Saturday 9 June 2018

କୋର୍ଟପାଖ ରାସ୍ତାକଡ ପୁରୁଣା ବରଗଛ ଓ ଚଳଚଂଚଳ ହୋଟେଲ


ବୋଧହୁଏ ବରଗଛଟି ଦୁଇଶହ ବର୍ଷ ବୟସ୍କ ହେବ | ରାଜ୍ୟ ପ୍ରଶାସନିକ ନ୍ୟାୟାଧିକରଣ କାର୍ଯ୍ୟାଳୟ ସମୀପବର୍ତ୍ତୀ ରାସ୍ତା କୋଣରେ ଏହାର ଅବସ୍ଥିତି | ତାର ପାଦଦେଶ ଅତ୍ୟନ୍ତ ରୋମାଂଚକର | ମୋ ହୃଦୟରେ ଭକ୍ତି ଏବଂ ଶିହରଣ ଉଦ୍ରେକ କରିଥାଏ | ବୃକ୍ଷର ଅନେକ ପ୍ରାଚୀନ ଶାଖା ଦ୍ରୁମରେ ପରିଣତ ହୋଇ ମୂଳବୃକ୍ଷର ଶରଣାଗତ ହୋଇ ସେହିଠାରେ ବାସ କରନ୍ତି | ଏକ ହୃଦୟବାନ ସମାଜ ଏହି ପାଦଦେଶକୁ ସୁରମ୍ୟ ରଖିବା ପାଇଁ ତତ୍ପର ହୋଇଥାନ୍ତେ | ଏଠି ତାହା ଆଶା କରିବା ବୃଥା ; କାରଣ ହୃଦୟର ଅଭାବ | ତେବେ ପ୍ରତିଦିନ ସେହି ପାଦଦେଶର ଭୀମକାଂତ ରୂପ ଦେଖିବାକୁ ମୋତେ ଭଲଲାଗେ ଏବଂ ମୋ ବନ୍ଧୁଙ୍କ ଅଜଣାତରେ ମୁଁ ମଥା ନୁଆଁଇ ସେହି ପ୍ରାଚୀନ ଦ୍ରୁମ ମୂଳକୁ ମୋର ଭକ୍ତିପୂର୍ଣ୍ଣ ଭାବ ଜଣାଏ ; ମୋତେ ଏହା ଭଲ ଲାଗେ | ବର୍ତ୍ତମାନ ମୂଳଦେଶ ଅବିମନୁଷ୍ୟତା ଦ୍ୱାରା କବଳିତ ; କେତୋଟି କୋଇଲା ବସ୍ତା ସେଠାରେ ଗଦା ହୋଇ ରହେ | ସମୀପବର୍ତ୍ତୀ ଭଙ୍ଗାହାଡ ଯୋଡ଼ା କେନ୍ଦ୍ରରେ ବୋଧହୁଏ ନିଆଁ ଚେଙ୍କ ଦେବାପାଇଁ ଏହି କୋଇଲାର ବ୍ୟବହାର କରାଯାଏ : ମୁଁ କିନ୍ତୁ ଏସମ୍ପର୍କରେ ବିଶେଷ ଅନୁସନ୍ଧାନ କରିନାହିଁ | ପାଦଦେଶ ମନୁଷ୍ୟ ମୁତ୍ରତ୍ୟାଗ ପାଇଁ ମଧ୍ୟ ଏକ ଆଦର୍ଶ ସ୍ଥାନ ଭାବରେ ବ୍ୟବହାର କରାଯାଏ | ବେଳେବେଳେ ମୁଁ ଭାବେ ଯଦି ଏଭଳି ବ୍ୟବହାର ହେଉ ନଥାନ୍ତା ତେବେ ଆମ ରୁଗ୍ଣ ବ୍ୟବସ୍ଥା କଣ ବା କରିଥାନ୍ତା ? ହୁଏତ ବୃକ୍ଷର ପାଦଦେଶ ରେ ସିନ୍ଦୁର ଲଗାଇ କିଛି ନାଲି ଶଙ୍ଖା ଝୁଲାଇ ଜଣେ ଦାଢିଆ ବାବା ତିଳକ ଲଗାଇ ବେପାର କରିଥାନ୍ତେ | ସେ ଯାହାହେଉ ; ବୃକ୍ଷରାଜ ଏହି ଅବସ୍ଥାରେ ଆଜି ରହିଛନ୍ତି | ବର୍ତ୍ତମାନ ବୃକ୍ଷ ଶାଖାମାନ ନାଲିନାଲି ଛୋଟ ଫଳରେ ଶୋଭା ପାଉଛନ୍ତି | ବରଗଛର ଏହି ବିଶେଷତ୍ବ ମୋତେ ଭଲ ଲାଗେ | ଫଳ ଗୁଡିକ ମନୁଷ୍ୟ ପାଇଁ ଉଦ୍ଦିଷ୍ଟ ନଥାଏ | ପକ୍ଷୀ, ଗୁଣ୍ଡୁଚିମୁଷା ଏହି ଫଳ ପାଇଁ ପାଗଳ ହୁଅନ୍ତି | ବୃକ୍ଷ ଅସଂଖ୍ୟ ପକ୍ଷୀଙ୍କ ବାସସ୍ଥାନ ହୋଇ ରହିଛି | ଅନ୍ତତଃ ଏହି ମହାଦ୍ରୁମ ଏହିଭଳି ଅବସ୍ଥାରେ ରହିଥାଉ | ଗୁଣ୍ଡୁଚିମୁଷାଙ୍କ ପାଇଁ ଆଉ ଅନେକ ପକ୍ଷୀ ମାନଙ୍କ ପାଇଁ | ଆମ ଉତ୍ତପ୍ତ ନଗରୀର ତଥାକଥିତ ବିକାଶ ପାଇଁ କେଉଁଦିନ ରାସ୍ତା ପ୍ରଶସ୍ତିକରଣ ବାହାନାରେ ଠିକାଦାର ଏହି ପ୍ରାଚୀନ ବୃକ୍ଷର ହତ୍ୟା ନ କରୁ | ଏହାହିଁ ମୋର ପ୍ରାର୍ଥନା |

ପ୍ରତିଦିନ ସକାଳ ପ୍ରାୟ ଛ'ଟା ବେଳକୁ ରାଜ୍ୟ ପ୍ରଶାସନିକ ନ୍ୟାୟାଧିକରଣ କାର୍ଯ୍ୟାଳୟ ସମୀପବର୍ତ୍ତୀ ହୋଟେଲଟି କର୍ମଚଞ୍ଚଳ ହୋଇଯାଏ | ଆଜି ମଧ୍ୟ ଏହି ଶୃଙ୍ଖଳାରେ ବ୍ୟତିକ୍ରମ ହୋଇନଥିଲା | ଆମେ ଦୁହେଁ ମନ୍ଦିର ଉଦ୍ୟାନରେ ପ୍ରାତଃ ଭ୍ରମଣ ସାରି ଘରକୁ ଫେରିବା ବାଟରେ କିଛି ସମୟ ହୋଟେଲରେ କାର୍ଯ୍ୟବ୍ୟସ୍ତ ଜଣେ ହୃଷ୍ଟପୃଷ୍ଟ ଯୁବକ ସହିତ କଥାବାର୍ତା ହେଲୁ | ଗୋଟିଏ ଛୋଟ ବାଲ୍ଟିରେ ବଟା ମସଲା :ଆଉ ଗୋଟେ ବଡ ବାଲ୍ଟିରେ କଟା ପିଆଜ ଭର୍ତ୍ତି ଥାଏ | ପ୍ରାୟ ପାଂଚ କିଲୋଗ୍ରାମ ସିଝା ଆଳୁ ଅନ୍ୟ ଗୋଟିଏ ଆଲୁମୁନିଅମ ଡେ଼କଚିରେ ରଖା ହେଇଥାଏ | ଗ୍ୟାସଚୁଲିରେ ବଡ କରେଇଟିଏ ବସିଥାଏ ଓ ପ୍ରାୟ ଲିଟରେ ତେଲ ଗରମ ହେଉଥାଏ | ଆମ ଆଗରେ ଅଧା ପିଆଜ ତେଲରେ ପକେଇବା ପରେ ଯୁବକଟି ଆମ କଥା ଶୁଣିଲା | ହୋଟେଲ ବିଷୟରେ କିଛି ଜାଣିବାପାଇଁ ମୋର ବହୁତ ଦିନରୁ ଆଗ୍ରହ ଥିଲା | ଯୁବକ ଆମକୁ କହିଲା , "ହୋଟେଲରେ ଏତିକିବେଳୁ କାମ ଚାଲି ଅପରାହ୍ନ ଚାରିଟା ପର୍ଯ୍ୟନ୍ତ ଚାଲେ | ଏଇଠି କେବଳ ଦିନ ଭୋଜନ ପ୍ରସ୍ତୁତ କରାଯାଏ ଓ ଗ୍ରାହକ ପ୍ରାୟ ଏଗାରଟା ବେଳୁ ଖାଇବା ପାଇଁ ଆସିବା ଆରମ୍ଭ କରନ୍ତି | ଖିଆ ଶେଷ ହେଉହେଉ ଦିନ ତିନିଟା ଉପରେ ବାଜିଥାଏ | ସାଦା ମିଲ ପଚାଶ ଟଙ୍କାରେ ମିଳେ | ଆଇଁସ ମିଲ ବି ମିଳେ|" ଏହାଛଡା ହୋଟେଲରେ; ଭାତ-ମାଂସ ଥାଳି : କୁକୁଡ଼ା- ଭାତ ଥାଳି; ମାଛ-ଭାତ ଥାଳି , ମଟନ ବିରିଆନୀ ; ଚିକନ ବିରିଆନୀ ; ପରିବା ବିରିଆନୀ ମଧ୍ୟ ମିଳେ | ରୁଷେଇ ଓ ଭଣ୍ଡାର ଘର ପାଖକୁ ଲାଗି ଆଉ ଗୋଟିଏ ବଖରା; ସେଠାରେ ଲୋକେ ଚୌକି ଟେବୁଲରେ ଭୋଜନ କରନ୍ତି | ଏକକାଳୀନ କୋଡିଏ-ପଚିଶ ଜଣ ସେଠାରେ ଖାଇବାର ବନ୍ଦୋବସ୍ତ ଅଛି | ଏତେଗୁଡ଼େ ତଥ୍ୟ ପାଇ ମୁଁ ଓ ବନ୍ଧୁ ଖୁସି ହେଲୁ |ଦେଖିଲୁ ଖାଇବା କୋଠରୀ ଆଡକୁ ନିରବ ଓ ନିଶ୍ଚଳ ହୋଇ ଚାହିଁ ଗୋଟେ ଵୃଷବ ଅପେକ୍ଷା କରିଛି | "ଏଇ ଷଣ୍ଢଟି କେତେବେଳେ ଖାଏ ?" ମୁଁ ପଚାରିଲି | ଯୁବକ ଉତ୍ତରରେ କହିଲା " ଏବେ ଖାଇବ ଓ ସେ ଗଲା ମାତ୍ରକେ ଆଉ ଗୋଟିଏ ଷଣ୍ଢ ଆସିବ ; ତାପରେ ଆଉ ଗୋଟିଏ ଏବଂ ତା'ପରେ ଶେଷ ଓ ଚତୁର୍ଥ ଵୃଷବ ଆସିବ |" "କଣ ଖାଇବାକୁ ଦିଅ ?" ମୋ ବନ୍ଧୁ ପଚାରିଲେ |" ପ୍ରତ୍ୟେକ ଷଣ୍ଢ କିଲେ କଂଚା ଆଳୁ ଖାଆନ୍ତି |" ଯୁବକ କହିଲା | "ରନ୍ଧା ହେଇଥିବା ଖାଦ୍ୟ ଏଇଠି ରଖାହେବ; ଷଣ୍ଢ ଖାଇ ଦେବେନି" ? ମୁଁ ପଚାରିଲି | ଯୁବକ ମନାକଲା, କହିଲା " ସେମାନେ ଇଆଡ଼େ ମୋଟେ ଚାହିଁବେନି : କଂଚାଆଳୁ ଖାଇବା ମାତ୍ରକେ ଚାଲିଯିବେ |" ମୁଁ ଭାବିଲି ସେମାନେ ନିଶୁଲ୍କ ଭୋଜନ କରନ୍ତି ; ତାଙ୍କର ତ ସଂସ୍କାର ଅଛି !! ସେମାନେ ନିୟମ ଦ୍ୱାରା ପରିଚାଳିତ ; ଏକାସଙ୍ଗେ ଦଳଟିଏ ଆସିବେନି ; କାହାକୁ ଡରେଇବେନି ; ବଂଚିବା ପାଇଁ ଯାହା ନିତାନ୍ତ ଆବଶ୍ୟକ ସେତିକି ପାଇ ନିରବରେ ଚାଲିଯିବେ | ମୋର ମନେହେଲା ହୋଟେଲ କର୍ମଚାରୀମାନେ ଷଣ୍ଢ ମାନଙ୍କୁ ଆଦରରେ ସତ୍କାର କରନ୍ତି ଏବଂ ଏହା ତାଙ୍କ ବୃତ୍ତିର ଏକ ଆବଶ୍ୟକୀୟ ଅଙ୍ଗ ଭାବରେ ଗ୍ରହଣ କରିଛନ୍ତି | ଵୃଷବ ଚାରୋଟି ଏହି ଭୋଜନାଳୟରେ " ଅତିଥି ଦେବୋ ଭବ" ଦର୍ଶନ ଦ୍ୱାରା ଆପ୍ୟାୟିତ ହୋଇଥାନ୍ତି | ବୋଧହୁଏ, ଏହି ଦର୍ଶନରେ ବିଶ୍ବାସ କରି ଏହି ଛୋଟ ହୋଟେଲଟିରେ ମାନବ ସେବା ଅବ୍ୟାହତ ରହିଛି |
(27th May, 2017)
********* 

No comments:

Post a Comment