Friday 8 June 2018

ଭାରତ ----- ଏକ ପ୍ରହେଳିକା



ଭାରତ -----  ଏକ ପ୍ରହେଳିକା



ଯୁବକଟି ଆଜି ଦି'ପଦ ତା' ଗାଁ କଥା କହିଲା | ଭୁବନେଶ୍ବରରେ ସେ ଯେଉଠି ରହୁଚି, ସେଇଠାରୁ ମୋଟେ ଶହେଫୁଟ ଦୁରରେ ତା ସାଂଗ ପବିତ୍ରର ପରିବା ଦୋକାନ | ଅନେକ ସମୟରେ ସେ ପବିତ୍ର ପାଖରେ ବସେ, ଗପେ |ବେଳେବେଳେ ପବିତ୍ର ର ସାନଭାଇ ସନ୍ତୋଷ ବି ଦୋକାନକୁ ଆସେ | ସନ୍ତୋଷ ସାଂଗରେ ମିଶି ସେ ତା ସହିତ ବି ବନ୍ଧୁତା ରଖିଚି | ସନ୍ତୋଷ ଯୁବକର ଗାଁ ପଂଚାୟତ ଅଫିସ୍ ରେ ଠିକା ରେ ଗୋଟେ ଚାକିରୀ କରୁଚି | ତା'ଠୁ ଯୁବକ ନିଜ ଗାଁ ହାଲଚାଲ ଶୁଣେ | ଏବେ ସନ୍ତୋଷ କହୁଥିଲା " ଗାଁ ଲୋକେ ସବୁବେଳେ ଶାସକ ଦଳ ସହିତ ମିଶି ରହିବା ଭଲ ; ତା ଫଳରେ ଅନେକ ସୁବିଧା ମିଳିପାରିବ ଓ ଲୋକମାନେ ଖୁସି ରେ ରହିପାରିବେ | ନହେଲେ ଭଲ ମନ୍ଦରେ ଆଜିକାଲି ସାହାଯ୍ୟ କରିବାକୁ କିଏ ଅଛି " ? ଯୁବକଟି ଏକଥା ଶୁଣିଲା ସିନା ; ତାକୁ କିନ୍ତୁ କଥାଟା ପୁରାପୁରି ଭଲ ଲାଗିଲାନି | ତା ବାପା, ଦାଦା ଆଉ କୁଟୁମ୍ବର ଅନେକେ ବହୁ ବର୍ଷ ଧରି କଂଗ୍ରେସ କୁ ଭଲ ପାଇ ଆସିଛନ୍ତି | ଏବେ ଅବଶ୍ୟ ପଦ୍ମ କଥା କେତେ ଜଣ କହିଲେଣି | ଶାସକ ଦଳ ସାଂଗରେ ଆଖି ବୁଜି ସବୁବେଳେ କେମିତି ରହିହବ? ଏଇକଥା ସେ ଭାବୁଥାଏ | ସନ୍ତୋଷ ତା ମୁହଁକୁ ଚାହିଁ କହିଲା, " କଣ, ମୋ କଥା ତୋ ମନକୁ ପାଇଲାନି ? ମୋ କଥା ଟିକେ ଭଲରେ ଶୁଣ | ସେ ଟୋକା ଅପର୍ତୀ , ଏବେ ପ୍ଲସ୍ ଟୁ ପାସ୍ କରିଚି ; ତାକୁ ଗୋଟେ କେଉଁ ସ୍କିମ୍ ରେ ପକା ଘର ଟିଏ ମିଳିଚି , ଆଉ ତା ବାପକୁ ମୋଟେ ତିନି ବର୍ଷ ହେଲା ଇନ୍ଦିରା ଆବାସ ଖଣ୍ଡେ ବି ମିଳିଥିଲା | ଗାଁ ପିଲେ ପରିହାସ କରି ଗୀତ ବୋଲୁଚନ୍ତି | ବୋଲୁଥାନ୍ତୁ ; କିନ୍ତୁ ତାଂକ ପରିବାରକୁ ଦୁଇଟା ଘର ମିଲିଲାତ !! " ଯୁବକଟି ମୋ ପାଖରେ ତା ଅନୁଭୁତି ବଖାଣୁ ଥାଏ | ମୁ ଶୁଣିଲି ; ମନ ଦୁଃଖ ହେଲା | ଭାବିଲି "ଏମିତି ହଉଚି କେମିତି ? ଆଇନ କାନୁନ ତ ଆମ ଦେଶରେ ଅଛି ; କେମିତି ଓ କାହାକୁ ଘର ଦିଆଯିବ ତା ପାଇଁ ବି ନିୟମ ହେଇଥିବ | ମୁଁ ଯୁବକକୁ କହିଲି " ତୁ ସନ୍ତୋଷ କଥା ଖାଲି ଶୁଣୁଥିଲୁ କାହିକି, ତାକୁ ନିୟମ ବିଷୟରେ ପଚାରିଲୁନି? ସେ କହିଲା, " ମୁଁ ପଚାରିଲି ; ସନ୍ତୋଷ କହିଲା ଦେଖ , ଗାଁରେ ଛୋଟ କର୍ମଚାରୀ ଟିଏ ଯୋଗ୍ୟ ଲୋକଂକ ତାଲିକା କରିବ; କିନ୍ତୁ ନେତା ଫୋନରେ ଅମୁକ ଲୋକ ବଦଳରେ ସମୁକର ନାଁ ଲେଖିବାକୁ କହିବ | ସେ ବିଚରା ଡରି ଯିବନି ? ସେଇଆ ଚାଲିଚି ଗାଁରେ | କୁଜିନେତାମାନେ କହୁଚନ୍ତି , ଆମକୁ ପଇସା ଦିଅ , ଆମେ ଘର କରେଇଦବୁ | ଯୁବକ କଣ୍ଠ ରେ ଅଭିଯୋଗ ଥିଲା ; ସେ ଆହତ ହେଇଥିବା ମୁଁ ଅନୁଭବ କଲି | ପଚାରିଲି " ତୁମ ପଂଚାୟତ ରେ ଗ୍ରାମସଭା ବସୁନି ? ନିଷ୍ପତ୍ତି ସମସ୍ତଂକ ଆଗରେ ନିଆ ଯାଉନି ? ନିଷ୍ପତ୍ତି ସେଇ ବୈଠକରେ ଲେଖା ହଉନି ?" ସେ ପାଟି ଭିତରେ କଣ ଗୁଣୁଗୁଣୁ ହେଲା ; ମୁଁ ବୁଝି ପାରିଲିନି | ବାସ୍ତବରେ ଆମ ତୃଣମୂଳ ସ୍ତରରେ ଲୋକତନ୍ତ୍ର କେମିତି ଚାଲିଚି ମୋଟେ ବୁଝି ହଉନି ; ଯାହାକୁ ପଚାରୁଚ, ସେମାନେ ପାଟି ଭିତରେ ଗୁଣୁଗୁଣୁ ହେଇ କଣ ଗୁଡେ କହିଚାଲିଚନ୍ତି |
ତାପରେ ଆସନ୍ତୁ ସହରର ଜ୍ଞାନୀ ମାନଂକ ଦୃଷ୍ଟିକୋଣ ଦେଖିବା | ଏଇ ଦୁଇଦିନ ତଳ କଥା | ନୀତି ଆୟୋଗର ଜଣେ ମୁଖିଆଂକ ବକ୍ତବ୍ୟ ପଢିଲି | "ଆମ ଦେଶ ବ୍ୟତୀତ ପୃଥିବୀରେ ଆଉ କୌଣସି ଦେଶରେ ଶହେକୋଟି ମୋବାଇଲ ଫୋନ ଆଉ ଶହେକୋଟି ବାୟୋମେଟ୍ରିକ୍ ନାହିଁ | ୨୦୨୦ ମସିହାରେ ଆମ ଦେଶରେ ଏଟିଏମ୍ , ପିଓଏସ , ଡ଼େବିଟ/କ୍ରେଡିଟ କାର୍ଡ଼ ର ଆବଶ୍ୟକତା ନଥିବ | ବୁଢା ଆଂଗୁଠି ମାତ୍ର ତିରିଶ ସେକେଣ୍ଡ ଦବେଇ ସବୁ ଆର୍ଥିକ କାରବାର କରିହବ |" ଏହା ଥିଲା ତାଂକ ଉକ୍ତିର ମର୍ମ |
ମୋର ମନେହେଲା ମୋ ଭାରତ ଆଜି ମଧ୍ୟ ଏକ ପ୍ରହେଳିକା | ଭାରତର ଲୋକେ କେମିତି ରହୁଚନ୍ତି ସେ ବିଷୟରେ ଜ୍ଞାନର ଘୋର ଅଭାବ ରହିଚି | ଭାଷଣ ଚାଲିଚି ; ଲକ୍ଷ୍ୟ ଧାର୍ଯ୍ୟ ହେଉଚି ; ପଇସା ପାଣିପରି ବହୁଚି : ଲୋକେ ଶୁଣୁଛନ୍ତି; କମ ବୁଝୁଚନ୍ତି | ସେମାନେ ତାଂକ ବାଟେ ଚାଲିଚନ୍ତି ; ଅତ୍ୟାଚାରିତ ହେଉଛନ୍ତି ; ମାନସିକ କରୁଛନ୍ତି , ଓପାସ କରୁଛନ୍ତି |ନଈରେ ବୁଡ ପକଉଚନ୍ତି | ଭାରତ ଆଜି ଏକ ସୁନ୍ଦର ଅବ୍ୟବସ୍ଥା |ଏଇ ଅବ୍ୟବସ୍ଥାରେ ମାତ୍ର କେତେଜଣ ଖୁବ୍ ଆରାମ ରେ ଅଛନ୍ତି ଆଉ ବହୁଲୋକେ ହନ୍ତସନ୍ତ ହେଉଛନ୍ତି |

(10th January, 2017)
******* 

No comments:

Post a Comment