Wednesday 27 June 2018

ଛୋଟ ଦେଉଳର ବଡ ପୂଜାରୀ


ଆମ ସହରର ଅସଂଖ୍ୟ ଛୋଟବଡ ମନ୍ଦିର ମଧ୍ୟରୁ ଆମ ଘରପାଖ ଏକ ପୁରୁଣା ବସ୍ତିର ରାଧାକୃଷ୍ଣ ମନ୍ଦିର ଅନ୍ୟତମ | ସହରରେ ବୋଧହୁଏ ଏମିତି ଅନେକ ଛୋଟଛୋଟ ମନ୍ଦିର ରହିଛି ଯେଉଁଗୁଡିକ ଦେବୋତ୍ତର ବିଭାଗର ନିୟନ୍ତ୍ରଣ ବାହାରେ; ଏଗୁଡିକ ବୋଧହୁଏ ସ୍ୱୟଂଚାଳିତ | ଏହିଭଳି ମନ୍ଦିରମାନଙ୍କରେ ମଧ୍ୟ ନିୟମିତ ପୂଜା ଅର୍ଚନା ହୋଇଥାଏ ; ପ୍ରତ୍ୟେକ ମନ୍ଦିରରେ ଜଣେଜଣେ ପୂଜକ ମଧ୍ୟ ଥାଆନ୍ତି | କିଏ ତାଙ୍କୁ ନିଯୁକ୍ତ କରନ୍ତି; କେଉଁ ସର୍ତ୍ତରେ ସେମାନେ କାମ କରନ୍ତି ଏହି ପ୍ରସଙ୍ଗ ସମ୍ପର୍କରେ ଜାଣିବା ପାଇଁ ମୁଁ କେବେ ଆଗ୍ରହ ପ୍ରକାଶ କରିନି | କିନ୍ତୁ କୌଣସି ଏକ ଜୀର୍ଣ୍ଣ ପରିତ୍ୟକ୍ତ ମନ୍ଦିର ଦେଖିଲେ ମନ ଉଦାସ ହେବାବେଳେ ସକାଳେ ଓ ପ୍ରତି ସନ୍ଧ୍ୟାରେ ମନ୍ଦିରରେ ପୂଜା ହେଉଥିବା ଦେଖିଲେ ମନ ପ୍ରଫୁଲ୍ଲିତ ହୋଇଥାଏ | ଘରେ କୌଣସି ପୂଜା ହେଲେ; ଶ୍ରାଦ୍ଧ ହେଲେ ; ଏହି ପୂଜକମାନେ ଆଗ୍ରହରେ ଯୋଗଦିଅନ୍ତି | ରାଧାକୃଷ୍ଣ ମନ୍ଦିର ପୂଜକ ଜଣକ ଅତ୍ୟନ୍ତ ଭଦ୍ର ; ଘରେ ପୂଜା କରିବା ପାଇଁ ଆଗ୍ରହୀ ଏବଂ ବର୍ଷରେ ପ୍ରାୟ ଦଶଥର ବିଭିନ୍ନ କାମରେ ଆମ ଘରକୁ ଆସନ୍ତି | ବୟସରେ ଅନେକ ସାନ ହେଇଥିବା ଦୃଷ୍ଟିରୁ ଆମ ଦିହିଁକୁ ପୂଜା ପରେ ଆଶୀର୍ବାଦ କରିବାକୁ କୁଣ୍ଠିତ ହୁଅନ୍ତି ; ବରଂ ଆମ ଆଶୀର୍ବାଦ ପାଇଁ ନିବେଦନ କରନ୍ତି | ସ୍ୱଳ୍ପ ଆହାର ତାଙ୍କର ; ଘରେ ତାଙ୍କପାଇଁ ତିଆରି କ୍ଷୀରି ଅଳ୍ପ ଖାଇ ସେ କୁହନ୍ତି ତାଙ୍କ ଦିନ ଖିଆ ସରିଲା | ପ୍ରତିଦିନ ତାଙ୍କ ମନ୍ଦିରରେ ଅନ୍ନଭୋଗ ହୁଏ | ମୋ ଜିଜ୍ଞାସା ଦୃଷ୍ଟିରୁ ସେ କହିଲେ ଯେ ପ୍ରତିଦିନ ଦେଢ଼ଶହ ଗ୍ରାମ ଅରୁଆ ଚାଉଳ ; ପଚାଶ ଗ୍ରାମ ମୁଗ ଡାଲି ; କିଛି ପରିବା ଆଉ ଗୁଆଘିଅ ରେ ଖେଚେଡ଼ି ପ୍ରସ୍ତୁତ କରନ୍ତି ଓ ଠାକୁରଙ୍କ ଭୋଗ ହୁଏ | ପ୍ରତିଦିନ ଏକ ନିର୍ଦିଷ୍ଟ ସମୟରେ ଭୋଗ ଦିଆଯାଏ ଓ ପୂଜା ଘଣ୍ଟି ଶୁଣି ଆଖପାଖ ବସ୍ତିରୁ ଚାରିପାଂଚ ଛୋଟପିଲା ଭୋଗ ପାଇବା ପାଇଁ ଦୌଡ଼ି ଆସନ୍ତି | ଭୋଗପରେ ସମସ୍ତ ପ୍ରସାଦ ପୂଜକ ସେମାନଙ୍କୁ ଦେଇସାରିବା ପରେ ଭୋଗପର୍ବ ସମାପ୍ତ ହେଇଥାଏ |

**********
7th April, 2018

No comments:

Post a Comment