Sunday 24 June 2018

ଟୁରିଷ୍ଟ ଆମ ଆଡେ କାହିଁକି ଆସିବେ ?


ମୋ ବନ୍ଧୁ ବିଦେଶରେ ପଢୁଥିବା ତାଂକ ପୌତ୍ର ଏବଂ ପୌତ୍ରୀଂକୁ ନିଜ ଗାଁ ବୁଲେଇ ନେଇଥିବା ଶୁଣି ମୁଁ ଖୁସି ହେଲି | ପିଲା ଦୁଇଟି ହୁଏତ ଅନେକ ବର୍ଷ ପରେ ତାଂକ ଜେଜେବାପାଂକ ଜନ୍ମସ୍ଥାନ ରେ କିଛି ସମୟ ବିତେଇବା ସୁଯୋଗ ପାଇଥିବେ | ନିଜ ପରିଜନ ମାନଂକୁ ଦେଖିବା ଓ ତାଂକ ସହ କିଛି ଅନ୍ତରଂଗ ମୁହୂର୍ତ ବିତାଇବା ନିଶ୍ଚୟ ଏକ ସୁଖଦ ଅନୁଭୁତି | ପରିବାରର ସମବୟସ୍କ ପିଲାମାନେ ବି ଏହି ମୁହୁର୍ତ ପାଇଁ ଅପେକ୍ଷା କରିଥାନ୍ତି | ଏଇ ସୁଯୋଗରେ ଭାବନା ବିନିମୟ ହେଇଥାଏ; ସମ୍ପର୍କ ଅନ୍ତରଂଗ ଓ ଦୃଢ଼ ହୁଏ | ପୈତୃକ ଘର ଓ କୁଟୁମ୍ବର ଅନ୍ୟ ସଦସ୍ୟମାନଂକ ବନ୍ଧନ ସ୍ବାଦ ଅବଶ୍ୟ ଅତ୍ୟନ୍ତ ମଧୁର ; କିନ୍ତୁ ପିଲାମାନେ ଗାଁ ପରିବେଶ ; ଗାଁର ପ୍ରଚଳିତ ଅଚାର, ବ୍ୟବହାର ; ଚାଲି ଚଳଣୀ ; ଗ୍ରାମବାସୀ ମାନଂକ ଦୈନନ୍ଦିନ ରହଣୀ ଶୈଳୀ ; ଗାଁ ର ଅର୍ଥନୀତି ପ୍ରତି ମଧ୍ୟ ଆଗ୍ରହ ଦେଖାନ୍ତି | ଯଦି ସେମାନେ ଅଶାନୁରୁପ ପରିବେଶ ସଂସ୍ପର୍ଶରେ ଆସନ୍ତି ତେବେ ଗାଁ ଆକର୍ଷଣ ତାଂକ ହୃଦୟରେ ଚିରସ୍ଥାୟୀ ହୋଇଥାଏ | ଏଇ ପରିପ୍ରେକ୍ଷୀ ରେ ମନରେ ପ୍ରଶ୍ନ ଉଠେ, " ଆମ ଗାଁ ବା ଆମ ସହରରେ ଆମେ ବିଦେଶୀ ପର୍ଯ୍ୟଟକ ମାନଂକୁ କେଉଁ କାରଣ ଯୋଗୁଁ ଆକର୍ଷଣ କରିପାରିବା ? ହଁ , ଆମ ସହର, ଆମ ଗାଁ ରେ ପ୍ରଗତି ଧାରା ଅବ୍ୟାହତ ରହିଚି | କଉ ଗାଁରେ ହୁଏତ ନଦୀରେ ପୋଲ ଟେ ହେଇଚି ; କେଉଁଠି ତହସିଲ୍ ଅଫିସ ଟିଏ ହେଇଚି; ଆଉ କଉ ଗାଁରେ ନୁଆ ମଦଦୋକାନ ଟିଏ ହେଇଚି ତ କଉ ଗାଁରେ କେତୋଟି ନୁଆ ପକା ଘର ହେଇଚି | ଏଗୁଡା ପର୍ଯ୍ୟାଟକ ମାନେ ହୁଏତ ଆକର୍ଷଣ ଭାବରେ ଗ୍ରହଣ କରି ନ ପାରନ୍ତି | ସେମାନେ ଆଗ୍ରହ ଦେଖେଇବେ ଯଦି ଗାଁରେ ଅନେକ ପରିବାର ସୁନ୍ଦର ସାଢୀ ବୁଣୁଚନ୍ତି ; ଯଦି କେତେ ଶିଳ୍ପୀ ପଥର ବା ରୁପା ବା ପିତଳ ରେ କଳା ସୃଜନ କରୁଛନ୍ତି ; ଯଦି ଗାଁ ଓ ସହରରେ ଆମ ବ୍ୟକ୍ତିଗତ ଏବଂ ସାମୁହିକ ସାମର୍ଥ୍ୟ ସବୁଦିନ ସ୍ବତଃ ପ୍ରଦର୍ଶିତ ହେଉଚି | ଆମେ ଏହିପରି ପରିବେଶ ସୃଷ୍ଟି କରିପାରିଚେ କି ? ସରକାରୀ ପରିଯୋଜନା ର ଅନୁସନ୍ଧାନ ପାଇଁ ପର୍ଯ୍ୟଟକ ମାନେ ଅନ୍ୟ ସ୍ଥାନ ବୁଲି ଆସନ୍ତି ନାହିଁ ; ଲୋକଂକ ଉପଲବ୍ଧି ତାଂକ ପାଇଁ ଗୁରୁତ୍ବ ବହନ କରିଥାଏ | ମୋର ମନେହୁଏ ଏହି ମାନଦଣ୍ଡ ରେ ଆମ ସ୍ଥିତି ଆଜିବି ଅତ୍ୟନ୍ତ ଦୁର୍ବଳ |

*********
୨୪-୦୬-୨୦୧୬

No comments:

Post a Comment