Wednesday 20 June 2018

କଣ୍ଠଶିଳ୍ପୀ ସୋନା ମହାପାତ୍ରଙ୍କ "ଆହେ ନୀଳ ଶଇଳ " ଜଣାଣ ଗାୟନ --- ଏକ ଭିନ୍ନ ସ୍ୱର






                                                                                                                                                                                ଆମ ପୋଷା କୁକୁର ଆମ ଘରକୁ ଆସିଥିବା ଲୋକକୁ କାମୁଡ଼ିଦେଲେ ଆମେ କାମୁଡା ଖାଇଥିବା ଲୋକକୁ କହୁ," ଆମ କୁକୁର ନିତାନ୍ତ ଶାନ୍ତ ପ୍ରକୃତିର , କିନ୍ତୁ ତୁମ ବ୍ୟବହାର ଯୋଗୁଁ ଏମିତି ହେଲା |" କିନ୍ତୁ  ବାଇକରେ ଯାଉଥିବା ବେଳେ ରାସ୍ତାକଡ଼ରେ ଶୋଇଥିବା ବୁଲାକୁକୁର ଲାଞ୍ଜ ଉପରେ ଅସାବଧାନରେ ଚକ ଚଢେଇ ଦେବା ପରେ ହଠାତ କୁକୁରଟି ଉତ୍ତେଜିତ ହୋଇ ଆମ  ପଛରେ ଦୌଡ଼ି ଯଦି ଆମ  ଗୋଡ଼କୁ କାମୁଡ଼ିଦେଲା, ଆମେ  ରାଗି ଯାଇ ତାକୁ ଲହୁଲୁହାଣ କରିଦେଉ  | ପୋଷା ଷଣ୍ଢ ଯଦି ଆମ ବଗିଚା କଖାରୁ ଖାଇଗଲା, ତାକୁ ପାକୁଳା ପାକୁଳି କରି ଗୁହାଳରେ ବାନ୍ଧିଦେଉ ; କିନ୍ତୁ ବୁଲା ଷଣ୍ଢ ଯଦି ଏମିତି କଲା, ତାକୁ ନିର୍ଘାତ ମାଡ ଦେଇ ଛୋଟା କରିଦେଉ | ଏମିତି ମାନସିକତା ପ୍ରଦର୍ଶନ ଆମ ସମାଜରେ ନିତିଦିନିଆ ଘଟଣା | ଆମ ଦୃଷ୍ଟିରେ ଢୋଲ ଭିତର ମୂଷା ଭଲ ; ବାହାର ମୂଷା ଚୋର | ଯେମିତି ମନ୍ଦିରରେ ଭକ୍ତଙ୍କୁ ମାଡ ହେଉ ; ବ୍ରହ୍ମବିଭ୍ରାଟ ହଉ ବା ଚାବି ଚୋରି ହେଉ ଅଥବା ନିତିଦିନ ଆମ ଭାଷାକୁ ବିକୃତ ଭାବରେ କହୁଥିବା ନେତା ହୁଅନ୍ତୁ , ଏପରି କ୍ଷେତ୍ରରେ ଆମ ପ୍ରତିକ୍ରିୟା ମୃଦୁ ହେବ ; କିନ୍ତୁ କିଏ ଭଜନ ଗାଇଲା ବେଳେ ଶୁଦ୍ଧ ଉଚ୍ଚାରଣ ବା ଶୁଦ୍ଧ ଶବ୍ଦ ବ୍ୟବହାର କଲାନି , ତାହାହେଲେ ଆମ ପ୍ରତିକ୍ରିୟା ହେବ ତୀବ୍ର ଓ ଉଗ୍ର | ଆମେ କଣ ଢୋଲ ଭିତର ମୂଷାରେ ଦେବଦର୍ଶନ କରୁ ଆଉ ବାହାର ମୁଷାରେ ଶୈତାନ ଦେଖୁ ?

ମୋର ଏହି ଟିପ୍ପଣୀକୁ ଭୁଲ ନ ବୁଝିବାକୁ ଅନୁରୋଧ କରୁଛି | ଆମେ ଆତ୍ମସମୀକ୍ଷା କରିବା | ଆଜି ଯେଉଁ ଓଡିଆମାନେ ପଚାଶ ବର୍ଷ ବୟସ ରେ ପହଂଚି ନାହାନ୍ତି, ସେମାନଙ୍କ ମଧ୍ୟରୁ କେତେ ପ୍ରତିଶତ ସାଲବେଗଙ୍କ କାଳଜୟୀ ଜଣାଣର ପ୍ରଥମ ପଦର (ଆହେ ନୀଳଶଇଳ, ପ୍ରବଳ ମତ୍ତବାରଣ, ମୋ ଆରତ ନଳିନୀ ବନକୁ କର ଦଳନ) ଅର୍ଥ ସଠିକ କହି ପାରିବେ ? ଭୁବନେଶ୍ବରର ଜଣାଶୁଣା ବିଦ୍ୟାଳୟର କେତେଜଣ ଛାତ୍ରଛାତ୍ରୀ ଏହାର ଅର୍ଥ ବ୍ୟାଖ୍ୟା କରିବାକୁ ସମର୍ଥ ? କିଛିଦିନ ତଳେ ଜଣେ ପ୍ରାପ୍ତବୟସ୍କ ଜଣାଶୁଣା ଲେଖକ ବନ୍ଧୁଙ୍କୁ ଏହି ପଦର ଅର୍ଥ ପଚାରିଥିଲି | ସେ ଅପ୍ରସ୍ତୁତ ହେଇ କହିଲେ ସେ କହିପାରିବେନି ଏବଂ ଦୁଃଖ ପ୍ରକାଶ କରିଥିଲେ | ଆପଣମାନେ ମଧ୍ୟ  ଚିନ୍ତା କରନ୍ତୁ ଏବଂ ସତ କୁହନ୍ତୁ ଆପଣ ଏହାର ଅର୍ଥ କହି ପାରିବେକି |

ଯେମିତି କୁହନ୍ତି " ବୁଝ ନବୁଝ ପଢ ଗୀତା" , ସେମିତି ଅନେକେ ଏହି ଜଣାଣ ବୋଲନ୍ତି ; ଭାବ ବିହ୍ଵଳ ହୁଅନ୍ତି ; ଆଖିରୁ ଲୁହ ମଧ୍ୟ ଗଡ଼ାନ୍ତି | ଠାକୁର ତାଙ୍କ ଭାବ ଦେଖନ୍ତି | କିନ୍ତୁ ସେମାନଙ୍କ ଭିତରୁ କେତେଜଣ ପ୍ରତ୍ୟେକ ପଂକ୍ତିର ଅର୍ଥ ବୁଝିଥାନ୍ତି ? ମୃଗୁଣୀ କୁ କିଏ କଷଣ ଦେଇଥିଲା ? ନକ୍ର କଣ ? ମତ୍ତବାରଣ ମାନେ କଣ ? ଅନେକ ଶବ୍ଦ ର ଅର୍ଥ ଗାଉଥିବା ବ୍ୟକ୍ତିଟି ପାଏ ନାହିଁ ; କିନ୍ତୁ ଏହି ଜଣାଣ ତା  ହୃଦୟକୁ ଆନ୍ଦୋଳିତ କରେ  |

 କିଛିଦିନ ତଳେ ଜଣେ ଜଣାଶୁଣା କଣ୍ଠଶିଳ୍ପୀ ସାଲବେଗଙ୍କ ଜଣାଣ " ଆହେ ନୀଳ ଶଇଳ " ଗାନ କରିଥିବା ସମୟରେ ଅନେକ ଭୁଲ ଭଟକା କରିଥିବା ଚର୍ଚ୍ଚାରେ ଆସିଛି | ଅନେକେ ତାଙ୍କର ଶବ୍ଦ ଉଚ୍ଚାରଣ ଶୈଳୀ ଏବଂ ପ୍ରମାଦପୂର୍ଣ୍ଣ ଶବ୍ଦ ବ୍ୟବହାର ଫଳରେ ମର୍ମାହତ ହୋଇଛନ୍ତି | ସୋସାଲ ମିଡିଆରେ ଅନେକ ଓଡ଼ିଆ ପ୍ରେମୀ ନିଜ ଆହତ ସ୍ୱାଭିମାନ ସମ୍ପର୍କରେ ବର୍ଣ୍ଣନା କରିଛନ୍ତି | ମୁଷ୍ଟିମେୟ ବ୍ୟକ୍ତି ଏହି  ଘଟଣା ପ୍ରତି ଏତେଟା ଗୁରୁତ୍ୱ ନଦେବା ପାଇଁ ନିବେଦନ କରିଛନ୍ତି ଏବଂ ଗାୟିକାଙ୍କୁ ଭବିଷ୍ୟତରେ ନିର୍ଭୁଲ ଶବ୍ଦ ବ୍ୟବହାର ଏବଂ ଉଚ୍ଚାରଣ କରିବା ପାଇଁ ଅନୁରୋଧ କରିଛନ୍ତି | ଇତିମଧ୍ୟରେ ଗାୟିକା ମଧ୍ୟ ନିଜ ମତାମତ ବ୍ୟକ୍ତ  କରିଛନ୍ତି ଏବଂ ପରିମାର୍ଜିତ ସଂସ୍କରଣ ପ୍ରସ୍ତୁତ କରିବା ପାଇଁ ପ୍ରତିଶୃତି ଦେଇଛନ୍ତି |

କଣ୍ଠଶିଳ୍ପୀଙ୍କ ଲିବାସ ରୁଚିପୂର୍ଣ୍ଣ ଥିଲା ବା ନଥିଲା ତା ମଧ୍ୟ ଆଲୋଚିତ ହେଉଛି | କାହିଁକି ? ଜଣେ ଧଳା ପାଇଜାମା , ପଂଜାବୀ ପିନ୍ଧୁଥିବା ବ୍ୟକ୍ତିଟିଏ ମଧ୍ୟ ଅତ୍ୟଧିକ ମଦ୍ୟପାନ ଏବଂ ଧୁମ୍ରପାନ କରୁଥିବା ସମ୍ଭବ ; ଦାତି ମହାରାଜ ଗେରୁଆ ବସ୍ତ୍ର ପିନ୍ଧନ୍ତି କିନ୍ତୁ ଯୌନ ଅତ୍ୟାଚାର କରୁଥିବା ଅଭିଯୋଗ ହୁଏ | ଆମେ ଯଦି କଣ୍ଠଶିଳ୍ପୀଙ୍କ ଭାବନାର ସମ୍ମାନ କରିବା ତେବେ ତାଙ୍କ ଲିବାସ ଆଡକୁ ଚାହିଁବା କାହିଁକି ; ବା କଟୁଟିପ୍ପଣୀ  କରିବା କାହିଁକି ?

ଜଣେ ଯଦି ଉଚ୍ଚାରଣରେ ଅନିଚ୍ଛାକୃତ ତ୍ରୁଟି କଲା ତାହା ସମ୍ପର୍କରେ କଟୁ ଆଲୋଚନା ସ୍ପୃହଣୀୟ ବୋଧ ହୁଏନି  | ବିଶେଷକରି ଆମ ଓଡ଼ିଆଙ୍କ ପାଇଁ ଯେଉଁମାନେ ପ୍ରାୟ ଦୁଇ ଦଶନ୍ଧି ଧରି ଆମ ଭାଷାକୁ ବିକୃତ କରି କହୁଥିବା ନବୀନ ପଟ୍ଟନାୟକଙ୍କୁ ନିନ୍ଦା ନକରି  ଅତ୍ୟଧିକ ଶ୍ରଦ୍ଧା  ଏବଂ ସ୍ନେହଦେଇ ଆସିଛନ୍ତି   | ସେ  ଆମ ଭାଷାର ଅମର୍ଯ୍ୟାଦା କରୁଥିବା ସମ୍ପର୍କରେ କେଉଁ ଜାଗାରେ ତ ଜନ ଆନ୍ଦୋଳନ ହେଉନି ? ଏହି କ୍ଷେତ୍ରରେ ତମ୍ବିତୋଫାନ କାହିଁକି ?

କଣ୍ଠଶିଳ୍ପୀଙ୍କ ଜଗନ୍ନାଥ ଜଣାଣ ଗାନ ପାଇଁ ବରଂ ମୁଁ  ଅଭିନନ୍ଦନ ଜଣାଉଛି ଏବଂ ଏହି ଅବସରରେ ତାଙ୍କୁ ଅଧିକ ପ୍ରୟାସ କରି  ଭବିଷ୍ୟତରେ ଉଚ୍ଚାରଣ ପ୍ରତି ଅଧିକ ଦୃଷ୍ଟି ଦେବା  ପାଇଁ ଉପଦେଶ ଦେଉଛି |  ଭଗବାନଙ୍କ  ଅନେକ ସ୍ତୁତି ତାଙ୍କ  ଅପୂର୍ବ କଣ୍ଠସ୍ୱରରେ ଗୁଞ୍ଜିତ ହେଉ |ତାଙ୍କ   ଭବିଷ୍ୟତ ଉଜ୍ଜ୍ୱଳ ହେଉ | ବାଦାନୁବାଦ ର ଅବସାନ ହେଉ | ଭକ୍ତି ଏବଂ ବିଶ୍ୱାସର ବିଜୟ  ହେଉ |



**********  


20-06-2018    


No comments:

Post a Comment