Saturday 9 June 2018

କଲିକତା ଫୁଲର କାକଟପୁର ଯାତ୍ରା


 ସେଦିନ ସକାଳେ ମୋ ବନ୍ଧୁ ବୁଲିବାକୁ ଆସିନଥିଲେ :ତେଣୁ ମୁଁ ଏକୁଟିଆ ଯାଉଥାଏ | ପାନ୍ଥ ନିବାସ ପାଖ ଗଳି ରାସ୍ତାରେ ସରକାରୀ ଆୟୁର୍ବେଦ ଡାକ୍ତରଖାନା ବାଟରେ ସବୁଦିନ ଭଳି ସେଦିନ ବି ମୁ ଯାଉଥିଲି | ଗଳି ରାସ୍ତା ବାଁ ପଟେ ଗୋଟେ ତାଟି ରେ ତିଆରି ଅସ୍ଥାୟୀ ଦୋକାନରେ ସବୁ ସକାଳ ଭଳି ସେଦିନ ବି ଫୁଲ ଆଉ ଦୁଇଜଣ ଯୁବକଙ୍କୁ ଦେଖିଲି | ଗେଣ୍ଡୁଫୁଲ ମାଳ; ରଜନୀଗନ୍ଧା ମାଳ ; ପତ୍ର ଓ ଡେମ୍ଫ ଥିବା ନାଲି ଛୋଟ ଗୋଲାପ ସେଠାରେ ଥାଏ | ସେଗୁଡିକ ଛୋଟ ଛୋଟ ଛିଣ୍ଡା ଅଖାରେ ବିଡା ବନ୍ଧା ହୁଏ | ବନ୍ଧା ହେଲା ପରେ ଗୋଟିଏ ଯୁବକ ପାନ୍ଥ ନିବାସ ସାମନା ପୁରୀ ରାସ୍ତାକଡରେ ଧୂଳିରେ ସେଇ ବନ୍ଧା ଫୁଲ ଅଖା ଗୁଡିକ ରଖି ବସ ଅପେକ୍ଷାରେ ରହେ | ସେଦିନ ବସ ଅପେକ୍ଷାରେ ଥିବା ଯୁବକ ସହିତ ଗପସପ କରିବା ସୁଯୋଗ ପାଇଲି | ଫୁଲ ଆସେ କଲିକତା ବସରେ ଆମ ପଡୋଶୀ ରାଜ୍ୟରୁ | ରାମ ମନ୍ଦିର ପାଖରେ ଫୁଲ ବସ୍ତା ସବୁ ବସରୁ ଖଲାସ ହୁଏ | ସେଇଠାରୁ ସହରର ଭିନ୍ନ ଭିନ୍ନ ବିତରଣ କେନ୍ଦ୍ର ମାନକୁ ପଠାଯାଏ | ପାନ୍ଥନିବାସ ନିକଟ କେନ୍ଦ୍ର କୁ ବି ଆସେ | ସେଠାରେ ଉତ୍ତରା , କାକଟପୁର , ନିମାପଡା ପ୍ରଭୃତି ଜାଗା ମାନଂକ ପାଇଁ ଆବଶ୍ୟକତା ଅନୁଯାୟୀ ଛୋଟ ଛୋଟ ବୁଜୁଳାରେ ଫୁଲ ସବୁ ରଖାଯାଏ ଓ ବସ ରେ ଫୁଲର ଯାତ୍ରା ପୁଣି ଆରମ୍ଭ ହୁଏ |ସେଇ କେନ୍ଦ୍ରର ଦୈନିକ ବେପାର ସକାଳେ ଦୁଇ ଘଂଟାରେ ଶେଷ ହୋଇ ଯାଏ |
କଥାବାର୍ତା ପରେ ମୁଁ ବୁଲିବାକୁ ଆଗକୁ ଗଲାବେଳେ ଆମ ସହରର ଫୁଲ ଯାତ୍ରା ସମ୍ପର୍କରେ ଭାବିଲି | କାକଟପୁର ବସ ରହଣି ସ୍ଥାନରେ ଗୋଟିଏ ଭଡା ରେ ନିଆଯାଇଥିବା ଲମ୍ବା ଧଳା କାର ଅପେକ୍ଷା ରେ ଥିବା ଭଳି ଦିଶିଲା | ଫୁଲ ବୁଜୁଲା ଆସିବା ମାତ୍ରକେ ରଜନୀଗନ୍ଧା ମାଳ ଆଉ ନାଲି ଗୋଲାପରେ ସେଇ ମଟର ଗାଡିଟି ସଜାହେଉଥିବା ପ୍ରତୀତ ହେଲା | ଗାଡି ସଜବାଜ ହେଲା ପରେ ବର ଘରକୁ ଗଲା | ଆଡମ୍ବରରେ ବର ଫୁଲସଜ୍ଜିତ ମଟର ଗାଡ଼ିରେ ବସିଲେ |ଡିଜି ସଂଗୀତରେ କାନ ଫାଟିଲା |ପଟୁଆର ଚାଲିଲା କନ୍ୟାଘରକୁ |
ମୁଁ ଫୁଲଯାତ୍ରା ବିଷୟରେ ପୁଣି ଭାବିଲି | କେବେ ଫୁଲଗୁଡିକ ତୋଳା ହେଇଥିଲା ? କେବେ ମାଳ ତିଆରି ହେଲା ? କେତେ ଘଣ୍ଟା ପରେ କାକଟପୁରର ପହଁଚିଲା ? କେତେ ଥର ଛିଣ୍ଡା ଅଖାରେ ବନ୍ଧାହେଲା ? କେତେଥର ରାସ୍ତା କଡରେ ବସର ଅପେକ୍ଷାରେ ପଡି ରହିଲା ? ସେଇ ଫୁଲ ପୁଣି ଉଚ୍ଚ ଦରରେ କିଣା ହେଇ ଗାଡ଼ିରେ ସଜାଗଲା | ସବୁ ଖର୍ଚ କନ୍ୟାଘର ଦେଲେ | ଏହା ନହେଲେ ବର ନାକ ଟେକିବ ; ବାହାଘର ଭାଙ୍ଗିବି ଯିବ | ଏଇ ଭଳି ଭାବି ଭାବି ମୋ ମନ ଭାରାକ୍ରାନ୍ତ ହେଉଥିବା ମୁଁ ଅନୁଭବ କଲି |
କାହିଁକି ଏପରି ଅପୂର୍ବ ବ୍ୟବସ୍ଥା ? କାହିଁକି ଏମିତି ଆଡମ୍ବର ? କାହିଁକି ଫୁଲର ଏପରି ଦୁର୍ଦଶା ? କୁଆଡେ ରହିଲା ତାର ବାସନା ? କେଉଁଠି ରହିଲା ତାର ଚମକ ? ଫୁଲ ତ ଆଉ ବଂଚି ନଥିବ ସେତେବେଳକୁ | କାହିଁକି ଆମ ରାଜ୍ୟରେ ବାସିଫୁଲର ଏତେ ଆଦର ? କାହିଁକି ଆମ କାକଟପୁରର  ବରମାନେ କାକଟପୁରରେ ଫୁଲଚାଷ ପାଇଁ ମନ ଦେଉନାହାନ୍ତି ଆଉ  ସଜଫୁଲ କୁ ଆଦର କରିବା ଶିଖୁ ନାହାନ୍ତି ?
 (12th June, 2017)
****** 

No comments:

Post a Comment