ଆମ ରାଜ୍ୟର ସର୍ବପୁରାତନ
ମେଡିକାଲ କଲେଜ ଏସସିବି ଭାବରେ ପରିଚିତ ; ଜନମାନସରେ ଏହି ଅନୁଷ୍ଠାନ
ଆଜି ଶ୍ରୀରାମ ଚନ୍ଦ୍ର ଭଞ୍ଜଙ୍କ ସ୍ମୃତି ଉଦ୍ରେକ କରୁଥିବା ବୋଧହୁଏନାହିଁ | ବ୍ରହ୍ମପୁରରେ ସ୍ଥାପିତ
ମେଡିକାଲ କଲେଜ ଏମକେସି ଭାବରେ ପରିଚିତ : ହୁଏତ ଆମେ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ନାମକୁ
ଉଚ୍ଚାରଣ କରିବା କଷ୍ଟସାଧ୍ୟ ବୋଧ କରିଥାଉ | ବୁର୍ଲାରେ ସ୍ଥାପିତ
ମେଡିକାଲ କଲେଜ ସାଧାରଣତଃ ଭିଏସଏସ ଭାବରେ ପରିଚିତ | ବୀର ସୁରେନ୍ଦ୍ର ସାଏ ନାମଟି
ହୁଏତ ଅନେକଙ୍କ ପାଇଁ ଏକ ଅଚିଂହା ହୋଇଯାଇ ଥାଇପାରେ |ସେହିପରି ସମ୍ବଲପୁରର
ପ୍ରସିଦ୍ଧ କଲେଜକୁ ପ୍ରାୟ ସମସ୍ତେ ଜିଏମ କଲେଜ ଭାବରେ ସମ୍ବୋଧନ କରନ୍ତି ; କ୍ଵଚିତ ମୁହଁରେ ଗଙ୍ଗାଧର
ମେହେରଙ୍କ ନାମ ଶୁଣାଯାଇଥାଏ | ପୁରୀର ପ୍ରାଚୀନତମ କଲେଜ
ଏସସିଏସ କଲେଜ ଭାବରେ ପରିଚିତ ; ସାମନ୍ତ ଚନ୍ଦ୍ରଶେଖର ଏକ
ଅଜଣା ନାମ ଭଳି ଗ୍ରହଣ ହୁଏ ବୋଧହୁଏ |ଢେଙ୍କାନାଳର ପ୍ରାଚୀନ
ହାଇସ୍କୁଲ ବି ବି ଭାବରେ ଗ୍ରହଣୀୟ ହୁଏ ; ବ୍ରଜନାଥ ବଡ଼ଜେନାଙ୍କ ନାମ
ସହ ଆମେ ପ୍ରାୟ ଅପରିଚିତ | ଉଲ୍ଲିଖିତ କେତେଜଣ ଆମ
ରାଜ୍ୟର ଅସାଧାରଣ ପ୍ରତିଭା ସମ୍ପନ୍ନ ବ୍ୟକ୍ତିତ୍ୱଙ୍କ ନାମ ସହ ଆମର ଭାବାଗତ ସମ୍ପୃକ୍ତି ମଳିନ
ହେବାରେ ଲାଗିଛି ; ଅଥଚ ଅନୁଶୋଚନା ନାହିଁ ; ପ୍ରତିକାର ପାଇଁ କୌଣସି ସକ୍ରିୟତା
ପ୍ରଦର୍ଶନ ହେଉନାହିଁ |ଏହା ଆମ ଜାତିର ଦୁର୍ଭାଗ୍ୟ | ଏକ ରୁଗ୍ଣ ମାନସିକତା
ଦ୍ୱାରା ଆମେ କବଳିତ |
୧୮୬୫ ମସିହା ଜୁଲାଇ ମାସରେ
ଟମାସ ଏଡ଼ୱାଡ ରେଭେନଶା ନାମକ ଜଣେ ଅପରିପକ୍ଵ ବ୍ୟକ୍ତିତ୍ୱ ଓଡ଼ିଶାର କମିଶନର ଭାବରେ ଯୋଗଦାନ
କରିଥିଲେ |
ତାଙ୍କର ପୂର୍ବ ଅଭିଜ୍ଞତା
ସ୍ୱଳ୍ପ ଥିଲା ଏବଂ କମିଶନର ପଦବୀର ଆବଶ୍ୟକତା ଅନୁକୂଳ ନଥିଲା | ସେ ପ୍ରଥମରୁ ଓଡ଼ିଆଙ୍କ
ପ୍ରତି ଭ୍ରମଧାରଣା ପୋଷଣ କରୁଥିବା ଦୁର୍ଭିକ୍ଷ ଅନୁସନ୍ଧାନ କରିଥିବା କର୍ତୃପକ୍ଷ ତାଙ୍କ
ରିପୋଟରେ ବର୍ଣନା କରିଛନ୍ତି | ଭାଗ୍ୟର ବିଡମ୍ବନା ଯେ
କୌଣସି ପରିସ୍ଥିତିରେ ତାଙ୍କ ନାମରେ କଟକର କଲେଜ ନାମିତ ହେଲା | କିନ୍ତୁ ମୋର ପ୍ରଶ୍ନ ଏହି
କଲେଜକୁ କାହିଁକି ଆଜି ପର୍ଯ୍ୟନ୍ତ କିଏ ଜଣେ ମଧ୍ୟ ଟି ଏଆ ର କଲେଜ ଭାବରେ ସମ୍ବୋଧନ ନକରି ରେଭେନଶା କଲେଜ ଭାବରେ କାହିଁକି କୁହାଯାଏ | ଏହି ଭଦ୍ରବ୍ୟକ୍ତି
ଓଡ଼ିଶାରେ ରେଳରାସ୍ତା ନିର୍ମାଣର ବିରୋଧୀ ଥିଲେ : ଦୁର୍ଭିକ୍ଷର କରାଳତା ସମ୍ପର୍କରେ ତାଙ୍କର
କୌଣସି ଜ୍ଞାନ ନଥିଲା : ଦୁର୍ଭିକ୍ଷ ହେଉଥିବା ସମୟରେ ସେ ଦୀର୍ଘଦିନ ପାଇଁ ମୟୁରଭଞ୍ଜ ଗସ୍ତରେ ରହିଥିଲେ
;
ଚାଉଳ ଆମଦାନୀ କରିବା
ପ୍ରସ୍ତାବର ସପକ୍ଷରେ ନଥିଲେ |ଅଥଚ ଠିକ ସମୟରେ ଚାଉଳ
ଆମଦାନୀ କରାଯାଇଥିଲେ ଲକ୍ଷଲକ୍ଷ ଜୀବନ ରକ୍ଷା କରା ଯାଇ ଥାନ୍ତା |
ଆଜି ଅନେକେ ରେଭେନ୍ଶାଙ୍କ
ଅନୁରକ୍ତିରେ ଏତେ ସମର୍ପିତ ଯେ ତାଙ୍କ ନାଁରେ ନାମିତ କଲେଜ ବା ବିଶ୍ବବିଦ୍ୟାଳୟର ନାମ
ପରିବର୍ତ୍ତନ ପାଇଁ କୌଣସି ଆଲୋଚନା ହେବା ମାତ୍ରକେ ଏହା ବିପକ୍ଷରେ ନାନା ଯୁକ୍ତି ଉତଥାପାନ
କରିବାକୁ ଆଗେଇ ଆସୁଛନ୍ତି | ତାଙ୍କର ଯୁକ୍ତିର ସାରାଂଶ
ହେଲା ଆମ କଲେଜର ଐତିହ ଏହି ନାମ ସହିତ ସମ୍ପୃକ୍ତ | ତାଙ୍କର ବୋଧହୁଏ ଆଶଙ୍କା ଯେ
ଏହି ନାମ ପରିବର୍ତ୍ତନ ହେଲେ ବିଶ୍ବବିଦ୍ୟାଳୟ ଭୁଶୁଡି ପଡିବ | କେତେକ ଯୁକ୍ତି କରନ୍ତି ଯେ
ଓଡ଼ିଶାରେ ଅନେକ ଦୁର୍ଭିକ୍ଷ ହୋଇଥିଲା ; ୧୮୬୬ ମସିହା ଦୁର୍ଭିକ୍ଷ
ନୂଆ ନଥିଲା : ଏବଂ ରେଭେନ୍ଶାଙ୍କ କାର୍ଯ୍ୟରେ ସେମିତି କିଛି ଭୁଲ ଭଟକା ନଥିଲା | ଯଦିବା ଥିଲା, ତାହା ଏତେ ମାରାତ୍ମକ ନଥିଲା
;
ଏହିଭଳି ଦୁର୍ବିପାକ
ପରିଚାଳନାରେ ସେଇଭଳି ଭୁଲ ଭଟକା ହୋଇଥାଏ | ଏହିଭଳି ଦୁର୍ଭାଗ୍ୟଜନକ
ଯୁକ୍ତିର ପ୍ରାସଙ୍ଗିକତା କେତେ ତାହା ବିଚାର୍ଯ୍ୟ | ନୂତନ ନାମକରଣ ଫଳରେ ଚେନାଇ
ନଗରର ପ୍ରାଧାନ୍ୟ ହ୍ରାସ ପାଇନାହିଁ ; ମୁମ୍ବାଇ ନଗର ମଧ୍ୟ କୌଣସି
ଅସୁବିଧାର ସମ୍ମୁଖୀନ ହୋଇନାହିଁ | ବାଙ୍ଗାଲୁରୁ ଏବଂ କୋଲକାତା
କୌଣସି ଅସୁବିଧାର ସମ୍ମୁଖୀନ ହୋଇନାହାନ୍ତି | କେରଳ ରାଜ୍ୟରେ ଅନେକ
ପ୍ରମୁଖ ସହରର ନୂତନ ନାମକରଣ ହୋଇଛି | କିନ୍ତୁ ଏହି କ୍ଷେତ୍ରରେ
ଏଭଳି ତମ୍ବୁ ତୋଫାନ କାହିଁକି ହେଉଛି ?
ଆଲୋଚନା ଦୀର୍ଘ କରିବା ମୋର
ଅଭିପ୍ରାୟ ନୁହେଁ | ଦୁର୍ଭିକ୍ଷ ପ୍ରାକୃତିକ
କାରଣ ଯୋଗୁଁ ହୋଇଥିଲା; କିନ୍ତୁ ଲକ୍ଷ ଲକ୍ଷ ଲୋକଙ୍କ
ମୃତ୍ୟୁ ରେଭେନଶା ଭଳି କେତେକ ଅଧିକାରୀ ମାନଙ୍କ ଅବିମନୁଷ୍ୟତା ଯୋଗୁଁ ହୋଇଥିବା ଦୃଷ୍ଟିକୋଣ
ପରିପୋଷଣ କରୁଥିବା ବ୍ୟକ୍ତିବୃନ୍ଦ ସତ୍ୟର ଅପଳାପ କରୁନାହାନ୍ତି | ଆମ ବିଶ୍ବବିଦ୍ୟାଳୟର
ଗୁଣାତ୍ମକ ମାନ ରେଭେନଶା ନାମ ଉପରେ ନିର୍ଭରଶୀଳ ନୁହେଁ | ଏହି ନାମ ପରିବର୍ତ୍ତନ
ପ୍ରସ୍ତାବ ମଧ୍ୟ ଅବାନ୍ତର ନୁହେଁ | ଏହି ନାମର ବୋଝ ବହନ କରିବା
ଆମ ସ୍ୱାଭିମାନ ପାଇଁ ଏକ ସ୍ପୃହଣୀୟ ଆବଶ୍ୟକତା ନୁହେଁ | ଏହି ବ୍ୟକ୍ତିଙ୍କପ୍ରତି
ଆନୁଗତ୍ୟ ପ୍ରଦର୍ଶନ ଏକ ଗ୍ରହଣୀୟ ମାନସିକତା ଭାବରେ ମୁ ସ୍ଵୀକାର କରିବା ପାଇଁ ଅକ୍ଷମ |
(29th
May, 2017)
************
No comments:
Post a Comment