମୁଣ୍ଡିଆ ହେଲା" | ଯାହାହେଉ ତା କାମ ସରିଲା ପରେ ତା ଆଡେ ଚାହିଁ ହସି ତାକୁ ବିଦାୟ ଦେଲି; ଆଉ ତା ଚୌକିରେ ବସିଲି |

***********  

No comments:

Post a Comment