Friday 8 June 2018

ଆମ ରାଜ୍ୟର ମାନବସମ୍ବଳ


ଯେକୌଣସି ରାଜ୍ୟଭଳି ମାନବସମ୍ବଳ ଆମରାଜ୍ୟର ମଧ୍ୟ ସର୍ବଶ୍ରେଷ୍ଠ ସମ୍ପଦ | ଏହି ସମ୍ପଦ ନିରନ୍ତନ କାର୍ଯ୍ୟଦକ୍ଷ ହୋଇ ରହିପାରିଲେ ରାଜ୍ୟ ସମୃଦ୍ଧ ହୋଇଥାଏ | ଅନେକ କ୍ଷେତ୍ରରେ କୌଣସି ଉଦ୍ୟୋଗରେ ଅବ୍ୟବସ୍ଥା ଫଳରେ ଉଦ୍ୟୋଗର ଅନେକ ମୂଲ୍ୟବାନ ସମ୍ପଦ ନିଜ କାର୍ଯ୍ୟଦକ୍ଷତା ହରାଇଥାନ୍ତି ଏବଂ ଅକାମି ହୋଇଯାନ୍ତି | ଫଳରେ ସେଗୁଡିକ ସମ୍ପୃକ୍ତ ଉଦ୍ୟୋଗର ଅଭିଦୃଦ୍ଧିରେ ସହାୟକ ଭୂମିକା ଗ୍ରହଣ ପାଇଁ ଅକ୍ଷମ ହୋଇ ଉଦ୍ୟୋଗ ପାଇଁ ବୋଝ ହୋଇଥାନ୍ତି | ଉଦ୍ୟୋଗ କ୍ରମଶଃ ଉତ୍ପାଦିକା ଶକ୍ତି ହରାଇଥାଏ ଏବଂ ସମଗ୍ର ଉଦ୍ୟୋଗ ରୁଗ୍ଣ ହୋଇଯାଏ | ସେହିଭଳି ଆମ ରାଜ୍ୟର ମାନବ ସମ୍ବଳ ଯଦି ସର୍ବଦା ସୁସ୍ଥ ଏବଂ କାର୍ଯ୍ୟଦକ୍ଷ ରହିବେ ତେବେ ରାଜ୍ୟ ସମୃଦ୍ଧ ହେବ | ଯଦି ବିଭିନ୍ନ କାରଣ ଯୋଗୁଁ ଆମ ମାନବ ସମ୍ବଳର କାର୍ଯ୍ୟଦକ୍ଷତା ହ୍ରାସ ପାଏ କିମ୍ବା ସ୍ୱଳ୍ପ ହୁଏ ତେବେ ଆମ ରାଜ୍ୟର ଆର୍ଥିକ ସ୍ୱାସ୍ଥ୍ୟ ମଧ୍ୟ ଦୁର୍ବଳ ହୁଏ | ଆମ ଜନଶକ୍ତି ର ଉତ୍ପାଦିକା ଶକ୍ତି କେତେ ? ଏହାର କେତେ ପରିମାଣ ବିନିଯୋଗ ହେଉଛି ? ଏହା ଏକ ଗୁରୁତ୍ୱପୂର୍ଣ ଏବଂ ସମ୍ବେଦନଶୀଳ ପ୍ରସଙ୍ଗ | ଉଦାହରଣ ମାଧ୍ୟମରେ ଏକ ମୋଟାମୋଟି ଚିତ୍ର ଉପସ୍ଥାପନ ସମ୍ଭବ |ପ୍ରାୟ ତିନି ଚାରି ବର୍ଷ ପୂର୍ବେ ଯେତେବେଳେ ଆମ ରାଜ୍ୟର ଜିଡିପି ( ସମଗ୍ର ଆୟ ) ୪୨.୩୮ ବିଲିଅନ ଡଲାର ଥିଲା, ସେତେବେଳେ ଏହି ପରିମାଣର ଜାତୀୟ ଆୟ ଥିଲା ଲିଥୁଆନିଆ ରାଷ୍ଟ୍ରର | ପଶ୍ଚିମ ୟୁରୋପ ର ବାଲଟିକ୍ ଅଂଚଳରେ ଏହାର ଅବସ୍ଥିତି | ଏହି ଦେଶର ଲୋକସଂଖ୍ୟା ମାତ୍ର ତିରିଶ ଲକ୍ଷ | ଅଥଚ ଓଡିଶା ର ଜନସଂଖ୍ୟା ଚାରିଶହ କୋଡ଼ିଏ ଲକ୍ଷ | ଓଡିଶା ଜନସଂଖ୍ୟା ସହିତ ତୁଳନୀୟ ଏକ ରାଷ୍ଟ୍ର ହେଉଚି ଦକ୍ଷିଣ ଆମେରିକାର ଚାରିଶହ ଲକ୍ଷ ଜନସଂଖ୍ୟା ଥିବା ଆର୍ଜେଣ୍ଟାଈନା ଦେଶ | ଏହାର ଜାତୀୟ ଆୟ ସେତେବେଳେ ଥିଲା ୪୪୮ ବିଲିଅନ ଡଲାର | ଅବଶ୍ୟ ଡଲାରର କ୍ରୟଶକ୍ତିର ଦେଶଦେଶ ମଧ୍ୟରେ ପାର୍ଥକ୍ୟ ରହିଚି ଏବଂ ବିକାଶ ଅନେକ କାରଣ ଦ୍ବାରା ପ୍ରଭାବିତ ହୋଇଥାଏ | ଏହିସବୁ ଜଟିଳ ପ୍ରସଂଗ ପ୍ରାସଂଗିକ ହୋଇ ତୁଳନାତ୍ମକ ବିଶ୍ଲେଷଣ କୁ ଏକ କ୍ଲିଷ୍ଟ ପ୍ରଚେଷ୍ଟା କରିବା ସତ୍ତ୍ବେ ଏହି ତୁଳନାତ୍ମକ ଚିତ୍ରରୁ ଆମ ଜନସମ୍ବଳର ଅନ୍ତର୍ନିହିତ ଉତ୍ପାଦିକା ଶକ୍ତି ସମ୍ପର୍କରେ କିଂଚିତ ଆକଳନ କରାଯାଇ ପାରେ |ସ୍ଥୂଳତଃ ଆମେ ବୋଧହୁଏ ଆମ ଅନ୍ତର୍ନିହିତ ଶକ୍ତିର ମାତ୍ର ଏକ ପଂଚମାଂଶ ଉତ୍ପାଦନରେ ପରିଣତ କରୁଚୁ ଏବଂ ଅଧିକାଂଶ ସାମର୍ଥ୍ୟର ବିନିଯୋଗ ହୋଇପାରୁନାହିଁ | ପରିସଂଖ୍ୟାନ ଦୃଷ୍ଟିରୁ ଅନେକ ବିଜ୍ଞ ବ୍ୟକ୍ତି ଏହା ଏକ ନିର୍ଭୁଲ ଆକଳନ ଭାବରେ ଗ୍ରହଣ କରି ନପାରିବା ସ୍ବାଭାବିକ ; କିନ୍ତୁ ଏହାକୁ ଏକ ସାଙ୍କେତିକ ଏବଂ ପ୍ରେରଣାସ୍ପଦ ଉଦାହରଣ ଭାବରେ ଗ୍ରହଣ କଲେ ଆମେ ଆତ୍ମସମୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରି ପାରିବା |
ଆମ ରାଜ୍ୟର କର୍ମଜୀବୀ ମାନଙ୍କ ମଧ୍ୟରୁ ଶତକଡା ୬୧.୮ ଭାଗ କୃଷିକାର୍ଯ୍ୟରେ ନିୟୋଜିତ ଥାନ୍ତି | ଆମ ରାଜ୍ୟର ସମଗ୍ର ଆୟର ମାତ୍ର ୧୫.୪ ପ୍ରତିଶତ କୃଷି କ୍ଷେତ୍ରରୁ ଆସିଥାଏ | ଅବଶ୍ୟ ବିଶ୍ଵବ୍ୟାପୀ କୃଷି କ୍ଷେତ୍ରର ଆୟ ବିଶ୍ବର ସମଗ୍ର ଆୟର ମାତ୍ର ୪ ପ୍ରତିଶତ ହୋଇଥିବା ବେଳେ ଉଦ୍ୟୋଗ କ୍ଷେତ୍ରର ଭାଗ ୩୨ ପ୍ରତିଶତ ଏବଂ ସର୍ଭିସେସ କ୍ଷେତ୍ରର ଭାଗ ୬୪ ପ୍ରତିଶତ ଥିବା ତାତ୍ପର୍ଯ୍ୟପୂର୍ଣ୍ଣ | ବିଶ୍ବର ତୃତୀୟ ବୃହତ୍ତମ ଧନୀ ଦେଶ , ଜାପାନ ର ଲୋକସଂଖ୍ୟା ପ୍ରାୟ ତେର କୋଟି ଏବଂ କୃଷିକ୍ଷେତ୍ରର ଆୟ ସମଗ୍ର ଆୟର ମାତ୍ର ୧.୨ ପ୍ରତିଶତ | ସର୍ଭିସେସ କ୍ଷେତ୍ର ରୁ ଆୟ ୭୧.୨ ପ୍ରତିଶତ ଏବଂ ଉଦ୍ୟୋଗ କ୍ଷେତ୍ରର ଆୟ ୨୭.୭ ପ୍ରତିଶତ | ଯେଉଁଠାରେ ଉଦ୍ୟୋଗ ଅତ୍ୟନ୍ତ ବିକଶିତ ସେହିଠାରେ ଉଦ୍ୟୋଗ ଏବଂ ସମ୍ପୃକ୍ତ ସର୍ଭିସେସ ଗୁଡିକ ବିକଶିତ ହେବାପାଇଁ ସୁଯୋଗ ମିଳିଥାଏ | ଆମ ରାଜ୍ୟରେ ସେହି ସ୍ଥିତି ଏପର୍ଯ୍ୟନ୍ତ ଉପୁଜିନାହିଁ | ଅଧିକାଂଶ କର୍ମଜୀବୀ କୃଷିକ୍ଷେତ୍ରରୁ ଜୀବନ ଯାପନ କରୁଛନ୍ତି | ତେଣୁ ଏହି କ୍ଷେତ୍ରର ଉତ୍ପାଦନ ବୃଦ୍ଧି ହେବା ନିତାନ୍ତ ଆବଶ୍ୟକ |
କୃଷି କ୍ଷେତ୍ରରେ ଦୁଇପଦ ଉଲ୍ଲେଖ କରିବା ପ୍ରାସଙ୍ଗିକ ବୋଧହୁଏ |ଦୁଗ୍ଧ ଉତ୍ପାଦନ ସମ୍ପର୍କରେ ସ୍ୱଳ୍ପ ଆଲୋଚନା ହେବା ଆବଶ୍ୟକ | ଗୋପାଳନ, ଗୋସମ୍ପଦର ଯତ୍ନ ଇତ୍ୟାଦି ଆମ ଚାଷୀଙ୍କ ପାଇଁ ନୂଆନୁହେଁ | ଏହି କ୍ଷେତ୍ରରେ ଉନ୍ନତ ଧରଣର ପରିଚାଳନା ପାଇଁ ମଧ୍ୟ ତାଙ୍କର ଯଥେଷ୍ଟ ଯୋଗ୍ୟତା ରହିଛି.|ଦୁଗ୍ଧ ଉତ୍ପାଦନ ରାଜ୍ୟରେ ବୃଢ଼ହି ହେଉଛି ; କିନ୍ତୁ ଯଥେଷ୍ଟ ବୃଦ୍ଧି ପାଇଁ ବ୍ୟାପକ ସୁଯୋଗ ରହିଛି | ଦୁଗ୍ଧ ଉତ୍ପାଦନ ପରିମାଣ ଆଜି ଆମ ଦେଶର ସର୍ବାଧିକ କୃଷି ସାମଗ୍ରୀ ଭାବେ ମାନ୍ୟତା ଲାଭକରିଛି ; ଏହା ଧାନ ଉତ୍ପାଦନ ପରିମାଣରୁ ମଧ୍ୟ ଅଧିକ | ୨୧୧୪-୧୫ ବର୍ଷ ଦେଶରେ ୧୪୬.୩୧ ନିୟୁତ ଟନ ଦୁଗ୍ଧ ଉତ୍ପାଦନ ହୋଇଥିଲା ବେଳେ ଆମରାଜ୍ୟରେ ମାତ୍ର ୧୯ ଲକ୍ଷ ଟନ ଉତ୍ପାଦନ ହୋଇଥିଲା ; ଅଥଚ ରାଜସ୍ଥାନ ରେ ଆମ ଉତ୍ପାଦନର ଆଠଗୁଣ ଠାରୁ ଅଧିକ ଉତ୍ପାଦନ ହେଇଥିଲା |ବିହାର, ମଧ୍ୟପ୍ରଦେଶ , ଗୁଜରାଟ ଇତ୍ୟାଦି ଅନେକ ରାଜ୍ୟ ଆମ ଅପେକ୍ଷା ବହୁଗୁଣ ଅଧିକ ଉତ୍ପାଦନ କରିବାରେ ସମର୍ଥ ହୋଇ ଚାଷୀମାନଙ୍କ ଆର୍ଥିକ ଅବସ୍ଥାରେ ଉନ୍ନତି ସାଧନ କରିବାରେ ସମର୍ଥ ହୋଇଛନ୍ତି | ଓମ୍ଫେଡ ପଡୋଶୀ ରାଜ୍ୟକୁ ଦୁଗ୍ଧ ରପ୍ତାନି କରୁଥିବା ଅତ୍ୟନ୍ତ ଆନନ୍ଦର ବିଷୟ : କିନ୍ତୁ ଏହା ଆତ୍ମସନ୍ତୋଷ ଦେଇ ଆମକୁ ଅଧିକ ଉତ୍ପାଦାନରୁ କ୍ଷାନ୍ତ କରିବା ଦୁର୍ଭାଗ୍ୟଜନକ ହେବ | ଆମ ଚାଷୀ ଦୁଗ୍ଧ ଉତ୍ପାଦନକୁ ବହୁଗୁଣ ବୃଦ୍ଧି କରିବା ସାମର୍ଥ୍ୟ ପ୍ରତିପାଦନ କରିବା ଆବଶ୍ୟକ | ଆମ ଯୁବପିଢ଼ି ଦୁଗ୍ଧ ଏବଂ ଛେନା , ଆଇସକ୍ରିମ , ମିଠା ଦହି , ନାନାପ୍ରକାର ମିଷ୍ଟାନ୍ନ ଇତ୍ୟାଦି ଆନୁସଙ୍ଗିକ ଦ୍ରବ୍ୟ ଉତ୍ପାଦନ କରିବା ପାଇଁ ସୁଯୋଗରୁ ବଂଚିତ ନହୁଅନ୍ତୁ | ମାଛ ଚାଷରେ ମଧ୍ୟ ଅନୁରୂପ ବ୍ୟାପକ ସୁଯୋଗ ରହିଛି | ଆନ୍ଧ୍ରରେ ମାଛ ଉତ୍ପାଦନ ଆମ ରାଜ୍ୟ ଉତ୍ପାଦନର ସାଢେ ତିନିଗୁଣ | ଗୁଜରାଟର ଉତ୍ପାଦନ ଆମ ଠାରୁ ଦୁଇଗୁଣ ପ୍ରାୟ | ପଶ୍ଚିମ ବଙ୍ଗରେ ଉତ୍ପାଦନ ତିନିଗୁଣ ଅଧିକ |
ଶିକ୍ଷାକ୍ଷେତ୍ର ଅତ୍ଯନ୍ତ ଗୁରୁତ୍ବପୁର୍ଣ | ୨୦୧୬ ମସିହାରେ ଆମ ରାଜ୍ୟର ପ୍ରାୟ ୫,୮୪,୦୦୦ ଛାତ୍ର ଓ ଛାତ୍ରୀ ସେକେଣ୍ଡାରୀ ବୋର୍ଡର ଦଶମ ଶ୍ରେଣୀ ପରୀକ୍ଷା ଦେଇଥିଲେ | ସେମାନଙ୍କ ମଧ୍ୟରୁ ପ୍ରାୟ ୪,୮୮,୦୦୦ ଜଣ କୃତକାର୍ଯ୍ୟ ହେଲେ | ସେହିବର୍ଷ ଉଚ୍ଚ ସେକେଣ୍ଡାରୀ ( +୨) ପରୀକ୍ଷା ଦେଇଥିଲେ ଏବଂ ,୫୮,୮୮୫ ଜଣ ଏବଂ କୃତକାର୍ଯ୍ୟ ହେଲେ ୨,୬୪,୧୨୫ ଜଣ | ସେମାନଙ୍କ ମଧ୍ୟରୁ ବିଜ୍ଞାନ ରେ ପରୀକ୍ଷା ଦେଇଥିଲେ ୮୪,୧୫୪ ଜଣ ଏବଂ ଉତ୍ତୀର୍ଣ ହେଲେ ୬୮,୦୦୩ ଜଣ | ସେମାନଙ୍କ ମଧ୍ୟରୁ ୨୦,୧୯୭ ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ ହେବାବେଳେ ୭୦-୮୦ ପ୍ରତିଶତ ନମ୍ବର ରଖିଥିବା ବିଦ୍ୟାର୍ଥୀଙ୍କ ସଂଖ୍ୟା ଥିଲା ,୨୦୮| କିନ୍ତୁ ୮୧ -୯୦ ନମ୍ବର ପାଇଥିବା ବିଦ୍ୟାର୍ଥୀ ଥିଲେ ,୫୮୧ ଏବଂ ନବେ ଉର୍ଦ୍ଧରେ ରହିଥିଲେ ମାତ୍ର ୫୩ ଜଣ | ଚଳିତ ବର୍ଷ ନବେ ଉର୍ଦ୍ଧରେ ଥିବା ଛାତ୍ର ଛାତ୍ରୀଙ୍କ ସଂଖ୍ୟା କେବଳ ମାତ୍ର ୨୭ | ପ୍ରାୟ ଏକଲକ୍ଷରୁ ଅଧିକ ବିଦ୍ୟାର୍ଥୀ ଦଶମ ପରୀକ୍ଷାରେ ଉତ୍ତୀର୍ଣ ହୋଇ ଆଗକୁ ପଢ଼ୁନାହାନ୍ତି | ଏହିଭଳି ଶିକ୍ଷିତ ଯୁବକ ଯୁବତୀ କାମ ଧନ୍ଦା ପାଇଁ ଯଦି ବାହାରୁଛନ୍ତି ତେବେ ତାଙ୍କପାଇଁ କିଭଳି କର୍ମ ସୁଯୋଗ ରହିଛି ତାହା ଆକଳନ କରିବା ସହଜ ନୁହେଁ | ଅନେକେ ଦେଶର ଅନେକ ସହରରେ ଏହିଭଳି ଯୁବା ସମ୍ବଳ ବିଭିନ୍ନ କାର୍ଯ୍ୟରେ ସ୍ୱଳ୍ପ ବେତନରେ ନିୟୋଜିତ ହେଉଥିବା ସମ୍ଭବ | କୌଣସି ବୈଷୟିକ ବିଦ୍ୟା ଆହରଣ ନକରି କେବଳ ଦଶମ ଶ୍ରେଣୀ ରେ ଉତ୍ତୀର୍ଣ ହୋଇ କର୍ମଜୀବନ ଅନିଶ୍ଚିତତା ମଧ୍ୟରେ ଅତିବାହିତ କରୁଥିବା ଅତ୍ୟନ୍ତ ଦୁଃଖର ବିଷୟ | ପ୍ରଚଳିତ ଶିକ୍ଷା ପଦ୍ଧତି ଆମରାଜ୍ୟର ଛାତ୍ରଛାତ୍ରୀ ମାନଙ୍କ ପାଇଁ ସମୟୋପଯୋଗୀ ହେବାର ଜରୁରୀ ଆବଶ୍ୟକତା ରହିଛି | ଏହି ପ୍ରସଙ୍ଗଟି ଅତ୍ୟନ୍ତ ସମ୍ବେଦନଶୀଳ ପ୍ରସଙ୍ଗ ଏବଂ ଆମ ରାଜ୍ୟର ମାନବସମ୍ବଳର ଉତ୍ପାଦିକା ଶକ୍ତି ଅଭିବୃଦ୍ଧି ସମ୍ବନ୍ଧୀୟ | ମାଟ୍ରିକ ସ୍ତର ପରେ +୨ ସ୍ତରରେ ହଠାତ୍ ଇଂରାଜୀ ମାଧ୍ୟମରେ ଶିକ୍ଷାଦାନ ଫଳରେ ଅନେକ ମେଧାବୀ ବିଦ୍ୟାର୍ଥୀ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ବିଜ୍ଞାନ ସ୍ରୋତରେ ଗୁଣାତ୍ମକ ବୃଦ୍ଧି ନହେଲେ ଆମ ରାଜ୍ୟ ବିଦ୍ୟାର୍ଥିମାନେ ସର୍ବଭାରତୀୟ ସ୍ତରରେ ଟେକ୍ନିକାଲ ଅନୁଷ୍ଠାନ ମାନଙ୍କରେ ଯଥେଷ୍ଟ ସଂଖ୍ୟାରେ ଯୋଗଦେବା ସୁଯୋଗରୁ ବଂଚିତ ହେଉଛନ୍ତି | ପ୍ରାଥମିକ ସ୍ତରରେ ବିଦ୍ୟାର୍ଥୀ ମାନନକର ଗୁଣାତ୍ମକ ବିକାଶ ସମ୍ପର୍କରେ କ୍ବଚିତ ଅନୁଶୀଳନ ହୋଇଥାଏ | ଫଳରେ ସିଂହଭାଗ ବିଦ୍ୟାର୍ଥୀ ବିନା ମୂଲ୍ୟାୟନରେ ଅତ୍ୟନ୍ତ ଦୁର୍ବଳଶକ୍ତି ସମ୍ପନ୍ନ ହୋଇ ହାଇସ୍କୁଲରେ ପ୍ରବେଶ କରନ୍ତି | ଏହି ସବୁ ପରିସ୍ଥିତି ଭବିଷ୍ୟତ ପାଇଁ ଶୁଭଙ୍କର ନୁହେଁ | ଆମକୁ ଅତିଶୀଘ୍ର ଅବ୍ୟାହତ ତ୍ରୁଟି ବିଚ୍ୟୁତିର ସଂଶୋଧନ କରିବା ଆବଶ୍ୟକ |
ଆମ ରାଜ୍ୟ ନିମନ୍ତେ ପର୍ଯ୍ୟଟନ ଏକ ଅତ୍ୟନ୍ତ ଗୁରୁତ୍ବପୁର୍ଣ ପ୍ରସଂଗ | ୨୦୧୫ ମସିହାରେ ଆମ ଦେଶକୁ ଅଶୀ ଲକ୍ଷରୁ ଅଧିକ ବିଦେଶୀ ପର୍ଯ୍ୟଟକ ଆସିଥିଲେ | ଏହି ବିପୁଳ ପର୍ଯ୍ୟଟକ ଆଗମନର ସୁଯୋଗ ଆମରାଜ୍ୟ ନେଇ ପାରିଲେ ଆମ ଅର୍ଥନୀତି ଅନେକ ମାତ୍ରାରେ ସମୃଦ୍ଧ ହେବ | ଆମେ ସେହି ବର୍ଷ କେବଳ ମାତ୍ର ୬୭,୦୦୦ ବିଦେଶୀ ପର୍ଯ୍ୟଟକ ପାଇପାରିଥିଲୁ | ବହୁଳ ପ୍ରଚାର ସତ୍ତ୍ୱେ ୨୦୧୫ ବର୍ଷ ନବକଳେବର ଉପଲକ୍ଷେ ମାତ୍ର ୩,୦୦୦ ବିଦେଶୀ ପର୍ଯ୍ୟଟକ ଏହି ଅନନ୍ୟ ଅବସରରେ ଯୋଗଦେଇଥିଲେ | ଆମ ରାଜ୍ୟର ପର୍ଯ୍ୟଟନ ସ୍ଥଳ ଗୁଡିକ ଅତ୍ୟନ୍ତ ରମଣୀୟ ଏବଂ ସମସ୍ତଙ୍କ ଦ୍ୱାରା ଆଦୃତ ହେବା ସ୍ୱାଭାବିକ | କିଛି ବର୍ଷ ଧରି କେରଳ ରାଜ୍ୟ ଏଦିଗରେ ଅତ୍ୟନ୍ତ ସଫଳତା ହାସଲ କରିପାରିଛି | ଆମେ ଏହି ଦିଗରେ ଉଲ୍ଲେଖନୀୟ ଅଗ୍ରଗତି କରିପାରିବା କଷ୍ଟସାଧ୍ୟ ନୁହେଁ | ଆମଦେଶରେ ପର୍ଯ୍ୟଟନ ଶିଳ୍ପରେ ୧୩୦ ଲକ୍ଷ ବ୍ୟକ୍ତି ନିୟୋଜିତ ହେବାପାଇଁ ଲକ୍ଷ୍ୟ ରହିଛି | ଆମ ରାଜ୍ୟରେ ଆମେ ଅନ୍ତତଃ ପାଂଚ ଲକ୍ଷ ବ୍ୟକ୍ତିଙ୍କୁ ଏହି କ୍ଷେତ୍ରରେ କର୍ମ ସଂସ୍ଥାନ ଦେବାପାଇଁ ଦୃଢ ସଂକଳ୍ପ ହୋଇ ଅଗ୍ରସର ହେବା ଆବଶ୍ୟକ | ଆମ ଯୁବ ମାନବସମ୍ବଳର ଏହି ଶିଳ୍ପ ପ୍ରତି ଯଥେଷ୍ଟ ଆଗ୍ରହ ରହିଛି | ସୁଦୂର ଆଣ୍ଡାମାନ ର ହୋଟେଲ ହେଉ ବା ଶିରିଡ଼ିରେ ହୋଟେଲ ହେଉ , ଆମ ରାଜ୍ୟର ପ୍ରଶିକ୍ଷିତ ଯୁବକ ଯୁବତୀ ଅନେକ ସ୍ଥାନରେ ହୋଟେଲ ଶିଳ୍ପରେ ନିଯୁକ୍ତ ହୋଇଛନ୍ତି | ଏହି ଆଗ୍ରହ ପରିପ୍ରେକ୍ଷୀରେ ଆମକୁ ଏକ ବିଶାଳ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତ ହେବା ଆବଶ୍ୟକ | ରାଜ୍ୟରେ ସରକାରୀ କ୍ଷେତ୍ରରେ ପ୍ରାୟ ମାତ୍ର ଆଠଲକ୍ଷ ଲୋକେ ନିୟୋଜିତ ହୋଇଥିବା ବେଳେ ବେସରକାରୀ କ୍ଷେତ୍ରରେ କାମକରୁଥିବା ଲୋକଙ୍କ ସଂଖ୍ୟା ମାତ୍ର ଏକ ଲକ୍ଷ ତିରିଶ ହଜାର | ଏହି ବାସ୍ତବ ସ୍ଥିତି ଏବଂ ଦୟନୀୟ ଅବସ୍ଥା ପରିପେକ୍ଷୀରେ ଆମକୁ ପର୍ଯ୍ୟଟନ ଶିଳ୍ପରେ ପାଞ୍ଚଲକ୍ଷ କର୍ମ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ନିତାନ୍ତ ଜରୁରୀ |
ଉତ୍କର୍ଷତା ର ଆକର୍ଷଣ ସମସ୍ତଙ୍କୁ ପ୍ରଭାବିତ କରି କର୍ମଠ ହେବାପାଇଁ ପ୍ରେରଣା ଦିଏ | ଆମ ଜନସମ୍ବଳ ମଧ୍ୟ ଉତ୍କର୍ଷତା ଆହରଣ ପାଇଁ ସୁଯୋଗ ପାଇବା ଆବଶ୍ୟକ | ଅଳ୍ପରେ ସନ୍ଟୁଷ୍ଟହୋଇ ସମୟର ସମୁଚିତ ଉପଯୋଗ ନକରିବା ଆମକୁ ଆମ ଉତ୍ପାଦିକାଶକ୍ତି ବିକଶିତ ହେବା ସୁଯୋଗରୁ ବଂଚିତ କରିବ | ଗୋଟିଏ କ୍ଷୁଦ୍ର ଉଦାହରଣ ପ୍ରାସଙ୍ଗିକ ହେବ | ଜଣେ ପରିଶ୍ରମୀ ଯୁବା ପରିବାବିକାଳୀ ସହିତ ମୁଁ ପରିଚିତ | ଆମ ସହରର ଏକ ଜଣାଶୁଣା ଦୈନିକ ପରିବା ବଜାରକୁ ସେ ପ୍ରାୟ ପ୍ରତିଦିନ ସହରର ନିକଟବର୍ତୀ ନିଜ ଗାଁରୁ ପରିବା ବିକ୍ରି ପାଇଁ ଆସେ | ତାର ଜୀବନଶୈଳୀ ସମ୍ପର୍କରେ ମୁଁ ଅନେକ ସମୟରେ କଥାବାର୍ତା କରେ; ଅଧିକ ଅର୍ଜନ, ଅଧିକ ସଂଚୟ ପାଇଁ ଉପଦେଶ ଦିଏ | ସେ ଆଗ୍ରହରେ ଶୁଣେ; ଏବଂ ମୋତେ ଜଣେ ହିତାକାଂକ୍ଷୀ ଭାବରେ ସମ୍ମାନ ଦିଏ | କିଛି ମାସ ପୂର୍ବେ ସେ ପରିବା ସହିତ ଛତୁ ଚାଷ ମଧ୍ୟ କରିଥିଲା | ଫସଲ ଭଲ ହେଇଥିବା କହିଲା | ଛତୁବିକି ଦେଢ଼ଲକ୍ଷ ଟଙ୍କା ସେ ପାଇଥିବା ମୋତେ କହିଲା | ପୁଣି ଛତୁଚାଷ ପାଇଁ ମୁଁ ପରାମର୍ଶ ଦେଲି | ସେ ପ୍ରସ୍ତୁତ ହେଉଥିବା ସୂଚନା ଦେଲା | ଏବର୍ଷ ଅଢେଇ ଲକ୍ଷ ଅର୍ଜନ ପାଇଁ ପ୍ରବର୍ତାଇଲି ; ସେ ଏହି ଲକ୍ଷ୍ୟ ହାସଲ କରିବା ପାଇଁ ନିଜ ପ୍ରସ୍ତୁତି ସମ୍ପର୍କରେ ଆଶ୍ୱାସନା ଦେଲା | ଏହିଭଳି ସଂକଳ୍ପରେ ଆମେ ଆଗେଇବା ; ଆମର ପରିସ୍ଥିତି ବଦଳିବ : ଅବ୍ୟାହତ ଦାରିଦ୍ୟ ପରାହତ ହେବ | ଆମ ଜନସମ୍ବଳ ରଚନାତ୍ମକ କାର୍ଯ୍ୟରେ ନିୟୋଜିତ ହେବା ସଂଗେସଂଗେ ଅଧିକ ପରିଶ୍ରମୀ ଏବଂ ଉତ୍ପାଦକ ଶକ୍ତି ଭାବରେ ଆତ୍ମପ୍ରକାଶ କରିବେ | (27th May, 2017)
***************

No comments:

Post a Comment