Thursday 28 June 2018

ମହିଳାଙ୍କ ସୁରକ୍ଷା


ଦେଶର ଲୋମହର୍ଷକ ଧର୍ଷଣ ଘଟଣାମାନ ପ୍ରତିକ୍ରିୟା ସୃଷ୍ଟି କରୁଛି ସତ ; କିନ୍ତୁ ଏହି ବର୍ବରତାର ପରିସମାପ୍ତି କିପରି ହେବ ସେ ସମ୍ପର୍କରେ କ୍ରିୟାନୁଷ୍ଠାନ ନହେବା ଆମର ଅକର୍ମଣ୍ୟତା ପ୍ରତିପାଦନ କରିଥାଏ | ମୋ ମତରେ ଆମ ଦେଶର ପୁଲିସ ବ୍ୟବସ୍ଥା ନେତାମାନଙ୍କ ଦ୍ୱାରା ସମ୍ପୂର୍ଣ୍ଣ କବଳିତ ହୋଇଥିବା ଯୋଗୁଁ ଏହି ପରିସ୍ଥିତି ଅବ୍ୟାହତ ରହିଛି | କୌଣସି ମୁଖ୍ୟମନ୍ତ୍ରୀ; କୌଣସି ପ୍ରଧାନମନ୍ତ୍ରୀ ଏହି ମୁଖ୍ୟକାରଣ ସମ୍ପର୍କରେ ମୁହଁ ଖୋଲୁନାହାନ୍ତି | ମୃତ୍ୟୁଦଣ୍ଡ ; ଫାଷ୍ଟଟ୍ରାକ କୋର୍ଟ ଶବ୍ଦମାନ ଶୃତିମଧୁର ସତ୍ୟ ; କିନ୍ତୁ ଗୋଟିଏ ଦେଶରେ ଯେଉଁଠି ପୁଲିସ ଅନୁସନ୍ଧାନ ଖାମଖିଆଲିଆ, କୋର୍ଟରେ ବିଚାର ବିଳମ୍ବିତ ଓ ମାତ୍ର ପନ୍ଦର ପ୍ରତିଶତ କେଶରେ ଦୋଷୀ ଦଣ୍ଡ ପାଇଥାଏ ; ସେହି ଦେଶରେ ଏମିତି ଅବ୍ୟବସ୍ଥାର ପରିସମାପ୍ତି କେମିତି ସମ୍ଭବ ? ରାଜନୀତିର ବିଷ ଦ୍ୱାରା ଆଜି ଆମ ଦେଶର କନ୍ୟା ଓ ମହିଳା ଆକ୍ରାନ୍ତ ହେଇଛନ୍ତି | ସମାଜର ଅବିମନୁଷ୍ୟତା ଏତେ ନିମ୍ନଗାମୀ ହୋଇଛି ଯେ ଏପରି ଦୟନୀୟ ପରିସ୍ଥିତିରେ ମଧ୍ୟ ନେତାମାନେ ପୁଲିସ ପଟୁଆରରେ ମହାଆଡମ୍ବରରେ ଯାତ୍ରା କରୁଛନ୍ତି | ଅପରାଧ ପ୍ରବଣ ବ୍ୟକ୍ତି ଭାବୁଛି ସେ ଧରାପଡିବା ସମ୍ଭାବନା କ୍ଷୀଣ ; ଧରାପଡ଼ିଲେ ବି ଅଭିଯୁକ୍ତ ହେବାର ସମ୍ଭାବନା ବହୁତ କମ ; ଅଭିଯୁକ୍ତ ହେଲେବି ବିଚାର ଶେଷ ହେବାବେଳକୁ ଯୁଗ ବିତିଯାଇଥିବ ; ଦଣ୍ଡ ମିଳିବା ସମ୍ଭାବନା ନିତାନ୍ତ କ୍ଷୀଣ | ଏହି ପରିବେଶରେ କଣ ସାଧୁ ସୃଷ୍ଟି ହେବେ ନା ଲମ୍ପଟ ? ଆମେ ଏହି ଅପ୍ରିୟ ସତ୍ୟର ସାମନା ଯଦି ନକରିବା , ଏମିତି ଚାଲିଥିବ | ହଁ , ଆମ ମିଡ଼ିଆ ସମ୍ପର୍କରେ ବି ଦୁଇପଦ ଉଲ୍ଲେଖ କରିବା ଆବଶ୍ୟକ | ଗୋଟିଏ ଝିଅ ବିଜ୍ଞାପନ ପାଇଁ ଶୁଟିଙ୍ଗ ବେଳେ ବିଷୟବସ୍ତୁର ପ୍ରାସଙ୍ଗିକତା ଦୃଷ୍ଟିରୁ ଆଖି ମିଟିକେଇଲା | ବାସ ; ଆମ ମିଡ଼ିଆ ଏତେ ପ୍ରଭାବିତ ହେଲେ ଯେ ସେ ଝିଅଟି ରାତି ପାହିଲା ବେଳକୁ ଦେଶଯାକ ଚହଳ ପକେଇଲା | ଆମେ କଣ ଏଇ ପାବନ ଭାରତରେ ଏମିତି ଫୁଲାଫାଙ୍କିଆ ମାନସିକତା ଦେଖାଉଥିବା ନା ପରିପକ୍ଵତା ପ୍ରଦର୍ଶନ କରି ଦେଶ ଗଠନରେ ସକାରାତ୍ମକ ଭୂମିକା ଅବଲମ୍ବନ କରିବା ?

*********

15th April, 2018

No comments:

Post a Comment