Friday 8 June 2018

ଆମ ରାଜ୍ୟ ସଚିବାଳୟର ତୃତୀୟ ମହଲା



"ତୃତୀୟ-ମହଲା" ଏକ ପ୍ରହେଳିକାମୟ ପ୍ରସଂଗ ନୁହେଁ ; ମୋର ବିଶ୍ବାସ ପାଠକମାନେ ଏହାର ପ୍ରୟୋଗ କାହାପାଇଁ ତାହା ବୁଝିଥିବେ | ଆମ ରାଜ୍ୟ ସଚିବାଳୟ ସୌଧର ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ | ମୁଖ୍ୟମନ୍ତ୍ରୀ ଏବଂ ତାଂକ ସଚିବାଳୟର କର୍ମଚାରୀ ଏହି ମହଲାରେ କାମକରନ୍ତି | କର୍ମଚାରୀମାନଂକ ମୁଖ୍ୟ ଭାବରେ ଜଣେ ସଚିବ ରହିଥାନ୍ତି | ଆମ ବ୍ୟବସ୍ଥାରେ ମୁଖ୍ୟ ସଚିବ ସରକାରଂକ ମୁଖ୍ୟ ପରାମର୍ଶଦାତା ଏବଂ ସମଗ୍ର ଅମଲାତନ୍ତ୍ର ତାଂକ ନିୟନ୍ତ୍ରଣରେ କାମ କରିଥାନ୍ତି |
ଗୁରୁତ୍ୱପୂର୍ଣ ଦାୟିତ୍ୱରେ କେଉଁ ଅଫିସର କେଉଁଠାରେ ଅବସ୍ଥାପିତ ହେବେ, ତାହା ମୁଖ୍ୟସଚିବ ସ୍ଥିର କରୁଥିଲେ , ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରୁଥିଲେ ଏବଂ ମୁଖ୍ୟମନ୍ତ୍ରୀ ତାହା ଅନୁମୋଦନ କରୁଥିଲେ | ଆବଶ୍ୟକ ହେଲେ, ମୁଖ୍ୟମନ୍ତ୍ରୀ ତାଙ୍କ ସହଯୋଗୀ ମାନଙ୍କ ମତାମତ ମଧ୍ୟ ଲୋଡୁଥିଲେ ; କିନ୍ତୁ ଏହା ଅନୌପଚାରିକ ବ୍ୟବସ୍ଥା ଥିଲା | ନୀତି ନିର୍ଧାରଣ କ୍ଷେତ୍ରରେ ରାଜନୈତିକ ନେତୃତ୍ୱ ଦିଗଦର୍ଶନ ଦେଉଥିଲେ ଏବଂ ଅମଲାତନ୍ତ୍ର ମୁଖ୍ୟସଚିବଙ୍କ ନେତୃତ୍ୱରେ ଏହା ନିୟମାନୁଯାୟୀ କାର୍ଯ୍ୟାନ୍ବିତ କରୁଥିଲେ |
ଯେହେତୁ ମୁଖ୍ୟମନ୍ତ୍ରୀ ସରକାରଙ୍କ ସମସ୍ତ ବିଭାଗର ଗୁରୁତ୍ୱପୂର୍ଣ ନିଷ୍ପତ୍ତି ସହିତ ସମ୍ପୃକ୍ତ, ତାଙ୍କ ଅନୁମୋଦନ ପାଇଁ ପ୍ରତ୍ୟେକ ବିଭାଗରୁ ନଥି ଯାଏ | ମୁଖ୍ୟମନ୍ତ୍ରୀଙ୍କ ଦଫ୍ତର ରେ ତତ୍ପରତା ସହିତ ଏହି ପ୍ରସ୍ତାବମାନ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପାଇଁ ପଦକ୍ଷେପ ନିଆଯାଏ | ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ନିମନ୍ତେ ଜନସାଧାରଣ ; ରାଜନୈତିକ ବ୍ୟକ୍ତି ; ଉଦ୍ୟୋଗପତି ,ସମାଜର ପ୍ରତିଷ୍ଟିତ ବ୍ୟକ୍ତି ପତ୍ର ଲେଖନ୍ତି ; ତାଙ୍କ କାର୍ଯ୍ୟାଳୟରେ ଏହି ପତ୍ର ଗୁଡିକ ଗ୍ରହଣ କରାଯାଇ ମୁଖ୍ୟମନ୍ତ୍ରୀଙ୍କ ପାଖରେ ପେଶ କରାଯାଏ |
ଅତୀତରେ ଜଣେ ଅଫିସର ଚାକିରୀ କାଳରେ ରାଜନୀତିରେ ରୁଚି ରଖୁଥିଲେ ; ରାଜନୀତି ଦର୍ଶନରେ ଯେତେନୁହେଁ , ପେଂଚୁଆ ରାଜନୀତି ପ୍ରତି ତାଙ୍କର ଅଧିକ ରୁଚିଥିଲା | ସେ ଏକୁ ତା ସାଙ୍ଗରେ ଲଗେଇ କଳହ , ମତଭେଦ ସୃଷ୍ଟି କରିବାରେ ଆନନ୍ଦ ପାଉଥିଲେ | କାହାକୁ କହି ଅନ୍ୟଜଣଙ୍କ ବିରୁଦ୍ଧରେ ଦୁଇପଦ ଲେଖେଇଆଣି ସେଇ ଚିଠିଟିକୁ ଡାକ ଫାଇଲର ସବୁଠାରୁ ଉପରେ ରଖିଦେଇ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରୁଥିବା ମଧ୍ୟ ତାଂକ ବିଷୟରେ ଶୁଣାଯାଏ | ତୃତୀୟ ମହଲାର ମୁଖ୍ୟ ଅମଲା ସଚିବ ପଦବୀର ଗାରିମା ରକ୍ଷା କରିବାରେ କେତେ ଜଣ ସଫଳ ହେଲେ ଏବଂ କେତେ ବିବାଦୀୟ ହେଲେ |
ମୋ ଦୃଷ୍ଟିରେ ଅକ୍ଷୟ ବିଶ୍ୱାଳ ; ରମାକାନ୍ତ ରଥ ; ନୀଳମାଧବ ମହାନ୍ତି ଏବଂ ଅମୂଲ୍ୟରତ୍ନ ନନ୍ଦ ଏହିପଦବୀର ଦାୟିତ୍ୱ ନିର୍ବାହରେ ନିଜ କାର୍ଯ୍ୟନିପୁଣତା ପ୍ରତିପାଦନ କରିଥିଲେ | ଆଉ କେତେକ ଅତ୍ୟନ୍ତ ପାରଙ୍ଗମ ଥିଲେ କିନ୍ତୁ ନିଜପଦବୀ ଟିକୁ ଏକ କ୍ଷମତାକେନ୍ଦ୍ର ହେବା ପ୍ରକ୍ରିୟାକୁ ଅବରୋଧ କରିବାରେ ସଫଳ ହୋଇନଥିଲେ | କେତେବର୍ଷ ଧରି ପ୍ରଶାସନରେ ଅଣସାମ୍ବିଧାନିକ ଶକ୍ତିର ଆବିର୍ଭାବ ହେଲା | ସେହି ସମୟରେ ତୃତୀୟ ମହଲାର ସଚିବମାନେ ଏହି ଶକ୍ତିର ଇଙ୍ଗିତରେହିଁ କାମକଲେ | ସେହି ଶକ୍ତିର ଅବସାନ ପରେ ତୃତୀୟ ମହଲାରେ କାମକରିବା ଶୈଳୀର ପରିବର୍ତ୍ତନ ହେଲା ; ସଚିବ କେବଳ ନିମିତ୍ତ ମାତ୍ର ହୋଇଗଲେ ଏବଂ କ୍ଷମତା କେନ୍ଦ୍ରୀଭୂତ ହେଲା ଅଧସ୍ତନ ଅମଲା ହାତରେ |
ତୃତୀୟ ମହଲାର ସେହି ଅମଲା, ଅମଲାତନ୍ତ୍ର ଉପରେ ନିୟନ୍ତ୍ରଣ କ୍ଷମତା ବସ୍ତୁତଃ ନିଜହାତରେ ରଖି ମୁଖ୍ୟ ସଚିବ ଏବଂ ବିଭାଗୀୟ ମୁଖ୍ୟ , ସଚିବ ଏବଂ ଏପରିକି ମନ୍ତ୍ରୀମାନଙ୍କୁ ମଧ୍ୟ ନିୟନ୍ତ୍ରଣ କଲେ | ଅବଶ୍ୟ ଏହାର ପ୍ରାରମ୍ଭ ଅଣସାମ୍ବିଧାନିକ କ୍ଷମତାକେନ୍ଦ୍ରର ଆବିର୍ଭାବ ବେଳୁ ହୋଇଥିଲା | ଏବଂ ସେହି ଚରମ ଅବ୍ୟବସ୍ଥା ଅଦ୍ୟାବଧି ରହିଛି | ଆଜି ଅନେକେ ବିଶ୍ବାସ କରନ୍ତି ଯେ ଏହି ଅବ୍ୟବସ୍ଥାରେ କେତେକ ସରକାରୀ କର୍ମଚାରୀ ରାଜନୈତିକ କାର୍ଯ୍ୟରେ ମଧ୍ୟ ନିୟୋଜିତ ହେବା ସହ ରାଜନୈତିକ ନିଷ୍ପତ୍ତି ମଧ୍ୟ ନେଉଛନ୍ତି |
ପ୍ରଶାସନିକ ଶୃଙ୍ଖଳା ଏବଂ ଆଚାର ସଂହିତା ଆଜି ପଥଚ୍ୟୁତ ହୋଇଥିବା ଅନେକେ ହୃଦବୋଧ କରୁଛନ୍ତି | ଏହାର ସମାଧାନ ସୂତ୍ର ରାଜନୈତିକ ଶକ୍ତିର ନିଷ୍ପତ୍ତି ଉପରେ ନିର୍ଭରଶୀଳ | ଆମ ରାଜନୈତିକ ଶକ୍ତି ଯଦି ଅନୁଭବ କରିବ ଯେ ନେତୃତ୍ବର ଅସାମର୍ଥ୍ୟ ଦୃଷ୍ଟିରୁ ଏହି ବିଶୃଙ୍ଖଳାର ସୃଷ୍ଟି ହେଉଛି, ତେବେ ସେମାନେ ବିକଳ୍ପ ସୃଷ୍ଟି କରିବା ଆବଶ୍ୟକ | ଅନ୍ୟ ବିକଳ୍ପହେଲା ଅମଲାତନ୍ତ୍ର ଅଗ୍ରଣୀ ଭୂମିକା ନେଇ ଏହି ଅସଙ୍ଗତି ଦୂର କରିବାପାଇଁ ନିଜର ସାମର୍ଥ୍ୟ ପ୍ରଦର୍ଶନ କରନ୍ତୁ | ଯଦି ଏହା ମଧ୍ୟ ହେବନାହିଁ, ତେବେ ପ୍ରଶାସନିକ ଅବ୍ୟବସ୍ଥା ନୀରବରେ ସହ୍ୟ କରାଯାଉ ଏବଂ ଅମଲାତନ୍ତ୍ରର ରାଜନୈତିକ ରୂପାନ୍ତକରଣକୁ ହଜମ କରାଯାଉ |
ଏହି ପ୍ରସଙ୍ଗରେ ଗୋଟିଏ ଅନୁଭୂତି ଅବତାରଣା କରିବା ପ୍ରାସଙ୍ଗିକ ବୋଧହୁଏ | ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବାବେଳେ ତାଙ୍କ ସଚିବ ଅନ୍ୟ ଏକ ପଦବୀରେ ଅବସ୍ଥାପିତ ହେଲେ | ସେହି ସମୟର ପ୍ରସଙ୍ଗ | ମୁଁ ସରକାରୀ କାମରେ ଦିଲ୍ଲୀ ଯାଇଥିଲି ଏବଂ ଓଡିଶା ଭବନରେ ରହୁଥିଲି | ଦିନେ ସକାଳେ ଜଣେ ମୋତେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ କହିଲା | ମୁଁ ଜାଣିନଥିଲି ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଆସିଛନ୍ତି ଏବଂ ଓଡିଶା ଭବନରେ ରହୁଛନ୍ତି | ତାଙ୍କୁ ଭେଟିଲି | ମୋ ଦିଲ୍ଲୀ ଆସିବା ସମ୍ପର୍କରେ ମୋତେ ପଚାରିଲେ | କିଛି ସମୟ କଥାବାର୍ତ୍ତା ପରେ କହିଲେ ତାଙ୍କର ସଚିବ ଦରକାର | ଅନେକ ସମୟରେ ମୁଁ ତାଙ୍କ ସହ ହସ ମଜା କରୁଥିଲି ଏବଂ ସେ ତାର ଉତ୍ତର ମଧ୍ୟ ହସିକରି ଦେଉଥିଲେ | ମୁଁ ସୁଯୋଗ ହାତଛଡା ନକରି ତାଙ୍କୁ ଓଲଟା କହିଲି , " Do you really need a Secretary? We are all your Secretaries. I think the bright junior officer working in your office is good enough." ସେ ଶୁଣିଲେ ଏବଂ ବୁଝିଲେ ଯେ ମୁଁ ସେହି ପଦବୀ ପାଇଁ ଆଗ୍ରହୀ ନୁହେଁ | ସେ ତତକ୍ଷଣାତ କହିଲେ ," Yes, do I really need one ? I think, the officer you mentioned, is adequate "
ମୁଁ ସେତେବେଳେ ଅର୍ଥ ସଚିବ ଥିଲି | ମୋର ଉତ୍ତରରେ ଥିଲା ତୃତୀୟ ମହଲା ର ସଚିବ ର ଭୂମିକା ସମ୍ପର୍କରେ ମୋର ଆଭିମୁଖ୍ୟ |ସଚିବ କ୍ଷମତା କେନ୍ଦ୍ର ନୁହେଁ | ଏହା ବିଜୁବାବୁ ବୁଝୁଥିଲେ | ଆଜି ଏହା ବୁଝିବା ପାଇଁ ସାମର୍ଥ୍ୟ ଆବଶ୍ୟକ ; ଆତ୍ମବିଶ୍ବାସ ଆବଶ୍ୟକ ; ଅନ୍ୟ ଉପରେ ନିର୍ଭରଶୀଳ ହେବାର ମାନସିକତା ନଥିବା ଆବଶ୍ୟକ | (January 15, 2018)
******** 

No comments:

Post a Comment